୧୧୭ ବର୍ଷ ଧରି ହୋଇନି ମହାପ୍ରଭୁଙ୍କ ରଘୁନାଥ ବେଶ, ଦୁର୍ଲଭ ବେଶ ଦର୍ଶନରୁ ବଞ୍ଚିତ ଭକ୍ତ

Advertisment

ରତ୍ନଭଣ୍ଡାର ଅଡ଼ୁଆ ପାଇଁ ପଛଘୁଞ୍ଚା ଦେଉଛି କି ପ୍ରଶାସନ

ରତ୍ନଭଣ୍ଡାର ଅଡ଼ୁଆ ପାଇଁ ପଛଘୁଞ୍ଚା ଦେଉଛି କି ପ୍ରଶାସନ

୧୧୭ ବର୍ଷ ଧରି ହୋଇନି ମହାପ୍ରଭୁଙ୍କ ରଘୁନାଥ ବେଶ, ଦୁର୍ଲଭ ବେଶ ଦର୍ଶନରୁ ବଞ୍ଚିତ ଭକ୍ତ

Twitter

ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ରଘୁନାଥ ବେଶ ଅନନ୍ୟ ଓ ଅଭିନ୍ନ। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ ତିଥି ପୁଷ୍ୟାନକ୍ଷତ୍ର ଯୁକ୍ତ ହୋଇଥିଲେ ଶ୍ରୀଜଗନ୍ନାଥଙ୍କ ରଘୁନାଥ ବେଶ ଅନୁଷ୍ଠିତ ହୋଇଥାଏ। ବହୁ ବର୍ଷର ବ୍ୟବଧାନରେ ଏଭଳି ଦୁର୍ଲଭ ବେଶ ଯୋଗ ପଡ଼ୁଥିବାରୁ ଭକ୍ତମାନେ ଏହି ବେଶ ଦର୍ଶନ ପାଇଁ ଅନାଇ ରହିଥାନ୍ତି। କିନ୍ତୁ ବହୁବାର ଏହି ତିଥି ଅତିକ୍ରାନ୍ତ କରିଥିଲେ ବି ଶ୍ରୀମନ୍ଦିର ପ୍ରଶାସନର ଇଚ୍ଛାଶକ୍ତିର ଅଭାବ ବା ହେୟଜ୍ଞାନ କାରଣରୁ ଗତ ୧୧୭ ବର୍ଷ ଧରି ଏହି ଦୁର୍ଲଭ ବେଶ ଦର୍ଶନରୁ ଭକ୍ତ ବଞ୍ଚିତ ହୋଇଛନ୍ତି। କ୍ରମେ ଜନମାନସରୁ ବି ଏହି ଦୁର୍ଲଭ ବେଶ ହଜିଯିବାକୁ ବସିଲାଣି। ଯାହା ଶ୍ରୀଜଗନ୍ନାଥ ପ୍ରେମୀ, ସେବାୟତ, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ, ପରିଚାଳନା କମିଟି ସଦସ୍ୟଙ୍କୁ ଆନ୍ଦୋଳିତ କରିଛି। ସମନ୍ବୟ ଓ ଇଚ୍ଛାଶକ୍ତିର ଅଭାବ ଏହାର ପ୍ରମୁଖ କାରଣ ବୋଲି ସେବାୟତ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଅଭିଯୋଗ କରିଛନ୍ତି। ସେପଟେ ରତ୍ନଭଣ୍ଡାର ଅଡ଼ୁଆ ପାଇଁ ଏଭଳି ଏକ ନିଆରା ବେଶକୁ ଜାଣିଶୁଣି କରାଯାଉନି ବୋଲି ଭକ୍ତମାନେ ଅଭିଯୋଗ କରିଛନ୍ତି। ଭଗ୍ନ ଅବସ୍ଥାରେ ଥିବା ରତ୍ନଭଣ୍ଡାରକୁ ନେଇ ଦିନକୁ ଦିନ ସନ୍ଦେହ ବଢ଼ୁଥିବାବେଳେ ଜାଣିଶୁଣି ରଘୁନାଥ ବେଶ କରିବାକୁ ପ୍ରଶାସନ ଅନିଚ୍ଛା ପ୍ରକାଶ କରୁଛି ବୋଲି ଅଭିଯୋଗ ହୋଇଛି।

publive-image

ଶ୍ରୀମନ୍ଦିରରେ ବୈଶାଖ ମାସରେ ରାମଜନ୍ମ ପାଳନ ଅବସରରେ ଚୈତ୍ର ଶୁକ୍ଳ ନବମୀ ତିଥିରେ ରାମାଭିଷେକ ଉତ୍ସବରେ ମହାପ୍ରଭୁ ରଘୁନାଥ ବେଶରେ ଦର୍ଶନ ଦେଇଥାନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ରାମ ଓ ବଡ଼ଠାକୁର ଶ୍ରୀବଳଭଦ୍ର ଲକ୍ଷ୍ମଣଙ୍କ ରୂପରେ ରତ୍ନ ସିଂହାସନରେ ବିରାଜମାନ କରିଥାନ୍ତି। ଶ୍ରୀରାମଚନ୍ଦ୍ର ରୂପୀ ଜଗନ୍ନାଥଙ୍କ ବାମ ପାର୍ଶ୍ୱରେ ଭରତ, ଶତ୍ରୁଘ୍ନ ଠିଆ ହୋଇ ଚାମର ଓ ଛତ୍ରୀ ଧରିଥିବାବେଳେ ବଡ଼ଠାକୁରଙ୍କ ଦକ୍ଷିଣରେ ବ୍ରହ୍ମା, ବଶିଷ୍ଠ ଦଣ୍ଡାୟମାନ ହୋଇଥାନ୍ତି। ଶ୍ରୀରାମଚନ୍ଦ୍ରଙ୍କ କୋଳରେ ଶ୍ରୀଦେବୀ ସୀତା ରୂପେ ଉପବେଶନ କରନ୍ତି। ହନୁମାନ ସମ୍ମୁଖରେ କର ଯୋଡି ବସିଥାନ୍ତି। ସିଂହାସନ ଆଗକୁ ଅଙ୍ଗଦ ଚାମର ଧରି ବସିଥାନ୍ତି। ସେହିଭଳି ଜାମ୍ବବାନ, ବିଭୀଷଣ, ନଳ, ନୀଳ, ବାନର ଦଳ ବସିଥାନ୍ତି। ମା’ ସୁଭଦ୍ରା କେବଳ ସୁନାବେଶରେ ସଜ୍ଜିତ ହୋଇଥାନ୍ତି। ରାମଚନ୍ଦ୍ର, ଲକ୍ଷ୍ମଣ ସୁନାର ଧନୁ-ତୀର ଧାରଣ କରିଥାନ୍ତି। ଉଭୟ ବିଗ୍ରହ ହାର, ବାଲା, ବାଜୁ ଆଦି ସୁନାର ଅଳଙ୍କାର ପରିଧାନ କରିଥାନ୍ତି। ବିରାଟ ଆକାରର ସାଜସଜ୍ଜା ହୁଏ।

୨୦୧୮ ମସିହାରେ ଏ ସମ୍ପର୍କରେ ଖବର ପ୍ରକାଶ ପରେ ତତ୍କାଳୀନ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ୨୦୨୦ ମସିହାରେ ମହାପ୍ରଭୁଙ୍କ ରଘୁନାଥ ବେଶ ‌ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କୋଭିଡ୍‌ ଆଳରେ ଏହି ବର୍ଷ ରଘୁନାଥ ବେଶ ପ୍ରତିଶ୍ରୁତିକୁ ଭୁଲିଗଲା ଶ୍ରୀମନ୍ଦିର ପ୍ରଶାସନ।

publive-image

ବରିଷ୍ଠ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି, ଠାକୁରଙ୍କର ଏହି କମନୀୟ ବେଶ ସମୁଦାୟ ୯ ଥର ହୋଇଥିବା ନେଇ ଐତିହାସିକ ତଥ୍ୟରୁ ଜଣାପଡ଼େ। ଏହି ବେଶ ପ୍ରଥମ ଥର ୧୫୭୭ ମସିହାରେ ଅନୁଷ୍ଠିତ ହୋଇଥିଲା। ପରେ ୧୭୩୯, ୧୮୦୯, ୧୮୩୧, ୧୮୪୨, ୧୮୫୦, ୧୮୯୩, ୧୮୯୬ ମସିହାରେ ‌ଏହି ବେଶ ଅନୁଷ୍ଠିତ ହୋଇଥିଲା। ଶେଷ ଥର ୧୯୦୫ ମସିହା ମେ ୪ ତାରିଖରେ ମହାପ୍ରଭୁ ଭକ୍ତଙ୍କୁ ଏହି ଦୁର୍ଲଭ ବେଶରେ ଦର୍ଶନ ଦେଇଥିଲେ। ଏହା ପରଠାରୁ ଆଉ ମହାପ୍ରଭୁଙ୍କୁ ଏହି ବେଶ କରାଯାଇନି। ମହାପ୍ରଭୁଙ୍କ ଏହି ବେଶ କରିବାକୁ ହେଲେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର‌ ଖୋଲିବାକୁ ପଡ଼ିବ। କାରଣ ମହାପ୍ରଭୁଙ୍କ ଏହି ବେଶସାମଗ୍ରୀ ଭିତର ରତ୍ନଭଣ୍ଡାରରେ ଗଚ୍ଛିତ ରହିଛି। ଯଦି ସାମୁହିକ ଇଚ୍ଛା ରହିବ, ତେବେ ଭକ୍ତମାନେ ନିଶ୍ଚିତ ଏହି ବେଶ ଦର୍ଶନର ସୌଭାଗ୍ୟ ଅର୍ଜି ପାରିବେ। କାରଣ ୧୧୭ ବର୍ଷ ଏକ ଲମ୍ବା ସମୟ। ଏବେ ବି ଅନେକ ବୃଦ୍ଧବୃଦ୍ଧା ଏହି ବେଶ ଦର୍ଶନ କରିବା ପାଇଁ ଅନାଇ ବସିଛନ୍ତି। କିନ୍ତୁ କେହି ବି ଏହି ବେଶ ପ୍ରସଙ୍ଗ ଉଠାଉନାହାନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟି, ପ୍ରଶାସନ, ଭକ୍ତ ଆଦିଙ୍କ ଯଦି ସାମୁହିକ ପ୍ରଚେଷ୍ଟା ରହିବ, ତେବେ ମୃତ୍ୟୁ ପୂର୍ବରୁ ଏହି ବେଶ ଦର୍ଶନର ଆକାଂକ୍ଷା ରଖିଥିବା ବୃଦ୍ଧବୃଦ୍ଧାମାନେ ଏହି ବେଶ ଦର୍ଶନ କରିପାରିବେ ବୋଲି ଡ. ଦାଶ କହିଛନ୍ତି।

ଶ୍ରୀମନ୍ଦିର ପରିଚାଳନା କମିଟି ବରିଷ୍ଠ ସଦସ୍ୟ ମାଧବ ଚନ୍ଦ୍ର ପୂଜାପଣ୍ଡା ସାମନ୍ତ କହିଛନ୍ତି, ରଘୁନାଥ ବେଶ ଦର୍ଶନ କରିବାର ଇଚ୍ଛା ସମସ୍ତଙ୍କର ରହିଛି। ସେତେବେଳେ ପୁଷ୍ପାଳକମାନେ ଏହି ବେଶ କରୁଥିଲେ। ସେ ସମୟରେ ଯେଉଁମାନେ ଏହି ବେଶ କରିଥିଲେ, ସେମାନେ ଆଉ ନାହାନ୍ତି। ଅନ୍ୟପଟେ କେବଳ ରଘୁନାଥ ବେଶ ନୁହେଁ, ଏଭଳି ଅନେକ ଦୈନିକ ନୀତିକାନ୍ତି ରହିଛି ଯାହା ପ୍ରଶାସନିକ ଇଚ୍ଛାଶକ୍ତି ଅଭାବରୁ ହଜିଗଲାଣି। ଏ ଦିଗରେ ସମନ୍ବୟ ଓ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି। ଯଦି ଏହି ବେଶ କରିବାକୁ କାହାରି ଆଗ୍ରହ ନ ଥିବ, ତେବେ କାହାକୁ ବା କହିବା ବୋଲି ଶ୍ରୀ ପୂଜାପଣ୍ଡା ସାମନ୍ତ ପ୍ରଶ୍ନ କରିଛନ୍ତି। ଯଦି ଅନ୍ୟ ପରିଚାଳନା କମିଟି ସଦସ୍ୟ ଏହି ପ୍ରସଙ୍ଗ ଆସନ୍ତା ୪ ତାରିଖ ପରିଚାଳନା କମିଟି ବୈଠକରେ ଉଠାନ୍ତି, ତେବେ ମୁଁ ବି ଏଥିରେ ସହମତି ଜଣାଇବି ବୋଲି ଶ୍ରୀ ପୂଜାପଣ୍ଡା ସାମନ୍ତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe