ବାରଙ୍ଗ: ନନ୍ଦନକାନନ ପ୍ରତିଷ୍ଠା ଦିବସ ଅବସରରେ ଗତକାଲି ରେଡିଓ ଟ୍ରାନ୍ସମିଟର ଲଗାଇ ଛଡାଯାଇଥିବା ବଜ୍ରକାପ୍ତା ୩ କିଲୋମିଟର ଦୂର ପୁରୁଣା ବାରଙ୍ଗରୁ ଉଦ୍ଧାର ହୋଇଛି। ପୁରୁଣାବାରଙ୍ଗ ଗ୍ରାମର ହରିହର ପ୍ରଧାନତାଙ୍କ ବାରିପଛରେ ବଜ୍ରକାପ୍ତାଟି ବୁଲୁଥିବା ଦେଖି ବାରଙ୍ଗ ଥାନାକୁ ସୂଚନା ଦେଇଥିଲେ। ପୁଲିସ ସେଠାରୁ ଉଦ୍ଧାର କରି ଆଣି ବାରଙ୍ଗ ଥାନାରେ ରଖିଥିଲା । ନନ୍ଦନକାନନର କର୍ମଚାରୀ ମାନେ ଟ୍ରାକିଂ କରିବା ବେଳେ ସିଗନାଲ ବାରଙ୍ଗ ଆଡକୁ ଦେଖାଉଥିଲା ସେମାନେ ସ୍ପଷ୍ଟ ହୋଇଯାଇଥିଲେ ଯେ ବଜ୍ରକାପ୍ତାଟି ନନ୍ଦନକାନନ ପରିସର ବାହାରକୁ ଚାଲିଯାଇଛି। ଅନ୍ଵେଷଣ କରୁଥିବା ବେଳେ ବାରଙ୍ଗ ଥାନା ଅଧିକାରୀ ଆକାଶ ରଣା ରେଡିଓ ଟ୍ରାନ୍ସମିଟର ଲାଗିଥିବା ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଥିବା ସୂଚନା ଦେଇଥିଲେ। ତୁରନ୍ତ ନନ୍ଦନକାନନର ଶିକ୍ଷା ବିଭାଗ ଅଧିକାରୀ ମିଲନ ପଣ୍ଡା ଓ ରାଜେଶ ମହାପାତ୍ର କର୍ମଚାରୀଙ୍କ ସହ ପହଁଚି ବାରଙ୍ଗ ଥାନାରୁ ବଜ୍ରକାପ୍ତାଟିକୁ ନନ୍ଦନକାନନକୁ ଫେରାଇ ଆଣିଛନ୍ତି।
ସୂଚନାଯୋଗ୍ୟ ଗତକାଲି ନନ୍ଦନକାନନର ପ୍ରତିଷ୍ଠା ଦିବସରେ ବଜ୍ରକାପ୍ତାଟି କୁହିମିରାଟାଙ୍କି ଜଙ୍ଗଲରେ ଛଡାଯାଇଥିଲା। ବଜ୍ରକାପ୍ତାଙ୍କର ପ୍ରାକୃତିକ ପରିବେଶରେ ଚଳଣି, ଆଚରଣ ଓ ଅନ୍ୟାନ୍ୟ କ୍ଷୁଦ୍ରଜୀବଙ୍କ ସହ ବ୍ୟବହାର ଜାଣିବା ଉଦ୍ଦେଶ୍ୟରେ ଛଡାଯାଇଥିଲା।ମାତ୍ର ଦିନକ ପରେ ନନ୍ଦନକାନନ ପରିସରର ଜଙ୍ଗଲ ଛାଡି ୩କିମି ଦୂର ଚାଲିଆସିବା ନନ୍ଦନକାନନ କର୍ତୁପକ୍ଷ ଓ କର୍ମଚାରୀଙ୍କୁ ବିସ୍ମିତ କରିଛି।
Follow Us