ଧର୍ମଶାଳା: ସସ୍‌ କାରଖାନାରେ ଚଢ଼ଉ

Advertisment
ଧର୍ମଶାଳା: ସସ୍‌ କାରଖାନାରେ ଚଢ଼ଉ

ଧର୍ମଶାଳା : ଯାଜପୁର ଏସ୍‌ପିଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ସ୍କ୍ବାଡ଼୍ ଶନିବାର ପୂର୍ବାହ୍ଣରେ ଧର୍ମଶାଳା ଥାନା ଜାରକା ବଜାରସ୍ଥିତ ଆଗ୍ରୋ ଫ୍ରଣ୍ଟ ଅର୍ଗାନିକ୍ ଫୁଡ୍ସ ୟୁନିଟ୍‌ରେ ଚଢ଼ଉ କରିଛି। ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଟମାଟୋ ସସ୍‌, ଚିଲି ସସ୍‌, ଆଚାର, ଲିଚି ଥଣ୍ତା ପାନୀୟ ଆଦି ଏଠାରେ ପ୍ରସ୍ତୁତ କରାଯାଉଥିଲା। ସେହିପରି ଏଠାରେ ବିପୁଳ ପରିମାଣର ଆମ୍ବୁଲ, ଅମୃତଭଣ୍ତା, ପଚା କଖାରୁ, କଞ୍ଚାଲଙ୍କା ଆଦି ଗଚ୍ଛିତ ରହିଥିଲା। ତେବେ ଏଠାକାର ଖାଦ୍ୟ ପ୍ରସ୍ତୁତ ପ୍ରଣାଳୀ, ଅସ୍ୱାସ୍ଥ୍ୟକର ପରିବେଶ, ପଚାଶଢ଼ା ସାମଗ୍ରୀ ମହଜୁଦ ରହିଥିବା ଦେଖି ସ୍କ୍ବାଡ୍ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଚଢ଼ଉ ସମୟରେ କାରଖାନା ମାଲିକ ଦୀପକ ଜେନା ଏଠାରେ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ପାଇଁ ପାଇଥିବା କାଗଜପତ୍ର ଦେଖାଇଥିଲେ। ପରେ ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି କାଗଜପତ୍ର ଯାଞ୍ଚ‌ କରିଥିଲେ। ପ୍ରସ୍ତୁତ ଖାଦ୍ୟ ନିମ୍ନମାନର ବୋଲି ଅଭିଯୋଗ ହେଉଥିବାରୁ ଏସବୁର ପୁନଃ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରିବାକୁ ପଠାଯିବ। ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି ଖାଦ୍ୟ ନିରାପତ୍ତା ଅଧିକାରୀ ସୂଚନା ଦେଇଥିଲେ।

publive-image

ପ୍ରକାଶ ଯେ, ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବସ୍ଥ ଜାରକା ବସଷ୍ଟାଣ୍ତ ନିକଟରେ ବଡ଼ବାଲିକୁଦା ଅଞ୍ଚଳର ଦୀପକ କୁମାର ଜେନା କିଛିବର୍ଷ ହେଲା ଆଗ୍ରୋ ଫ୍ରଣ୍ଟ ଅର୍ଗାନିକ୍ ଫୁଡ୍ସ ନାମରେ ଏକ କାରଖାନା ଚଳାଇଥିଲେ। ଏଠାରେ କେତେକ ଯୁବକ, ଯୁବତୀ ଓ ମହିଳାଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ବେଳେ ମୁଖ୍ୟତଃ କଖାରୁ, ଅମୃତଭଣ୍ତା, ଆମ୍ବୁଲ, କଞ୍ଚାଲଙ୍କା, ରଙ୍ଗ ଆଦି ରାସାୟନିକ ସାମଗ୍ରୀ ବ୍ୟବହାର କରାଯାଇ ଟମାଟୋ ସସ୍‌, ଚିଲି ସସ୍‌, ବିଭିନ୍ନ ପ୍ରକାର ଆଚାର ଓ ଲିଚି ଥଣ୍ତା ପାନୀୟ ପ୍ରସ୍ତୁତ କରାଯାଉଥିଲା। ପରେ ଏହାକୁ ପ୍ୟାକିଂ କରାଯାଇ ମାର୍କେଟ୍‌ରେ ବିକ୍ରି କରାଯାଉଥିଲା। ଜିଲ୍ଲା ପୁଲିସ୍‌ ମୁଖ୍ୟାଳୟର ଏସ୍‌ଆଇ ରମେଶ ସାହାଣି ସଦଳବଳ ଏଠାରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଉକ୍ତ କାରଖାନାରେ ପ୍ରସ୍ତୁତ ବିପୁଳ ପରିମାଣର ଟମାଟୋ ସସ୍‌, ଚିଲି ସସ୍‌, ଆଚାର, ଥଣ୍ତା ପାନୀୟ ସମେତ ବିଭିନ୍ନ ପ୍ରସ୍ତୁତି ସାମଗ୍ରୀ ଠାବ କରାଯାଇଥିଲା।

publive-image

ଧର୍ମଶାଳା ଥାନା ଠାରୁ ମାତ୍ର ୨କିଲୋମିଟର ବ୍ୟବଧାନରେ ଏଭଳି ଏକ ବେଆଇନ ସସ୍‌ କାରଖାନା ଦୀର୍ଘବର୍ଷ ହେଲା ଚାଲିଥିଲା। ହେଲେ କାହାକୁ ଏହାର ଟେର୍ ନମିଳିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପଟେ କାରଖାନା ଚଳାଇବା ପାଇଁ ଶ୍ରୀ ଜେନାଙ୍କୁ ଅନୁମତି ମିଳିଥିବା ସେ ତଦନ୍ତକାରୀ ଟିମ୍‌କୁ କାଗଜପତ୍ର ଦେଖାଇଛନ୍ତି। ଖବର ପାଇ ଯାଜପୁରରୋଡ ଏସ୍‌ଡିପିଓ ଚିନ୍ମୟ କୁମାର ନାୟକ ପହଞ୍ଚି ତଦନ୍ତ କରିଥିଲେ। ଏଠାରୁ ସଂଗ୍ରହ ହୋଇଥିବା ବିଭିନ୍ନ ସାମଗ୍ରୀର ମାନ ପରୀକ୍ଷା ରିପୋର୍ଟ ମିଳିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ଏହି ସ୍କ୍ବାଡ଼୍ ଗତ କିଛିଦିନ ମଧ୍ୟରେ ଦେଉଳି ଗାଁର ଏକ ଭଡ଼ା ଘରୁ ୬.୮୫କୁଇଣ୍ଟାଲ ତମ୍ବା, ୧.୯୨ କୁଇଣ୍ଟାଲ ପିତଳ, ୧.୭୩ କୁଇଣ୍ଟାଲ ଆଲୁମିନିୟମ ସ୍କ୍ରାପ୍ ଜବତ କରିଥିଲା। ଏଥିରେ ସମ୍ପୃକ୍ତ ଦୁଇ ବେପାରୀଙ୍କୁ କୋର୍ଟଚାଲାଣ କରାଯାଇଥିଲା। ସେହିପରି ଏହି ସ୍କ୍ବାଡ଼୍ ନେଉଳପୁର ରେଲଓ୍ବେ ଓଭରବ୍ରିଜ୍ ନିକଟରେ ଥିବା ଏକ ଗୋଦାମରେ ଚଢ଼ଉ କରି ୩ ଶହ ଲିଟରରୁ ଅଧିକ ପିଡିଏସ୍‌ କିରାସିନି ଜବତ କରିଥିଲେ। ଗତ ୪ତାରିଖରେ ମଧ୍ୟ ଏହି ସ୍କ୍ବାଡ଼୍ କୁମାରୀ ଗ୍ରାମରୁ ୫୫କିଲୋ ଗଞ୍ଜେଇ, ଭାଙ୍ଗ, ସାଢେ଼ ୭ଲକ୍ଷରୁ ଅଧିକ ଟଙ୍କା, ସୁନା ଅଳଙ୍କାର, ବହୁ ଏଲ୍ଆଇସି ବଣ୍ତ ଆଦି ଜବତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe