Image Courtesy of India Today
ଡେଲାଙ୍ଗ : ଜେଲ୍ ୱାର୍ଡର ପଦବି ନିମନ୍ତେ ଅନୁଷ୍ଠିତ ୧୬୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇଥିବା ଜଣେ ଚାକିରି ଆଶାୟୀ ଯୁବକ ପ୍ରାଣ ହରାଇଛନ୍ତି। ଦୌଡ଼ୁଥିବା ସମୟରେ ସେ ଅସୁସ୍ଥ ହୋଇପଡ଼ିଥିଲେ, ପରେ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ଏହି ଯୁବକ ଜଣକ ହେଲେ, ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଚାଇଁପୁର ପଞ୍ଚାୟତର ଗୋରଡ଼ାପୀଢ଼ ଗ୍ରାମର ଅନୀଲ ପରିଡ଼ା (୨୫)। ମଙ୍ଗଳବାର ଦିନ ଭୁବନେଶ୍ବରସ୍ଥିତ ଓଏସ୍ଏପି କ୍ୟମ୍ପସ୍ରେ ଜେଲ୍ ୱାର୍ଡର ପଦ ପାଇଁ ଅନୁଷ୍ଠିତ ୧୬ ଶହ ମିଟର ଦୌଡ଼ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଅନୀଲ। ଏହିସମୟରେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ସେଠାରୁ ବିଭାଗୀୟ ଅଧିକାରୀମାନେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କିମ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଅନୀଲ ଟିକେ ସୁସ୍ଥ ଅନୁଭବ କରିବାପରେ ସାଙ୍ଗମାନଙ୍କ ସହାୟତାରେ ଗଙ୍ଗପଡ଼ାସ୍ଥିତ ତାଙ୍କ ମାଉସୀ ଘରକୁ ଚାଲିଆସିଥିଲେ। ହେଲେ, ଘରେ ବିଶ୍ରାମ ନେବାର ଘଣ୍ଟାଏ ଭିତରେ ପୁଣି ଅଚେତ ହୋଇପଡ଼ିଥିଲେ। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପରେ ଏମ୍ସ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅନୀଲ ପୂର୍ବରୁ ଭାରତୀୟ ସେନାବାହିନୀ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଦ୍ବିତୀୟ ସ୍ଥାନରେ ରହିଥିଲେ। ସେ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ତାଙ୍କ ବାପା ପ୍ରସନ୍ନ ପରିଡ଼ା ଜଣେ ଦିନମଜୁରିଆ ଭାବେ କାର୍ଯ୍ୟ କରନ୍ତି। ତାଙ୍କ ପରିବାରକୁ ସହାୟତା ଦେବାପାଇଁ ଚାଇଁପୁର ଗ୍ରାମ ପଞ୍ଚାୟତର ଜନସାଧାରଣଙ୍କ ସହିତ ପୂର୍ବତନ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡ଼ା ଦାବି କରିଛନ୍ତି।
Follow Us