ସୁନ୍ଦରଗଡ଼ ମେଡିକାଲ କଲେଜ ଭିତ୍ତିଭୂମିକୁ ନେଇ ପ୍ରଶ୍ନ, ଏଥର ଏନଏମସି ଅନୁମତି ମିଳିବ ତ

ସୁନ୍ଦରଗଡ଼ ମେଡିକାଲ କଲେଜ ଭିତ୍ତିଭୂମିକୁ ନେଇ ପ୍ରଶ୍ନ, ଏଥର ଏନଏମସି ଅନୁମତି ମିଳିବ ତ

YouTube

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ରାଜ୍ୟ ସରକାର ଖୋଲିବାକୁ ଥିବା ମେଡିକାଲ କଲେଜରେ ଚଳିତ ୨୦୨୨-୨୩ ଶିକ୍ଷାବର୍ଷରୁ ଶହେ ସିଟରେ ଡାକ୍ତରୀ ପାଠପଢ଼ା ଆରମ୍ଭ ହେବାର ଘୋଷଣା ହୋଇଥିଲା। ଗତ ଏପ୍ରିଲ ୨୬ ତାରିଖରେ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ନିର୍ମିତ ଆଧୁନିକ ଭିତ୍ତିଭୂମିକୁ ଏନଟିପିସି ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବା ଏବଂ ଡିନ୍ ଓ ଅତିରିକ୍ତ ଅଧିକ୍ଷକଙ୍କ ସମେତ ୩୨ରୁ ଅଧିକ ପ୍ରାଧ୍ୟାାପକ, ଅଧ୍ୟାପକ ନିଯୁକ୍ତି ହୋଇଥିବାରୁ ଏହି କଲେଜ ଖୋଲିବା ଆଶା ଦ୍ବିଗୁଣିତ ହୋଇଥିଲା। କିନ୍ତୁ ଏହା ପରେ ଏହି ମେଡିକାଲ କଲେଜ ପାଇଁ ଆବଶ୍ୟକ ଭିତ୍ତିଭୂମି, ଅଧ୍ୟାପକ ଓ ଅନ୍ୟ ଆନୁଷଙ୍ଗିକ ସୁବିଧା ନଥିବା ଦର୍ଶାଇ ଜାତୀୟ ମେଡିକାଲ କମିସନ୍ (ଏନଏମସି) ଚଳିତ ଶିକ୍ଷାବର୍ଷ ପାଇଁ ଅନୁମତି ପତ୍ର ବା ଏଲଓଆଇ ଦେବାକୁ ମନା କରି ଦେବା କଥା ସାମ୍ନାକୁ ଆସିଥିଲା।

ଗତ ଫେବ୍ରୁଆରିରେ ଏନଏମସିର ମେଡିକାଲ ଆସେସମେଣ୍ଟ ଓ ରେଟିଂ ବୋର୍ଡ କଲେଜ ପରିଦର୍ଶନ କରି ଏସବୁ ଅଭାବ ଥିବା ରିପୋର୍ଟ ଦେଇଥିଲେ। ତେବେ ଅଭାବ ସବୁ ପୂରଣ କରି ମେ’ ୧୦ ତାରିଖ ସୁଦ୍ଧା ଜଣାଇବାକୁ ଏନଏମସି କହିଥିବା ବେଳେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପୁଣି ଥରେ ଆବେଦନ କରିଥିବା ସୂଚନା ମିଳିଛି। ତେବେ ସୁନ୍ଦରଗଡ଼ ମେଡିକାଲ କଲେଜ ପାଇଁ ଏଠାରେ ଭିତ୍ତିଭୂମି କେତେ ପ୍ରସ୍ତୁତ, ଯେଉଁ ଯେଉଁ କ୍ଷେତ୍ରରେ ଅଭାବ ଥିବା ଦର୍ଶାଇ ଏନଏମସି ଅନୁମତି ଦେଇ ନଥିଲା, ଏହା ମଧ୍ୟରେ ସେସବୁ ଅଭାବ ପୂରଣ ଓ ଆନୁଷଙ୍ଗିକ ବ୍ୟବସ୍ଥା ଉପଲବ୍ଧ ହୋଇଛି କି ନାହିଁ, ତାହା ଦେଖିବା କଥା। ଏନଟିପିସି ରାଜ୍ୟ ସରକାରଙ୍କୁ ଭିତ୍ତିଭୂମି ହସ୍ତାନ୍ତର କଲା ବେଳେ ମେଡିକାଲ କଲେଜ ଓ ହସ୍ପିଟାଲରେ ସବୁ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା ଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଥିଲା।

କଲେଜ ପରିସରରେ ପରୀକ୍ଷା ହଲ୍, ଗବେଷଣାଗାର, ସ୍ମାର୍ଟ କ୍ଲାସ୍ ରୁମ୍, ପାଠାଗାର, ରେଷ୍ଟୁରାଣ୍ଟ ଓ କନଫରେନ୍ସ ହଲର ସୁବିଧା ଥିବା, ମେଡିକାଲ କଲେଜ ଡିନ୍ଙ୍କ ପାଇଁ ସ୍ୱତନ୍ତ୍ର ବଙ୍ଗଳା, ଅଧିକ୍ଷକଙ୍କ ପାଇଁ ବଙ୍ଗଳା, ବିଭାଗୀୟ ମୁଖ୍ୟ ଓ ପ୍ରଫେସରମାନଙ୍କ ପାଇଁ ଆବାସ, ଆସୋସିଏଟ୍ ପ୍ରଫେସରଙ୍କ ପାଇଁ ଆବାସ, ଆବାସିକ ଡାକ୍ତରଙ୍କ ପାଇଁ ହଷ୍ଟେଲ, ଛାତ୍ରଛାତ୍ରୀଙ୍କ ପାଇଁ ପୃଥକ ହଷ୍ଟେଲ, ଅନ୍ୟ କର୍ମଚାରୀଙ୍କ ପାଇଁ ଆବାସ ବ୍ୟବସ୍ଥା ଥିବା ଓ ଏହା ସହ ମେଡିକାଲ କଲେଜ ପାଇଁ ଡିନ୍ ଓ ଅତିରିକ୍ତ ଅଧିକ୍ଷକଙ୍କ ନିଯୁକ୍ତି ହୋଇସାରିଥିବା କୁହାଯାଇଥିଲା।

କିନ୍ତୁ ଏନଏମସିର ମେଡିକାଲ ଆସେସମେଣ୍ଟ ଓ ରେଟିଂ ବୋର୍ଡ କଲେଜ ପରିଦର୍ଶନ କରି ଆବଶ୍ୟକ ଭିତ୍ତିଭୂମି ନଥିବା ଦର୍ଶାଇଥିଲେ। କେବଳ ମେଡିକାଲ ଅଧିକ୍ଷକଙ୍କ ନିଯୁକ୍ତିକୁ ବାଦ ଦେଲେ କଲେଜ ପାଇଁ ଅଧ୍ୟାପକ ପଦ ଖାଲିଥିବା, ବିଶେଷ କରି ଆନାଟୋମି, ଫିଜିଓଲୋଜି, ମାଇକ୍ରୋବାଇଓଲୋଜି, କମ୍ୟୁନିଟି ମେଡିସିନ ଓ ଅନ୍ୟ ସମସ୍ତ କ୍ଲିନିକାଲ ବିଭାଗରେ ଜଣେ ବି ଅଧ୍ୟାପକ ନିଯୁକ୍ତ ହୋଇ ନଥିବା, କଲେଜ କୋଠା ନିର୍ମାଣ ସରି ନଥିବା, ଲେକଚର୍ ଥିଏଟର, ଲାଇବ୍ରେରି, ଲାବରୋଟାରି, ଛାତ୍ରାବାସ, ଷ୍ଟାଫ୍ କ୍ବାଟର୍ସ, ଆନାଟୋମି, ଫିଜିଓଲୋଜି, ବାଇଓକେମିଷ୍ଟ୍ରି ଲାବରୋଟାରି ସହ ଆବଶ୍ୟକ ଯନ୍ତ୍ରପାତି, ଅଡିଓ-ଭିଜୁଆଲ ବ୍ୟବସ୍ଥା ନଥିବା ଦର୍ଶାଇଥିଲେ। ସେହିପରି ଡେମୋନଷ୍ଟ୍ରେସନ ଗୃହ, ଲାବରୋଟାରି ପ୍ରସ୍ତୁତ ହୋଇ ନଥିବା ବେଳେ ଡିସକ୍ସନ ହଲ୍, ମାଇକ୍ରୋସ୍କୋପ ନଥିବା, ନର୍ସିଂ, ବୈଷୟିକ, ପାରା ମେଡିକାଲ ଷ୍ଟାଫଙ୍କ ନିଯୁକ୍ତି ସମ୍ପର୍କରେ ମଧ୍ୟ କିଛି ସ୍ପଷ୍ଟ ସୂଚନା ମିଳି ନଥିବା ଟିମ୍ ଉଲ୍ଲେଖ କରିଥିଲେ।

ଅନ୍ୟପଟେ କେନ୍ଦ୍ରୀୟ ଲାଇବ୍ରେରି, ଟିଚିଂ ହସ୍ପିଟାଲ, ସେଣ୍ଟ୍ରାଲ ସକ୍ସନ, ସେଣ୍ଟ୍ରାଲ ଅକ୍ସିଜେନ, ପଲ୍ସ ଅକ୍ସିମିଟର, କ୍ରାସ କାର୍ଟ, ଆମ୍ବ୍ୟୁବ୍ୟାଗ ପରି ଜୀବନ ରକ୍ଷାକାରୀ ଯନ୍ତ୍ର ଉପଲବ୍ଧ ନଥିବା, ରକ୍ତ ଭଣ୍ଡାରରେ ଲାଇସେନ୍ସ ନାଇଁ କି ବିଏସଏଲ-୨ ଭାଇରୋଲୋଜି ଲ୍ୟାବ୍ ପ୍ରସ୍ତୁତ ହୋଇ ନଥିବା, ହସ୍ପିଟାଲର ନବୀକରଣ କାର୍ଯ୍ୟ ଚାଲିଥିବା ବେଳେ ଅସ୍ତ୍ରୋପଚାର ଗୃହ, କଲେଜର ୱେବସାଇଟ୍ ମଧ୍ୟ ନଥିବା ଦର୍ଶାଇ ଏସବୁ ଅଭାବ ପୂରଣ କରିବାକୁ ଏନଏମସି କହିଥିଲା। ଏହିକ୍ରମରେ ଶୁକ୍ରବାର ସୁନ୍ଦରଗଡ଼ ଗସ୍ତରେ ଆସିଥିବା ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ମେଡିକାଲ କଲେଜ ପରିଦର୍ଶନ କରିବା ସହ ଏନଏମସି ଦର୍ଶାଇଥିବା ଅଭାବ, ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ଜିଲ୍ଲାପାଳ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା କରିଥିଲେ। ପ୍ରାଥମିକ ଭାବେ ଏନଟିପିସି ମେଡିକାଲ କଲେଜ ଓ ଜିଲ୍ଲା ହସ୍ପିଟାଲକୁ ନେଇ ମେଡିକାଲ କଲେଜ ଓ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାକୁ ଥିବା ବେଳେ ‘ଏନଏମସି ଟିମ୍ ଭିତ୍ତିଭୂମି ଯାଞ୍ଚ ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ନଥିଲେ।

ତେଣୁ ତାଙ୍କ ରିପୋର୍ଟରେ ମେଡିକାଲ କଲେଜର ଆବଶ୍ୟକ ଭିତ୍ତିଭୂମି, ଶଯ୍ୟା ଓ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ସ୍ଥାନ ପାଇ ନଥିବା କଥା ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ପ୍ରକାଶ କରିଥିଲେ। ଏହି ଅବସରରେ ମେଡିକାଲ କଲେଜ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ମେଡିକାଲ କଲେଜ ପକ୍ଷରୁ ଏନଏମସି ପାଖରେ ଦାଖଲ କରାଯାଇଥିବା ଭିତ୍ତିଭୂମି ଓ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କିତ ସମସ୍ତ ତଥ୍ୟ ମୁଖ୍ୟ ଶାସନ ସଚିବଙ୍କ ଆଗରେ ଉପସ୍ଥାପନ କରାଯାଇଥିଲା। ଏନଏମସିର ମେଡିକାଲ ଆସେସମେଣ୍ଟ ଓ ରେଟିଂ ବୋର୍ଡ ପୁନର୍ବାର ମେଡିକାଲ କଲେଜ ପରିଦର୍ଶନ କରି ସନ୍ତୋଷଜନକ ରିପୋର୍ଟ ଦେବା ପରେ ମେଡିକାଲ କଲେଜ ପାଇଁ ଅନୁମତି ମିଳିପାରେ ବୋଲି କୁହାଯାଉଛି। ତେବେ ରାଜ୍ୟ ସରକାର ଆବଶ୍ୟକ ଭିତ୍ତିଭୂମି ଓ ଆନୁଷଙ୍ଗିକ ବ୍ୟବସ୍ଥା ନକରି ଡାକ୍ତରୀ ପାଠ୍ୟକ୍ରମ ଆରମ୍ଭ କରିବାକୁ କାହିଁକି ଏନଏମସିକୁ ଆବେଦନ କରିଥିଲେ, ତାକୁ ନେଇ ଉଠିଛି ପ୍ରଶ୍ନ। ଏବେ ଏନଏମସି ଚାହିଥିବା ଭିତ୍ତିଭୂମି ଓ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଛି କି ନାହିଁ, ନା ଏପରି କେଁ ରଖି ସୁନ୍ଦରଗଡ଼ ଜିଲ୍ଲାର ଲୋକଙ୍କୁ ମେଡିକାଲ କଲେଜର ଭୁଆଁ ବୁଲାଉଛନ୍ତି, ତାହା ଏନଏମସିର ପରବର୍ତ୍ତୀ ଯାଞ୍ଚ ବେଳେ ଜଣାପଡ଼ିଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe