ବିଜେପି ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୁଣି ବିଜେଡିରେ ଯୋଗଦେଇ ପାରନ୍ତି

ବିଜେପି ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୁଣି ବିଜେଡିରେ ଯୋଗଦେଇ ପାରନ୍ତି

ବସ୍ତା: ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀରୁ ଲଗାତାର ୧୯୯୦ ମସିହାରୁ ୨୦୦୯ ପର୍ଯ୍ୟନ୍ତ ପାଞ୍ଚଥର ନିର୍ବାଚିତ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ନିଜର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଏନେଇ ପତ୍ର ମାଧ୍ୟମରେ ଜଣାଇଛନ୍ତି।

୨୦୦୪ ମସିହାରେ ତତ୍‌କାଳୀନ ପଞ୍ଚାୟତିରାଜ ଓ ସଂସଦ ବ୍ୟାପାର ମନ୍ତ୍ରୀ ସ୍ବର୍ଗତ ଦାମୋଦର ରାଉତଙ୍କ ମନ୍ତ୍ରୀପଦ ଯିବା ପରେ ଶ୍ରୀ ମହାନ୍ତିଙ୍କୁ ଏହି ଦାୟିତ୍ବ ମିଳିଥିଲା। ପରେ ଶ୍ରୀ ମହାନ୍ତି ଆଇନ, ସହର ବିକାଶ, ଶିଳ୍ପ, ମାଇନ୍ସ ଭଳି ବହୁଗୁରୁତ୍ଵ ପୂର୍ଣ୍ଣ ବିଭାଗର ମନ୍ତ୍ରୀପଦ ମିଳିଥିଲା। ୨୦୧୨ ମସିହାରେ ପାରିବାରିକ କଳହ କାରଣରୁ ଶ୍ରୀ ମହାନ୍ତିଙ୍କୁ ମନ୍ତ୍ରୀପଦ ହରାଇବାକୁ ପଡ଼ିଥିଲା। ୨୦୧୪ ମସିହାରେ ଶ୍ରୀ ମହାନ୍ତିଙ୍କ ବଦଳରେ ନିତ୍ୟାନନ୍ଦ ସାହୁଙ୍କୁ ବିଜେଡି ଟିକେଟ ଦେଇଥିଲା। ୨୦୧୭ ମସିହାରେ ଶାସକ ଦଳ ପକ୍ଷରୁ ଶ୍ରୀ ମହାନ୍ତିଙ୍କୁ କ୍ୟାବିନେଟ୍ ସହିତ ଉଠାଜଳସେଚନ ନିଗମ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ମିଳିଥିଲା। ପରେ ନିଜର ଦଳୀୟ ଟିକେଟ ମିଳୁନଥିବା ଜାଣି ଶ୍ରୀ ମହାନ୍ତି ବିଜେଡି ଛାଡି ବିଜେପି ଦଳରେ ସାମିଲ ହୋଇଥିଲେ। ବିଜେପି ତାଙ୍କୁ ବସ୍ତାରୁ ବିଧାୟକ ପ୍ରାର୍ଥୀ କରିଥିଲା। ବସ୍ତାରୁ ଶ୍ରୀ ମହାନ୍ତି ନିତ୍ୟାନନ୍ଦ ସାହୁଙ୍କ ଠାରୁ ପରାସ୍ତ ହୋଇଥିଲେ।

ଚଳିତ ନିର୍ବାଚନରେ ଶ୍ରୀ ମହାନ୍ତି ଜଳେଶ୍ଵର ବିଧାନସଭା ଆସନରୁ ପ୍ରାର୍ଥୀ ହେବାକୁ ପ୍ରୟାସ କରିଥିବା ବେଳେ ଦଳ ତାଙ୍କୁ ଏକ ପ୍ରକାର ନିର୍ଭୟ ସୂଚନା ଦେଉଥିବା ବେଳେ ପର ମୁହୂର୍ତ୍ତରେ ବିଜେଡି ଦଳରୁ ନିଲମ୍ବିତ ହୋଇ ବିଜେପିରେ ସାମିଲ ହୋଇଥିବା ଜଳେଶ୍ଵର ବ୍ଲକ୍ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନଙ୍କୁ ବିଜେପି ଟିକେଟ ଘୋଷଣା କରିଥିଲା, ଯେଉଁଥିରେ ଶ୍ରୀ ମହାନ୍ତି ଅସନ୍ତୁଷ୍ଟ ହୋଇଥିଲେ ବିଜେପି ଦଳର ଛାମୁଆ ନେତା ଶ୍ରୀ ମହାନ୍ତିଙ୍କୁ ବୁଝାଇବାକୁ ଉଦ୍ୟମ କରି କିଛି ଘଣ୍ଟା ସମୟ ମାଗିଥିବା ବେଳେ ପର ମୁହୂର୍ତ୍ତରେ ଦଳୀୟ ଅସହାୟତା ପ୍ରକାଶ କରିଥିବା ବିଶେଷ ସୂତ୍ରରୁ ଜଣାଯାଇଥିଲା। ଆଜି ଶ୍ରୀ ମହାନ୍ତି ବିଜେପିରୁ ଇସ୍ତଫା ଦେଇଥିବା ବେଳେ ଆଗାମୀ ଦିନରେ କେଉଁ ଦଳରେ ସାମିଲ ହେବେ ସେନେଇ କୌଣସି ନିଷ୍ପତ୍ତି ହୋଇନଥିବା ପ୍ରକାଶ କରିଛନ୍ତି। ତେବେ ଆସନ୍ତାକାଲି ଶ୍ରୀ ମହାନ୍ତି ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ତାଙ୍କର ସମର୍ଥକ ମହଲରେ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe