ରବି, ଖରିଫ ଧାନ ସଂଗ୍ରହ ବାଧାପ୍ରାପ୍ତ ହେବ, କେନ୍ଦ୍ରକୁ ଦାୟୀ କଲେ ମନ୍ତ୍ରୀ

Advertisment
୧୦ ବର୍ଷରେ ଚାଷ ପରିମାଣ ୭ ପ୍ରତିଶତ ହ୍ରାସ

The Financial Express

ଭୁବନେଶ୍ବର : ଚଳିତ ରବିରେ ଧାନ ସଂଗ୍ରହ ବାଧାପ୍ରାପ୍ତ ହୋଇଛି। ଆସନ୍ତା ଖରିଫରେ ମଧ୍ୟ ଏହି ସମସ୍ୟା ଲାଗି ରହିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ଏଥିପାଇଁ ସେ ସିଧାସଳଖ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। ବିଧାନସଭାରେ ବିଧାୟକ ଭୂପିନ୍ଦର ସିଂଙ୍କ ଅଣତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ୨୦୨୨ ମସିହା ଡିସେମ୍ବରରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ ହୋଇଯାଇଛି। ଫଳରେ ରାଜ୍ୟର ୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କ ଉଦ୍ଦେଶ୍ୟରେ ଆବଣ୍ଟନ କରାଯାଉଥିବା ହାରାହାରି ମାସିକ ୧୪ ଲକ୍ଷ ୫ ହଜାର ୪୯୪ କ୍ବିଣ୍ଟାଲ କମ ଆବଣ୍ଟନ ହେବ। ଏହାଦ୍ବାରା ସେହି ବଳକା ଚାଉଳ ରାଜ୍ୟ ସରକାରଙ୍କ ଭଣ୍ଡାରରେ ଗଚ୍ଛିତ ହୋଇ ରହିଯିବ। ଏହା କେନ୍ଦ୍ର ସରକାରଙ୍କ ଭଣ୍ଡାରକୁ ହସ୍ତାନ୍ତର ହୋଇ ନପାରିଲେ ଧାନ ସଂଗ୍ରହ ବାଧାପ୍ରାପ୍ତ ହେବ। ପ୍ରତିବର୍ଷ ଟୋକନ ଲାପ୍ସ ଯୋଗୁଁ ଅନେକ ଚାଷୀ ଧାନ ବିକ୍ରୟ କରିପାରନ୍ତି ନାହିଁ। କଟନିଛଟନି ଏବଂ ଦିନ ଦିନ ଧରି ବିକ୍ରୟ ଯୋଗ୍ୟ ଧାନ ମଣ୍ଡିରେ ଧାନ ପଡ଼ି ରହିବା ଫଳରେ ଚାଷୀ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଧାନ ସଂଗ୍ରହ ବାଧାପ୍ରାପ୍ତ ହେଲେ ଉଭୟ ଚାଷୀ ଏବଂ ଖାଉଟିଙ୍କ ପାଇଁ ଏହା ଶକ୍ତ ଧକ୍କା ହେବ ବୋଲି ମନ୍ତ୍ରୀ ଆଶଙ୍କା ପ୍ରକାଶ କରିଛନ୍ତି।

ଯୋଗାଣ ବିଭାଗର ସୂଚନା ଅନୁସାରେ, ଚଳିତ ରବିରେ ୧୪ ଲକ୍ଷ ୮୬ ହଜାର ୪୦୨ ଚାଷୀଙ୍କ ଠାରୁ ସମୁଦାୟ ୬ କୋଟି ୫୦ ଲକ୍ଷ ୨୧ ହଜାର ୪୮୦ କ୍ବିଣ୍ଟାଲ ଧାନ ସଂଗ୍ରହ ହୋଇଛି। ମାର୍ଚ୍ଚ ୩୦ ରେ ରାଜ୍ୟରେ ବିଧିବଦ୍ଧ ଭାବରେ ମଣ୍ଡି ବନ୍ଦ ହୋଇଯିବ। ଅଧିକାଂଶ ଜିଲ୍ଲାରେ ଧାନ ସଂଗ୍ରହ ମଧ୍ୟ ବନ୍ଦ ହୋଇ ସାରିଛି। ଏହା ସତ୍ତ୍ବେ ପଞ୍ଜୀକୃତ ୧ ଲକ୍ଷ ୭୩ ହଜାର ୬୬୯ ଚାଷୀ ଧାନ ବିକ୍ରି କରି ନାହାନ୍ତି। ଗଞ୍ଜାମ ସମେତ ଅନେକ ଜିଲ୍ଲାରେ ଧାନ ବିକ୍ରି ପୂର୍ବରୁ ଟୋକନ ଲାପ୍ସ ହୋଇସାରିଛି। ଏଫ୍‌ସିଆଇର ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ତିନି ବର୍ଷରେ କେନ୍ଦ୍ର ପକ୍ଷରୁ ରାଜ୍ୟକୁ ୧୧.୪୩ ଲକ୍ଷ, ୧୫.୪୬ ଲକ୍ଷ, ୧୨.୧ ଲକ୍ଷ ମେଟ୍ରିକ ଟନର ଚାଉଳ ଆବଣ୍ଟିତ କରିଥିଲା। ୨୦୨୦, ୨୧ ମସିହାରେ ଓଡ଼ିଶା ୧୦୦ ପ୍ରତିଶତ ଏବଂ ୨୦୨୨ ମସିହା (ଅକ୍ଟୋବର ପର୍ଯ୍ୟନ୍ତ) ୭୩ ପ୍ରତିଶତ ଚାଉଳ ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe