SANDRP
ଭବାନୀପାଟଣା: କଳାହାଣ୍ଡି ତହସିଲ ପକ୍ଷରୁ ସୋମବାର କର୍ଲାପାଟ ଅଭୟାରଣ୍ୟ ନିକଟସ୍ଥ ଶଗଡ଼ା ବାଲିଘାଟ ଉପରେ ଅତର୍କିତ ଚଢ଼ାଉ କରି ବାଲିଘାଟ ଲିଜଧାରୀଙ୍କଠାରୁ ୯୩ ଲକ୍ଷରୁ ଅଧିକ ଟଙ୍କା ଜରିମାନା କରାଯାଇଛି। ଲିଜଧାରୀଙ୍କୁ ମହଙ୍ଗା ପଡ଼ିଲା ବାଲି ଚୋରା ଚାଲାଣ। ୯୩ ଲକ୍ଷ ଟଙ୍କା ଜରିମାନା ସହିତ ତାଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା ସହର ସୀତାବରଡ଼ିପଡ଼ାର ଲିଜଧାରୀ ବିଶ୍ୱଜିତ ମହାନ୍ତି ରାଜସ୍ୱ ବିଭାଗ ଚୁକ୍ତିପତ୍ରର ନିୟମ ଉଲ୍ଲଂଘନ କରି ଶଗଡ଼ା ବାଲିଘାଟରୁ ୧୦ ହଜାର ସିଏମ ବାଲି ଉଠାଇ ବେଆଇନ ଚାଲାଣ କରିବା ଅଭିଯୋଗରେ କଳାହାଣ୍ଡି ତହସିଲଦାରଙ୍କ ନେତୃତ୍ୱରେ ରବିବାର ଅତର୍କିତ ଚଢ଼ାଉ କରା ଯାଇଥିଲା। ଓଡ଼ିଶା ଲଘୁଖଣି ଅଧିନିୟମ ୫୧/୨୦୧୬ ମୁତାବକ ଲିଜ୍ ପରିମାଣ ୧,୭୧୪ ସିଏମ୍ ପରିବର୍ତ୍ତେ ଅଧିକ ୮,୨୮୬ ସିଏମ୍ ବାଲି ଉତ୍ତୋଳନ କରିଥିବା ଜଣା ପଡ଼ିଥିଲା। ଫଳରେ ଜରିମାନା ଓ ରୟାଲଟି ବାବଦକୁ ୯୩ ଲକ୍ଷ ୬୮ ହଜାର ୧୨୮ ଟଙ୍କା ପୈଠ କରିବାକୁ ଏବଂ ୧୫ ଦିନ ମଧ୍ୟରେ କାରଣ ଦର୍ଶାଇବାକୁ ନୋଟିସ କରାଯାଇଛି। ଜରିମାନା ନ ଦେଲେ ଲିଜ୍ ଏଗ୍ରିମେଣ୍ଟ ବାତିଲ କରାଯିବା ପାଇଁ ମଧ୍ୟ ନୋଟିସ ଜାରି ହୋଇଛି।
କଳାହାଣ୍ଡି ଜିଲ୍ଲା ଏବେ ଲଘୁଖଣି ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି। ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଅଭାବରୁ ଏମାନଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି। ବିଭାଗ ସହ କରିଥିବା ଚୁକ୍ତିଠାରୁ ଦଶଗୁଣ ଅଧିକ ଉତ୍ତୋଳନ କରି ବିକ୍ରି କରିଦେଉଛନ୍ତି। ଫଳରେ ରାଜ୍ୟ ସରକାର ହରାଉଛନ୍ତି କୋଟି କୋଟି ଟଙ୍କା ରାଜସ୍ୱ। ଆଗକୁ ଏସବୁ ସଇରାତ ଖଣି ବିଭାଗ ଅଧିନକୁ ଯିବାକୁ ଥିବାବେଳେ ଲିଜଧାରୀଙ୍କ ପ୍ରତି ବିଭାଗୀୟ ଆଭିମୁଖ୍ୟ କ’ଣ ରହିବ, ସେଥିପ୍ରତି ସମସ୍ତଙ୍କ ନଜର ରହିଛି।
Follow Us