ଭୁବନେଶ୍ବର: ପୁଣି କମିଯିବ କି କଂଗ୍ରେସର କ୍ରେଜ୍ ? ବିଗତ କିଛି ବର୍ଷ ହେଲା କଂଗ୍ରେସ ଯେଉଁ କୋମାରେ ଥିଲା ଏବେ ପୁଣି କର୍ମୀଙ୍କ କଳଙ୍କିତ ଅଧ୍ୟାୟ ଆଗକୁ ଆସିବା ପରେ ପୁଣିଥରେ କଂଗ୍ରେସ ତା ପୂର୍ବାବସ୍ଥାକୁ ଫେରିଯିବ କି ? ଏ କଥା ଆଜି ଏଥିପାଇଁ ଚର୍ଚ୍ଚା ହେଉଛି କାରଣ ରାଜଧାନୀର ରାସ୍ତା କଡରେ ଦେଖିବାକୁ ମିଳିଛି କଂଗ୍ରେସ ବିରୋଧୀ ବେନାମୀ ପୋଷ୍ଟର । ଭୁବନେଶ୍ବରର ଛକ ଛକରେ ଏଭଳି ପୋଷ୍ଟର ଦେଖିବାକୁ ମଳିଛି ।
କିଏ ଓ କାହିଁକି ଏ ପୋଷ୍ଟର ମାରିଛି ତାହା ଜଣାପଡିନଥିବା ବେଳେ ଏକଥା ସ୍ପଷ୍ଟ ବାରି ହେଇ ପଡୁଛି କି କଂଗ୍ରେସକୁ ପୁଣି ଥରେ ବଦନାମ କରି, କଂଗ୍ରେସର କଟା ଘା’ରେ କେହି ଚୂନ ମାରି ଚିତ୍କାର କରୁଥିବା କଂଗ୍ରେସର ସ୍ବରକୁ ଚାପି ଦଳକୁ ପୁଣି ଥରେ ଚୁନା ଚୁନା କରିଦେବାକୁ ବଡ଼ ଷଡଯନ୍ତ୍ର ରଚାଯାଇଛି ।
ବିଗତ କିଛି ଦିନ ହେଲା କଂଗ୍ରେସ ଯେଉଁ ଭଳି ଭାବେ ଆଗ୍ରେସିଭ୍ ମୁଡରେ ରହୁଛି ଏବଂ ଭିନ୍ନ ଭିନ୍ନ ପ୍ରସଙ୍ଗରେ ଯେମିତି ଭାବେ ଆକ୍ରମଣାତ୍ମକ ମୂଦ୍ରାରେ ସରକାରଙ୍କୁ ଘେରୁଛି ସେଥିରୁ ସ୍ପଷ୍ଟ ବାରି ହେଇ ପଡୁଛି କିଂ କଂଗ୍ରେସ ଆଉ ଆଗ ଭଳି ନାହିଁ । ମଙ୍ଗୁଆଳ ବଦଳିବା ପରେ ମନ ବି ବଦଳିଛି, କର୍ମୀଙ୍କ ମନ ବି ମିଶିଛି ଆଉ- ‘କଂଗ୍ରେସ୍ କମିଂ’ ପାଇଁ ଚେଷ୍ଟା ବି ଚାଲିଛି ।
ଯେତେବେଳେ ଦଳ ବଳ ଘେନି ଭକ୍ତ ଦାସ କଂଗ୍ରେସର ଭାର ବୋହି ଆଗକୁ ମାଡୁଛନ୍ତି ଆଉ ଓଡିଶାରେ ଦୀର୍ଘ ଦିନ ଧରି ସୁପ୍ତ ‘ହାତ’କୁ ଜାଗ୍ରତ କରିବାକୁ ଚେଷ୍ଟା ଚଳାଇଛନ୍ତି ଠିକ୍ ସେତେବେଳେ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଏବଂ ତାଙ୍କୁ ଗିରଫ କରିବା ଘଟଣା ହୁଏତ କଂଗ୍ରେସକୁ ପୁଣି ଥରେ ବ୍ୟାକ୍ ଫୁଟକୁ ଠେଲିଦେବ ।
ସେ ଗୋପାଳପୁର ଗଣଦୁଷ୍କର୍ମ କଥା କୁହନ୍ତୁ କି ବାଲେଶ୍ବର ଛାତ୍ରୀ ଆତ୍ମହୁତି ଅବା ବଳଙ୍ଗାରେ ନାବାଳିକାଙ୍କୁ ଜାଳିଦେବା ଘଟଣା.. ନାରୀ ସୁରକ୍ଷା ପାଇଁ ପୂରା କଂଗ୍ରେସର ପଟୁଆର ସରକାରଙ୍କୁ ଘେରିବାକୁ ଜି ଜାନ୍ ଲଗେଇ ଦେଇଥିବା ବେଳେ ଉଦିତ ପ୍ରଧାନଙ୍କ ପ୍ରସଙ୍ଗ କଂଗ୍ରେସର ଗତିରେ ବ୍ରେକ୍ ଦେଇଛି ।
ଆଉ ଇତି ମଧ୍ୟରେ କଂଗ୍ରେସକୁ ନେଇ ବିରୋଧର ଚିତ୍ର ରାଜଧାନୀର ଛାତି ଉପରେ ଦେଖିବାକୁ ମିଳିଛି । ଭକ୍ତ ଦାସ ଇସ୍ତଫା ଦିଅ...ବ ଏ କଟ ଏନଏସୟୁଆଇ ଲେଖାଥିବା ପୋଷ୍ଟର ରାଜଧାନୀର ବିଭିନ୍ନ ଛକରେ ଦେଖିବାକୁ ମିଳିଛି । ପୋଷ୍ଟରରେ ରାହୁଲ ଗାନ୍ଧୀ ଓ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରାଧନଙ୍କ ଫଟୋ ଥିବା ବେଳେ ଜଣେ ଦେଶଦ୍ରୋହୀ ଓ ଅନ୍ୟ ଜଣେ ବଳାତ୍କାରୀ ବୋଲି ଲେଖା ଯାଇଛି । ତେବେ ଏହି ପୋଷ୍ଟର କିଏ ଲଗାଇଛି ତାହା ଯଦିଓ ସ୍ପଷ୍ଟ ହୋଇ ନାହିଁ । କିନ୍ତୁ ମହିଳା ସୁରକ୍ଷା ପ୍ରସଙ୍ଗକୁ କଂଗ୍ରେସ ରାଜ୍ୟର ମୁଖ୍ୟ ମୁଦ୍ଦା କରି ସରକାରଙ୍କୁ ପ୍ରତିଦିନ ଘେରୁଥିବା ବେଳେ ଏବେ ଏହି ପୋଷ୍ଟରକୁ ନେଇ ଚର୍ଚ୍ଚା ସୃଷ୍ଟି ହେଉଛି ।
ଅଧିକ ପଢନ୍ତୁ-
ଅନ୍ୟପଟେ ଏହି ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଦାସ । କହିଛନ୍ତି-
ଛୋଟ ଲୁଚକାଳି ଖେଳକୁ ମୁଁ ଡରେନି । ବିଜେପି ଛୁଆଙ୍କୁ ଲଗେଇ ଲୁଚିକି ସହରରେ ମୋ ପୋଷ୍ଟର ମାରିଛନ୍ତି । ଯାହା ହଉ ବିଜେପିକୁ ଧନ୍ୟବାଦ ଆମ ପୋଷ୍ଟର ମାରିଛି । କଂଗ୍ରେସର କାର୍ଯ୍ୟକ୍ରମକୁ ଦେଖି ସରକାର ଭୟଭୀତ ବୋଲି ଭକ୍ତ ପ୍ରତି ଆକ୍ରମଣ କରିଥିବା ବେଳେ କହିଛନ୍ତି- ମୁଁ ପଛକୁ ହଟିବି ନାହିଁ । ଏବେ ମୋର ଆନ୍ଦୋଳନାତ୍ମକ ରୂପ ଦେଖୁଛନ୍ତି ଆଗକୁ ମୋର ରାଜନୈତିକ ରୂପ ଦେଖିବେ । ମୁଁ ନୁହେଁ ସରକାର ଆଗ ଇସ୍ତଫା ଦିଅନ୍ତୁ..