ଭୁବନେଶ୍ବର: ଗତ ୨୫ ତାରିଖରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଭୁବନେଶ୍ବର ଗସ୍ତରେ ଆସିଥିଲେ। ପ୍ରତି ମାସରେ ଥରୁଟିଏ ଓଡ଼ିଶା ଗସ୍ତ କରିବେ ବୋଲି ସେ ତମାଣ୍ଡୋ ମିନି ଷ୍ଟାଡିୟମରେ ଅନୁଷ୍ଠିତ ପରିବର୍ତନ ସଂକଳ୍ପ ସମାବେଶରେ ଘୋଷଣା କରିଥିଲେ। ଆସନ୍ତାକାଲି ସେ ପୁନର୍ବାର ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ସେ ପଶ୍ଚିମ ଓଡ଼ିଶାର ୨ଟି ସ୍ଥାନ ଭବାନୀପାଟଣା ଓ ରାଉରକେଲା ଗସ୍ତ କରି ସେଠାରେ ସାଧାରଣ ସଭାରେ ଉଦ୍ବୋଧନ ଦେବେ। ତାଙ୍କର ପୂର୍ବ ଗସ୍ତର ୧୨ ଦିନରେ ସେ ପୁନର୍ବାର ଆସୁଥିବାରୁ ଏହା ରାଜ୍ୟ କଂଗ୍ରେସ କର୍ମୀ ମହଲରେ ବ୍ୟାପକ ଉତ୍ସାହ ସୃଷ୍ଟି କରିଥିବା ଦେଖିବାକୁ ମିଳୁଛି। ପ୍ରଦେଶ କଂଗ୍ରେସ କମିଟି ସୂତ୍ରରୁ ଜଣାଯାଇଛି, ଆସନ୍ତାକାଲି ପୂର୍ବାହ୍ନ ପ୍ରାୟ ୧୧ଟାରେ ରାହୁଲ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ଅନୁଷ୍ଠିତ ହେବାକୁ ଥିବା ଜନ ସମାବେଶରେ ଉଦ୍ବୋଧନ ଦେବେ। ଅପରାହ୍ଣ ପ୍ରାୟ ୨ଟାରେ ସେ ସୁନ୍ଦରଗଡ଼ ଜିଲ୍ଲା ଇସ୍ପାତ ନଗର ରାଉରକେଲାରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ସଭାରେ ଉଦ୍ବୋଧନ ଦେବେ। ଉଭୟ ସ୍ଥାନ ଆଦିବାସୀ ବହୁଳ ହୋଇଥିବାରୁ ସେ ଅନୁସୂଚିତ ଜନଜାତିଙ୍କ ବିଭିନ୍ନ ସମସ୍ୟା ପ୍ରସଙ୍ଗ ଉଠାଇପାରନ୍ତିି। ଭୁବନେଶ୍ବରର ପରିବର୍ତନ ସଂକଳ୍ପ ସମାବେଶ ଭଳି କୃଷି ଓ କୃଷକ ସମସ୍ୟା ଆସନ୍ତାକାଲି ତାଙ୍କ ବକ୍ତବ୍ୟରେ ମୁଖ୍ୟ ପ୍ରସଙ୍ଗ ହେବ ବୋଲି କୁହାଯାଉଛି। ରାଜ୍ୟ ଓ ଜିଲ୍ଲା କଂଗ୍ରେସ କର୍ମକର୍ତାମାନେ ପ୍ରବଳ ଉତ୍ସାହ ସହକାରେ ଉଭୟ ସଭାର ଆୟୋଜନରେ ଲାଗି ପଡ଼ିଥିବା ଦେଖିବାକୁ ମିଳୁଛି।
ଆଜି ରାହୁଲଙ୍କ ଭବାନୀପାଟଣା,ରାଉରକେଲା ଗସ୍ତ
Advertisment
Follow Us