କୋରାପୁଟ: ରବି ଧାନ ଚାଷ ପାଇଁ ଚାଷୀ ପୁରା ଦମରେ ଲାଗିପଡ଼ିଛନ୍ତି। ୨୦୨୫-୨୬ବର୍ଷରେ ଜିଲ୍ଲାରେ ଧାନ ୨୦ହଜାର ୮୨୦ ହେକ୍ଟରରେ ଚାଷ କରାଯାଉଛି। ଜୟପୁର ଉପଖଣ୍ଡରେ ୧୮ହଜାର ୮୦୦ହେକ୍ଟର ଓ  କୋରାପୁଟ ଉପଖଣ୍ଡରେ ୨୦୨୦ହେକ୍ଟର ଜମିରେ ରବି ଚାଷ ହେଉଥିବା ସୂଚନା ମିଳିଛି।  

Advertisment

ଚାହିଦା ମୁତାବକ କୃଷି ଶ୍ରମିକ ମିଳୁ ନାହାନ୍ତି। ପରିବାରବର୍ଗ ସହ ଅନ୍ୟ ଅଞ୍ଚଳର ଶ୍ରମିକଙ୍କୁ ଅଧିକା ମଜୁରୀ  ସହ ଆଟୋରେ ନେବା ଆଣିବା , ଖାଇବାକୁ ଦେଇ ଧାନ ରୁଆ କାମ ଆରମ୍ଭ କରାଯାଉଛି।

ଜିଲ୍ଲାରେ ଚାଷୀମାନେ ସରକାରୀ ବିହନକୁ ଅପେକ୍ଷା ନ କରି ହାଇବ୍ରିଡ୍ ଧାନ ବିହନ, ଘରୋଇ କମ୍ପାନିର ରାସୟନିକ ସାର ପକାଇ ଚାଷ ଆରମ୍ଭ କରିସାର‌ିଲେଣି। କେଉଁଠି ହଳ ତ ଆଉ କେଉଁଠି ପାୱରଟିଲର, ଟ୍ରାକ୍ଟର ଲଗାଇ କାଦୁଅ  କରାଯାଉଛି। ଗତ କିଛି ଦିନ ହେବ ଧାନ ରୁଆ  ବି ଆରମ୍ଭ ହୋଇଛି।  

ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରବିଚାଷ ୨୦୨୫-୨୬ବର୍ଷ ପାଇଁ କେତେ ଚାଷ ହେବ ‌ତାହାର ସମ୍ପୂର୍ଣ୍ଣ ବିବରଣୀ ଓ ଯୋଜନା ପ୍ରସ୍ତୁତ କରାଯାଇଛି।  ଜିଲ୍ଲାରେ ଏବର୍ଷ ଖାଦ୍ୟଶସ୍ୟ ବର୍ଗରେ ୨୫ହଜାର ୯୪୦ହେକ୍ଟର ଓ ଡାଲି, ତୈଳବୀଜ , ମସଲା, ଆଖୁ,ଲେମନଗ୍ରାସ ଆଦି ୬୧ହଜାର ୩୪୦ହେକ୍ଟର ଏଭଳି ସର୍ବମୋଟ ୮୭ହଜାର ୨୮୦ହେକ୍ଟର ଜମିରେ ଚାଷ କରାଯାଉଛି। ଉପ‌ରକୋଲାବ ଜଳସେଚନ ପ୍ରକଳ୍ପ, କ୍ଷୁଦ୍ର ଜଳସେଚନ ସହ ବିଭିନ୍ନ ଜଳସ୍ରୋତରୁ ୭୪ହଜାର ୫୭୦ହେକ୍ଟର ଜମିକୁ ପାଣି ମାଡ଼ୁଥିବା କହିଛନ୍ତି ମୁଖ୍ୟଜିଲ୍ଲା କୃଷି ଅଧିକାରୀ ।

୧୨ହଜାର ୭୧୦ହେକ୍ଟର ଜମିରେ ପାଣି ମାଡୁ ନଥିଲେ ହେଁ ଜମି ଗୁଡିକର ଆଦ୍ରାତା ଓ ଖାଲଜମି ହୋଇଥିବାରୁ ଏଥିରେ ସେଭଳି ଚାଷ କରାଯାଉଛି। ଗତ ଚାରି ବର୍ଷ ହେବ ତେଲିଙ୍ଗିରୀ ମଧ୍ୟମ ଜଳସେଚନ ପ୍ରକଳ୍ପ ଏହି ବର୍ଷ ୪ହଜାର ୨୬୪ହେକ୍ଟର ଜମିରେ ଚାଷ କରାଯାଉଥିବା ବେଳେ ଏବର୍ଷ ସ୍ପିଲୱେ ମରାମତି ପାଇଁ ବନ୍ଦ ରହିଛି। ଗତ ବର୍ଷ ତୁଳନାରେ ଏହି ବର୍ଷ ଧାନ୪୫୦୦ହେକ୍ଟର କମ୍ ଚାଷ କରାଯାଉଛି। ଖାସ୍ କରି ଧାନର ଉତ୍ପତ୍ତିସ୍ଥଳୀ ଜୟପୁର ଉପଖଣ୍ଡର ଜୟପୁର, ବୋରିଗୁମ୍ମା, କୋଟପାଡ ଅଂଚଳରେ ଉପରକୋଲାବ ଜଳସେଚନ ପ୍ରକଳ୍ପ ଦ୍ବାରା ଜଳ ଜମିରେ ମାଡୁଥିବାରୁ ଚାଷୀମାନେ ହାଇବ୍ରିଡ୍ ବିହନ  ତଳି ପକାଇଛନ୍ତି।

ଏହା ଦ୍ବାରା କମ ଦିନରେ ଧାନ ଉତ୍ପାଦନ ହେଉଥିବାରୁ ଏହି ଧାନକୁ ପ୍ରାଧାନ୍ୟ ଦିଆଯାଉଛି ବୋଲି ଚାଷୀମାନେ କହିଛନ୍ତି। ସେହିପରି କୋରାପୁଟ ଉପଖଣ୍ଡରେ କିଛି ଚାଷୀ ନାଳ ପାଣି ତଥା କିଛି ଉପରକୋଲାବ ଜଳଭଣ୍ଡାରରୁ ଉଠା ଜଳସେଚନ ବ୍ୟବସ୍ଥାରେ ପାଣି ଉଠାଇ ଚାଷ କରୁଛନ୍ତି।

ଅଧିକ ପଢ଼ନ୍ତୁ: ଶିକ୍ଷା ଆଉ ଏକ ସମସ୍ୟା ନୁହେଁ, କିନ୍ତୁ ପ୍ରକୃତ ଚ୍ୟାଲେଞ୍ଜ ହେଉଛି ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା: ମୁଖ୍ୟମନ୍ତ୍ରୀ

ଏଥରକ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରବିଚାଷ ପାଇଁ ଖାଦ୍ୟଶସ୍ୟ ବିହନ ୪୧୦୦କ୍ୟୁଣ୍ଟାଲ ଓ ଅନ୍ୟାନ୍ୟ ବିହନ ୫୪୦କ୍ୟୁଣ୍ଟାଲ ଏଭଳି ବିଭିନ୍ନ ବିତରକଙ୍କ ନିକଟରେ ବିକ୍ରି ପାଇଁ ଦିଆଯାଇଥିଲା।  ସେହିଭଳି ବିଭିନ୍ନ ବିତରକଙ୍କୁ ୟୁରିଆ ୬୫୦୦ମେଟ୍ରିକ ଟନ, ଏସଏସପି ୬୦୦ଏମଟି, ଡିଏପି ୩୫୦୦ଏମଟି, ଏମଓପି ୧୦୦୦ଏମଟି, କ‌ମ୍ପ୍ଲେକ୍ସ ୩୨୦୦ଏମଟି ଏଭଳି ୧୪ହଜାର ୮୦୦ଏମଟି ସାର ଯୋଗାଇ ଦିଆଯାଇଥିବା   ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।

ଅଧିକ ପଢ଼ନ୍ତୁ: \ଦୁର୍ଘଟଣାରେ ପ୍ରାଣ ହରାଇଥିବା ତିନି ମୃତକଙ୍କୁ କ୍ୟାଣ୍ଡେଲ ଶୋଭାଯାତ୍ରା କରି ଶ୍ରଦ୍ଧାଞ୍ଜଳି ଜଣାଇଲେ କଳିଙ୍ଗାବାସୀ