ଆଭାସୀରେ ରାହୁଲଙ୍କ ସମ୍ବୋଧନ: ୫ ଗ୍ୟାରେଣ୍ଟି ଆଣିବ କଂଗ୍ରେସ

Advertisment

ସମ୍ବିଧାନ ବଦଳାଇବାକୁ ବିଜେପିର ଷଡ଼୍‌ଯନ୍ତ୍ର, କ୍ଷମତାକୁ ଆସିଲେ କୃଷକଙ୍କ ଋଣ ଛାଡ଼

ସମ୍ବିଧାନ ବଦଳାଇବାକୁ ବିଜେପିର ଷଡ଼୍‌ଯନ୍ତ୍ର, କ୍ଷମତାକୁ ଆସିଲେ କୃଷକଙ୍କ ଋଣ ଛାଡ଼

ଆଭାସୀରେ ରାହୁଲଙ୍କ ସମ୍ବୋଧନ: ୫ ଗ୍ୟାରେଣ୍ଟି ଆଣିବ କଂଗ୍ରେସ

ରାୟଗଡ଼ା: ବିଜେପି ଦେଶର ସମ୍ବିଧାନ ବଦଳାଇବାକୁ ଷଡ଼୍‌ଯନ୍ତ୍ର କରୁଛି। ଆଦିବାସୀଙ୍କୁ ବନବାସୀ ପରିଚୟ ଦେଇ ଜଳ, ଜମି, ଜଙ୍ଗଲ ଅଧିକାରରୁ ବଞ୍ଚିତ କରିବାକୁ ଯୋଜନା ଚାଲିଛି। ସାଧାରଣ ଉଦ୍ୟୋଗର ଘରୋଇକରଣ କରି କର୍ପୋରେଟ୍ ସଂସ୍ଥା ହାତରେ ଟେକି ଦେଇଛନ୍ତି ମୋଦୀ। କୃଷି ଋଣ ଛାଡ଼ ବଦଳରେ ଶିଳ୍ପପତିଙ୍କ ଋଣ ଛାଡ଼ କରିଛନ୍ତି। ତେଣୁ ବିଜେପିକୁ କ୍ଷମତାରୁ ହଟାଇବାକୁ ପଡ଼ିବ। କଂଗ୍ରେସ ଜିତିଲେ ସମ୍ବିଧାନର ରକ୍ଷା ହୋଇପାରିବ। ସମ୍ବିଧାନ ବଞ୍ଚିଲେ ନାଗରିକତ୍ବ ବଞ୍ଚିବ। ଗରିବଙ୍କ ବିକାଶ ପାଇଁ ୫ ଗ୍ୟାରେଣ୍ଟି ଆସିବ।

ରାୟଗଡ଼ାରେ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲାକାଙ୍କ ଦ୍ବାରା ଆୟୋଜିତ କଂଗ୍ରେସର ବିଶାଳ ସମାବେଶକୁ ରାୟବରେଲିରୁ ଭର୍ଚୁଆଲ୍ ମୋଡ୍‌ରେ ସମ୍ବୋଧନ କରି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ବିଜେପିକୁ ନିଶାଣ କରି ସେ କହିଛନ୍ତି, କଂଗ୍ରେସ କ୍ଷମତାକୁ ଆସିଲେ ଦେଶର ପ୍ରତି ଗରିବ ପରିବାରର ତାଲିକା ପ୍ରସ୍ତୁତ ହେବ। ମହିଳାଙ୍କୁ ମହାଲକ୍ଷ୍ମୀ ଯୋଜନାରେ ବାର୍ଷିକ ୧ଲକ୍ଷ ଓ ମାସିକ ୮ ହଜାର ୫୦୦ ଟଙ୍କାର ସହାୟତା ପ୍ରଦାନ କରାଯିବ। ନୋଟବନ୍ଦି କରି କୋଟି କୋଟି ଯୁବକଙ୍କୁ ବେରୋଜଗାର କରାଯାଇଛି। ଶିକ୍ଷିତ ବେକାରଙ୍କୁ ନିଯୁକ୍ତିକୁ ଗୁରୁତ୍ବ ଦେବ କଂଗ୍ରେସ। ଗ୍ରାଜୁଏଟ୍, ଡିପ୍ଲୋମାଧାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଚାକିରି ମିଳିବ। ଗରିବ ଚାଷୀଙ୍କ ଋଣ ଛାଡ଼ ହେବ। ମୋଦୀ ସରକାର କର୍ପୋରେଟ୍‌ ସଂସ୍ଥାର ୧୬ଲକ୍ଷ କୋଟି ଟଙ୍କା ଟିକସ ଛାଡ଼ କରିଛନ୍ତି। ଶିଳ୍ପପତିଙ୍କୁ ଯେତେ ଟଙ୍କା ଛାଡ଼ କରାଯାଇଛି ସେହି ଟଙ୍କା ଓଡ଼ିଶାର ଆଦିବାସୀ, ଦଳିତ, ଗରିବଙ୍କୁ ଦେବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ। ଧାନ, ଆଖୁ ଚାଷୀଙ୍କୁ ପାଇଁ ଏମ୍‌ଏସ୍‌ପି ବୃଦ୍ଧି ସହ ବୋନସ୍ ପ୍ରଦାନ କରାଯିବ। ମନରେଗା ଭତ୍ତା ୪୦୦ ଟଙ୍କାକୁ ବୃଦ୍ଧି କରିବା ସହ ଜଳ, ଜମି, ଜଙ୍ଗଲର ଅଧିକାର ଆଦିବାସୀଙ୍କ ହାତରେ ହିଁ ରହିବ। ସରକାରୀ କାର୍ଯ୍ୟାଳୟରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ରହିବ ବୋଲି ରାହୁଲ କହିଛନ୍ତି। ଜାତିଭିତ୍ତିକ ଜନଗଣନା ଭଳି କ୍ରାନ୍ତିକାରୀ ପଦକ୍ଷେପ ନେବାକୁ ଘୋଷଣା କରିଥିଲେ। ଉତ୍ତରପ୍ରଦେଶର ରାୟବରେଲି ଆସନରୁ ନାମାଙ୍କନ ଦାଖଲ କରୁଥିବାରୁ ରାୟଗଡ଼ା ଆସିପାରିନଥିବା କହି ରାହୁଲ କ୍ଷମା ପ୍ରାର୍ଥନା କରିଥିଲେ।

ଜେଏସ୍‌କୋ ପଡ଼ିଆରେ ଆୟୋଜିତ ସମାବେଶରେ ଏଆଇସିସି ସାଧାରଣ ସଂପାଦକ ଦୁର୍ଗା ପ୍ରସାଦ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ଜନସଭାରେ କଂଗ୍ରେସ ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର ଯୋଗଦେଇ ରାଜ୍ୟରେ ବିଜେଡି ଓ ବିଜେପିର ସମସ୍ତ ପ୍ରାର୍ଥୀଙ୍କୁ ଚଳିତ ନିର୍ବାଚନରେ ହରାଇବାକୁ ଆହ୍ୱାନ ଦେଇଛନ୍ତି। ପୁଣି ମୋଦୀ ସରକାର ଆସିଲେ ସମ୍ବିଧାନ ବଦଳିବ। ଏଣୁ ରାହୁଲଜୀଙ୍କ କଥା ଶୁଣନ୍ତୁ, ମୋଦୀଙ୍କୁ କ୍ଷମତାରୁ ହଟାନ୍ତୁ ବୋଲି ଅଜୟ କୁମାର ନିବେଦନ କରିଛନ୍ତି। ତେଲେଙ୍ଗନା ଉପମୁଖ୍ୟମନ୍ତ୍ରୀ ମାଲୁ ଭାଟି ବିକ୍ରମାର୍କ ସମାବେଶରେ ଯୋଗଦେଇ କହିଲେ, ଗାନ୍ଧୀ ପରିବାର ସହ ଆଦିବାସୀ ଓ ଓଡ଼ିଶାର ନିବିଡ଼ ସଂପର୍କ ରହିଛି। ଦେଶର ସମ୍ପଦ ଦେଶବାସୀଙ୍କ ପାଖରେ ରହିବା ଆବଶ୍ୟକ। ୧୯୮୭ରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏ ଅଞ୍ଚଳକୁ ଆସି ଆଦିବାସୀଙ୍କ ଉନ୍ନତି ପାଇଁ ଆଇଫାଡ୍ ଯୋଜନା ଆରମ୍ଭ କରିଥିଲେ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିସିସି ସଭାପତି ଶରତ ପଟ୍ଟନାୟକ, ଜାତୀୟ କଂଗ୍ରେସ ସାଧାରଣ ସମ୍ପାଦକ ରବୀନ୍ଦ୍ର ଡାଲଭି, ଏଆଇସିସି ସମ୍ପାଦକ ଶାହାନବାଜ ଚୌଧୁରୀ, କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସ, କୋରାପୁଟ ସାଂସଦ ସପ୍ତଗିରି ଉଲାକା ନିଜ ବକ୍ତବ୍ୟରେ ମୋଦୀ ସରକାରଙ୍କ ବିରୋଧରେ ବର୍ଷିଥିଲେ। ସମାବେଶରେ ୪ ଲୋକସଭା, ୨୮ ବିଧାସସଭା ଆସନରୁ ୫୦ ହଜାରରୁ ଊର୍ଦ୍ଧ୍ବ କର୍ମୀ ଓ ନେତା ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe