ବଲାଙ୍ଗୀରରେ ରାହୁଲ ଗାନ୍ଧୀ: ବିଜେଡିକୁ ଛାଡ଼ି ବିଜେପିକୁ ଟାର୍ଗେଟ୍‌

Advertisment

ବିଜେପି ସମ୍ବିଧାନକୁ ନଷ୍ଟ କରିଦେବ

ବିଜେପି ସମ୍ବିଧାନକୁ ନଷ୍ଟ କରିଦେବ

ବଲାଙ୍ଗୀରରେ ରାହୁଲ ଗାନ୍ଧୀ: ବିଜେଡିକୁ ଛାଡ଼ି ବିଜେପିକୁ ଟାର୍ଗେଟ୍‌

ବଲାଙ୍ଗୀର: ବୁଧବାର ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ତଥା ଷ୍ଟାର୍‌ ପ୍ରଚାରକ ରାହୁଲ ଗାନ୍ଧୀ ବଲାଙ୍ଗୀର ଗସ୍ତ କରି ସ୍ଥାନୀୟ କଳାମଣ୍ଡଳ ପଡ଼ିଆଠାରେ ସାଧାରଣ ସଭାରେ ଯୋଗ ଦେଇଛନ୍ତି। ରାହୁଲଙ୍କ ଏହି ଗସ୍ତ ଉପରେ ସମସ୍ତଙ୍କ ନଜର ଥିଲା। ସେ କାହାକୁ କେଉଁ ପ୍ରସଂଗରେ ଟାର୍ଗେଟ୍‌ କରିବେ, ତାକୁ ନେଇ କିଛି ଦିନ ପୂର୍ବରୁ ଚର୍ଚ୍ଚା ଥିଲା। କିନ୍ତୁ ରାହୁଲ ନିଜ ବକ୍ତବ୍ୟ ଆରମ୍ଭରୁ ଶେଷ ଯାଏ‌ କେବଳ ବିଜେପିକୁ ଟାର୍ଗେଟ୍‌ କରିଥିଲେ। ବିଜେଡି ସମ୍ପର୍କରେ ପଦୁଟିଏ କହିନଥିଲେ।

ବିଜେପି ସମ୍ବିଧାନକୁ ନଷ୍ଟ କରିଦେବ
କଂଗ୍ରେସ କୋଟିଏ ଲକ୍ଷପତି ସୃ‌ଷ୍ଟି କରିବ
ଜାତିଭିତ୍ତିକ ଗଣନା ଓ ସଂରକ୍ଷଣ ନିଶ୍ଚିତ

ରାହୁଲ ତାଙ୍କ ବକ୍ତବ୍ୟ ଆରମ୍ଭ କରିଥିଲେ ମୋଦୀ ସରକାରକୁ ଆକ୍ଷେପ କରି। କହିଥିଲେ ଯେ ବିଜେପି ସରକାର ସମ୍ବିଧାନକୁ ହିଁ ନଷ୍ଟ କରିଦେବ। ଆମ୍ବେଦକର, ଗାନ୍ଧୀଜୀ ଯେଉଁ ସଂରକ୍ଷଣ କଥା କହୁଥିଲେ, ତାହା ବି ବିଜେପି ନଷ୍ଟ କରିଦେବ। ଦେଶର ୨୨ଜଣ ପୁଞ୍ଜିପତିଙ୍କ ମୁଣ୍ଡ ଉପରେ ଥିବା ୧୬ହଜାର କୋଟି ଟଙ୍କା ବିଜେପି ସରକାର ମାଫ୍‌ କରିଛି। ଏତିକି ଟଙ୍କା ୨୪ବର୍ଷରେ ମନରେଗା ଯୋଜନାରେ ଖର୍ଚ୍ଚ ହୋଇଥାଏ। ବିଜେପି ଗୋଟିଏ ହିସାବରେ ଛାତ୍ର ସମାଜ ଏବଂ ଛୋଟ ବ୍ୟବସାୟୀଙ୍କ ଉପରେ ଦାଉ ସାଧୁଛି। ଦେଶରେ ୫୦ ପ୍ରତିଶତ ପଛୁଆ ବର୍ଗ, ୧୫ ପ୍ରତିଶତ ଦଳିତ, ୮ପ୍ରତିଶତ ଆଦିବାସୀ, ୧୫ ପ୍ରତିଶତ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକ ଅଛନ୍ତି। କିନ୍ତୁ ମୋଦୀ ସରକାର ଅମଳରେ ଦେଶ ପାଇଁ ଏମାନଙ୍କ ଭାଗିଦାରୀ ନାହିଁ। ଏଥରର ନିର୍ବାଚନ ବିଚାରଧାରାର ନିର୍ବାଚନ ହେବ। ଦୁନିଆର କୌଣସି ଶକ୍ତି ସମ୍ବିଧାନକୁ ଛୁଇଁ ପାରିବ ନାହିଁ ବୋଲି ରାହୁଲ କହିଥିଲେ। ସେହିପରି, କଂଗ୍ରେସ ସରକାର ଗଠନ କଲେ ଜାତିଭିତ୍ତିକ ଗଣନା ଏବଂ ସଂରକ୍ଷଣ ବ୍ୟବସ୍ଥା ନିଶ୍ଚିତ ବୋଲି ସେ ଗ୍ୟାରେଣ୍ଟି ଦେଇଥିଲେ। ସେ ଆହୁରି କହିଲେ ଯେ କଂଗ୍ରେସ ଦେଶରେ କୋଟିଏ ଲକ୍ଷପତି ସୃଷ୍ଟି କରିବ। ପ୍ରତି ଗରିବ ପରିବାରର ଜଣେ ମହିଳାଙ୍କ ଖାତାକୁ ଜୁଲାଇ ମାସରୁ ସାଢ଼େ ୮ହଜାର ଟଙ୍କା ଲେଖାଏଁ ବର୍ଷେ ପର୍ଯ୍ୟନ୍ତ ଆସିବ। ବନ୍ଦ ପଡ଼ିଥିବା ସବୁ କଳକାରଖାନା ପୁଣି ଚାଲିବ। ଭାରତରେ ଆର୍ଥିକ ସ୍ବଚ୍ଛତାର ଇଞ୍ଜିନ୍‌ ପୁଣି ଆରମ୍ଭ ହେବ। ରୋଜଗାର ବଢ଼ିବ। ପ୍ରତି ଶସ୍ୟଜାତ ଦ୍ରବ୍ୟର ଏମ୍‌ଏସ୍‌ପି ଆଇନ ପ୍ରଣୟନ ହେବ।

ଚାଷୀଙ୍କ ସବୁ ଋଣ ଛାଡ଼ ଏବଂ ୩୦ଦିନ ଭିତରେ ବୀମା ଟଙ୍କା ମିଳିବ ବୋଲି କହିଥିଲେ। ନିଜ ବକ୍ତବ୍ୟରେ ସେ କଂଗ୍ରେସର ଗ୍ୟାରେଣ୍ଟି ଉପରେ ସୂଚନା ଦେବା ସହ ବିଜେପିକୁ ବିଭିନ୍ନ ପ୍ରସଂଗରେ ଭର୍ତ୍ସନା କରିଥିଲେ। ଜନସଭାରେ ଏଆଇସିସି ବରିଷ୍ଠ ନେତା ଅଜୟ କୁମାର, ମାଲୁ ଭଟ୍ଟି, ମିନାକ୍ଷୀ ନଟରାଜନ, ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ ନେତା ନରସିଂହ ମିଶ୍ର, ତାରାପ୍ରସାଦ ବାହିନୀପତି, ଭକ୍ତଚରଣ ଦାସ, ବଲାଙ୍ଗୀର ସାଂସଦ ପ୍ରାର୍ଥୀ ମନୋଜ ମିଶ୍ର, ବିଧାନସଭା ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର, ସନ୍ତୋଷ ସିଂ ସାଲୁଜା, ପ୍ରିୟବ୍ରତ ସାହୁ, ଅନିଲ ମେହେର, ଓମ୍‌ପ୍ରକାଶ କୁମ୍ଭାର, ବୀରେନ୍ଦ୍ର ବାଗ, ପ୍ରଦୀପ ସେଠୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe