୫୦ ଘଣ୍ଟା ପରେ ବି ଉଦ୍ଧାର ହୋଇନି ରାହୁଲ, ଏବେ ବି ୮୦ ଫୁଟର ଗର୍ତ୍ତ ଭିତରେ ରହିଯାଇଛନ୍ତି

ଗୁଜରାଟରୁ ଆସିଲା ରୋବୋଟ, ଗାତରେ ଶୋଇପଡ଼ୁଛି ୧୦ବର୍ଷର ବାଳକ

୫୦ ଘଣ୍ଟା ପରେ ବି ଉଦ୍ଧାର ହୋଇନି ରାହୁଲ, ଏବେ ବି ୮୦ ଫୁଟର ଗର୍ତ୍ତ ଭିତରେ ରହିଯାଇଛନ୍ତି

ଝାରସୁଗୁଡ଼ା : ଖବର ଲେଖାହେଲା ବେଳକୁ ୫୦ ଘଣ୍ଟା ବିତିସାରିଲାଣି। ‌ଏବେ ବି ୮୦ ଫୁଟର ଗର୍ତ୍ତ ଭିତରେ ରହିଯାଇଛନ୍ତି ୧୦ବର୍ଷର ନାବାଳକ ରାହୁଲ ସାହୁ। ଛତିଶଗଡ଼ ରାଜ୍ୟ ଜାଞ୍ଜଗିର- ଚାମ୍ପାର ମାଲଖାଦାରୁଆ ଥାନା ଅଧୀନ ପରହ୍ରିଡ଼ ଗାଁରେ ରାହୁଲଙ୍କ ଘର। ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି। ଗର୍ତ୍ତ ଭିତରେ ରାହୁଲ ଅବସ୍ଥା କିଭଳି ରହିଛି, ତାହା ଅନୁଧ୍ୟାନ କରିବାପାଇଁ ଗୁଜରାଟରୁ ଏକ ରୋବୋଟ ଆସି ପହଞ୍ଚିଛି। ଏହି ରୋବୋଟକୁ ଗର୍ତ୍ତ ଭିତରକୁ ପଠାଯାଇ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉଛି।

ଝାରସୁଗୁଡ଼ା ସୀମାକୁ ଲାଗି ଛତିଶଗଡ଼ ରାଜ୍ୟର ଜାଞ୍ଜଗିର-ଚାମ୍ପାର ମାଲଖାଦାରୁଆ ପୁଲିସ ଷ୍ଟେସନ ଅଧୀନରେ ରହିଛି ପିରହ୍ରିଡ ଗାଁ। ଗତ ଶୁକ୍ରବାର ଅପରାହ୍ନ ୪ଟା ସମୟରେ ରାହୁଲ ଏକ ବୋରୱେଲ ଗର୍ତ୍ତରେ ଖସି ପଡ଼ିଥିଲେ। ନିଜ ଘର ବାରିପଟେ ଥିବା ଜମିରେ ପାଣି ମଡ଼ାଇବାକୁ ରାହୁଲଙ୍କ ବାପା ଏହି ବୋରୱେଲ ଖୋଳାଇଥିଲେ। ପାଣି ନବାହାରିବାରୁ ତାକୁ ଖୋଲା ଛାଡ଼ି ଦେଇଥିଲେ। ରାହୁଲ ସେଠାରେ ଖେଳୁଥିବା ସମୟରେ ଏହି ଗର୍ତ୍ତରେ ଖସିପଡ଼ିଥିବା ଜଣାଯାଇଛି। ସେବେଠାରୁ ସେ ସେହି ଗର୍ତ୍ତ ଭିତରେ ରହି ଜୀବନ ସହିତ ସଂଘର୍ଷ କରିଆସୁଛନ୍ତି। ଅପରପକ୍ଷେ, ତାଙ୍କୁ ଉଦ୍ଧାର କରିବା ପାଇଁ ଛତିଶଗଡ଼ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି। ଗର୍ତ୍ତ ନିକଟରେ ଛତିଶଗଡ଼ ସରକାରଙ୍କ ବଛାବଛା ପଦସ୍ଥ ଅଫିସର ଉପସ୍ଥିତ ଥିବାବେଳେ ଦେଶର ବିଭିନ୍ନ ସ୍ଥାନରୁ ଏନ୍‌ଡିଆର୍‌ଏଫ୍‌ର କର୍ମଚାରୀ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହାୟତା କରୁଛନ୍ତି। ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏହି ଉଦ୍ଧା‌ର କାର୍ଯ୍ୟକୁ ପ୍ରତ୍ୟକ୍ଷ ଅନୁଧ୍ୟାନ କରୁଥିବାବେଳେ ଶିଶୁଟିକୁ ସୁରକ୍ଷିତ ଉଦ୍ଧାର ପାଇଁ ଯାହା କୌଶଳ ଆବଶ୍ୟକ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାସ୍ଥଳରେ ପ୍ରବଳ ଜନଗହଳି ହୋଇଥିବାରୁ ଗହଳି ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି। ଏକାଧିକ ଅତ୍ୟାଧୁନିକ ଆମ୍ବୁଲାନ୍ସ ସହିତ ଡାକ୍ତରୀ ଦଳ ସେଠାରେ ଉପସ୍ଥିତ ଅଛନ୍ତି। ଜିଲ୍ଲାପାଳ, ଏସ୍‌ପି ଦିନରାତି ଏକ୍‌ କରି ଦେଇଛନ୍ତି ଏବଂ ରାହୁଲଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ସମସ୍ତେ ବ୍ୟ‌ାକୁଳ ହୋଇପଡ଼ିଥିବା ଦେଖାଯାଇଛି।

ଏହି ସୁରକ୍ଷିତ କାର୍ଯ୍ୟ‌ରେ ସହାୟତା କରିବା ପାଇଁ ଗୁଜରାଟରୁ ଯେଉଁ ରୋବଟ୍‌ ଅଣାଯାଇଛି; ତାହା ଚତୁରତାର ସହିତ ଉକ୍ତ ଶିଶୁର ଶାରୀରିକ, ମାନସିକ ସ୍ଥିତି ଅନୁଧ୍ୟାନ କରିବା ସହିତ ଏହାର ସୂଚନା କମ୍ପ୍ୟୁଟର ମାଧ୍ୟମରେ ଉଦ୍ଧାରକାରୀ ଦଳକୁ ପ୍ରେରଣ କରୁଛି। ରୋବୋଟର ସୂଚନା ମୁତାବକ ଶିଶୁଟି କିଛି ସମୟ ଛିଡ଼ା ହୋଇ ପୁଣି ଶୋଇପଡ଼ିଛି। ବର୍ତ୍ତମାନ ଶିଶୁର ସ୍ବାସ୍ଥ୍ୟରକ୍ଷା ଜରୁରୀ ହୋଇପଡ଼ିଛି। ଗର୍ତ୍ତ ବାହାରେ ଏକାଧିକ ମେସିନ ଦ୍ବାରା ଏକ ଟନେଲ ଖୋଳାଚାଲିଛି। କାଳେ ଗର୍ତ୍ତଟି ଭୁଶୁଡ଼ି ପଡ଼ିବ, ସେ ନେଇ ସମସ୍ତେ ଆତଙ୍କିତ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ଫଳରେ, ଅତି ସତର୍କତାର ସହିତ ଟନେଲ ଖୋଳା ଚାଲିଥିବା ଜଣାଯାଇଛି। ଏବେ ରାହୁଲଙ୍କ ସୁରକ୍ଷିତ ଉଦ୍ଧାରକୁ ସମସ୍ତଙ୍କ ଅପେକ୍ଷା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe