ପୁରୁ‌ଷୋତ୍ତମପୁର ବ୍ଲକ୍‌ ରାଜନୀତିରେ ହାଇଡ୍ରାମା : ପୁଅ ଆଣିଲେ ଅପହରଣ ଅଭିଯୋଗ, ବାପା କହିଲେ ଭିତ୍ତିହୀନ, ବ୍ଲକ୍‌ ଅଧ୍ୟକ୍ଷ ପଦ ପାଇଁ ଚାଲିଛି ଛକାପଞ୍ଝା

Advertisment
ପୁରୁ‌ଷୋତ୍ତମପୁର ବ୍ଲକ୍‌ ରାଜନୀତିରେ ହାଇଡ୍ରାମା : ପୁଅ ଆଣିଲେ ଅପହରଣ ଅଭିଯୋଗ, ବାପା କହିଲେ ଭିତ୍ତିହୀନ, ବ୍ଲକ୍‌ ଅଧ୍ୟକ୍ଷ ପଦ ପାଇଁ ଚାଲିଛି ଛକାପଞ୍ଝା

ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍‌ ଅଧ୍ୟକ୍ଷ ପଦ ୨୬ ଦିନ ହେଲା ଖାଲି ପଡ଼ିଛି। ଅନାସ୍ଥା ନୋଟିସ୍‌ ପୂର୍ବରୁ ଗତମାସ ୨୫ରେ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପଣ୍ଡା ଇସ୍ତଫା ଦେବା ପରେ ଏ ଯାଏ ଅଧ୍ୟକ୍ଷ ପଦ ପୂରଣ ନିମନ୍ତେ ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ। ଦିନ ଯେତିକି ଗଡୁଛି ରାଜନୀତି ସେତିକି ଜଟିଳ ହେବାରେ ଲାଗିଛି। ୨୬ ପଞ୍ଚାୟତ ବିଶିଷ୍ଟ ପଞ୍ଚାୟତ ସମିତିର ପ୍ରାୟ ୧୯ରୁ ୨୦ ଜଣ ସଭ୍ୟ ଓ ସଂଖ୍ୟାଧିକ ସରପଞ୍ଚ ଅଜ୍ଞାତବାସରେ ଥିବା ବେଳେ ଆଜି ଏକ ରୋଚକ ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

ବିଦାୟୀ ଅଧ୍ୟକ୍ଷ ସୂର୍ଯ୍ୟଙ୍କୁ ବିଦ୍ରୋହୀ ନେତାମାନେ ଅପହରଣ କରି ନେଇଥିବା ତାଙ୍କ ପୁଅ ସୁବତ୍ର ପଣ୍ଡା ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଅଭିଯୋଗର କେଇ ଘଣ୍ଟା ପରେ ଚିତ୍ର ବଦଳିଯାଇଛି। ସୂର୍ଯ୍ୟ ଆଜି ସନ୍ଧ୍ୟା ୭ଟାରେ ପୁରୁଷୋତ୍ତମପୁର ଥାନାରେ ହାଜର ହୋଇ ସେ ଅପହୃତ ହୋଇନାହାନ୍ତି, ବରଂ ବିଦ୍ରୋହୀ ସମିତି ସଭ୍ୟଙ୍କ ସହ ସେ ଅଛନ୍ତି ଏବଂ ସେମାନଙ୍କ ସହ ବୁଲି ଯାଇଥିଲେ ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି। ତାଙ୍କ ପୁଅ ସୁବ୍ରତଙ୍କୁ କେହି ଅପହରଣ କରି ନେଇ ପ୍ରଭାବିତ କଲା ପରେ ଜୋର୍‌ ଜବରଦସ୍ତି ମୋତେ ଅପହରଣ କରା ଯାଇଥିବା ନେଇ ମିଥ୍ୟା ଏତଲା ଦେବାକୁ ବାଧ୍ୟ କରାଯାଇଛି ବୋଲି ଦେଇଥିବା ଏତଲାରେ ଅଭି‌‌ଯୋଗ କରିଛନ୍ତି। ପୁଅ ନାବାଳକ, ବର୍ତ୍ତମାନ ସେ ତାକୁ ଖୋଜି ପାଉ ନ ଥିବା ଏତଲାରେ ଦର୍ଶାଇଛନ୍ତି। ପୁଅ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ତୁରନ୍ତ ଖୋଜି ଆଣିବାକୁ ସେ ନିବେଦନ କରିଛନ୍ତି। ବ୍ଲକ ରାଜୀନତିରେ ଏଭଳି ହାଇଡ୍ରାମା ସବୁ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ଗତମାସ ୨୫ ତାରିଖରେ ସୂର୍ଯ୍ୟ ଗଞ୍ଜାମ ଜିଲ୍ଲାପାଳ ଓ ପୁରୁଷୋତ୍ତମପୁର ବିଡିଓଙ୍କୁ ନିଜର ଇସ୍ତଫାପତ୍ର ପଠାଇ ଦେଇଥିଲେ। ବ୍ୟକ୍ତିଗତ କାରଣରୁ ସେ ଦାୟିତ୍ବରୁ ଓହରିଛନ୍ତି ବୋଲି ଏଥିରେ ଦର୍ଶାଇଥିଲେ। ତେବେ ଏହା ପୂର୍ବରୁ ଶ୍ରୀ ପଣ୍ଡାଙ୍କ କାର୍ଯ୍ୟକଳାପକୁ ବିରୋଧ କରି ଅନାସ୍ଥା ପ୍ରସ୍ତାବ ପାଇଁ ସଂଖ୍ୟାଧିକ ସଭ୍ୟ ପ୍ରସ୍ତୁତି ଚଳାଇଥିଲେ। ଅଧ୍ୟକ୍ଷ ଇସ୍ତଫା ପରେ ନୂଆ ଅଧ୍ୟକ୍ଷ ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ; ଅଥଚ ବ୍ଲକର ସରପଞ୍ଚ ଓ ସମିତି ସଭ୍ୟମାନେ ଅଜ୍ଞାତବାସକୁ ଚାଲି ଯାଇଛନ୍ତି। ସେମାନଙ୍କ ସହ ମଧ୍ୟ ବିଦାୟୀ ଅଧ୍ୟକ୍ଷ ରହିଥିଲେ। ଆଜି ବିଦାୟୀ ଅଧ୍ୟକ୍ଷଙ୍କ ପୁଅ ସବୁତ୍ର ପଣ୍ଡା ଏକ ଅଭି‌ଯୋଗ ପତ୍ର ଇମେଲ ଓ ହ୍ବାଟସ୍‌ଆପ୍‌ ଜରିଆରେ ପୁରୁଷୋତ୍ତମପୁର ଥାନା ଓ ଗଞ୍ଜାମ ଏସ୍‌ପିଙ୍କ ନିକଟକୁ ପଠାଇଥିଲେ। ତାଙ୍କ ବାପା କିଛି ବ୍ୟକ୍ତିଙ୍କ ଚାପରେ ଇସ୍ତଫା ଦେଇଥିବା ଅଭିଯୋଗ ଆଣିଥିଲେ। ବଡଖରିଡା ଏବଂ କୋଳିଦାସପୁର ଗ୍ରାମ ଦୁଇ ଜଣ ଯୁବକ ତାଙ୍କ ଘରକୁ ଆସି ଏକ ଟଙ୍କା ବ୍ୟାଗ ରଖିବା ସହ ତାଙ୍କ ବାପାଙ୍କୁ ଅପରହଣ କରି ‌ନେଇଥିବା ସେ ଅଭିଯୋଗରେ ଦର୍ଶାଇଥିଲେ। ଏପରିକି ଗତ ୧୦ଦିନ ହେଲା ବାପା ତାଙ୍କ ପରିବାର ସହ ଯୋଗାଯୋଗରେ ନ ଥିବା ଅଭିଯୋଗ ଆଣିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe