ନିର୍ମାଣାଧୀନ କୋଠାରେ ଚଢ଼ଉ: ପାର୍କିଂ ବ୍ୟବସ୍ଥା କରିବାକୁ ୭ ଦିନ ମହଲତ

ନିର୍ମାଣାଧୀନ କୋଠାରେ ଚଢ଼ଉ: ପାର୍କିଂ ବ୍ୟବସ୍ଥା କରିବାକୁ ୭ ଦିନ ମହଲତ

କେନ୍ଦୁଝର : କେନ୍ଦୁଝର ସହରର ଗାନ୍ଧୀଛକରେ ବିନା ପାର୍କିଂରେ ଏକ ବିଶାଳ କୋଠ ନିର୍ମାଣ କରାଯାଉଛି। ଏହା ଉପରେ ଆଜି ପୌରପାଳିକା‌ ପକ୍ଷରୁ ଚଢ଼ଉ କରାଯାଇଥିଲା। କୋଠାର ମାପଚୁପ ବେଳେ କିଛି ଅଂଶରେ ଅବୈଧ ନିର୍ମାଣ ହୋଇଥିବା ଜଣାପଡ଼ିଛି। ଡ୍ରେନ୍‌ ଉପରେ କୋଠାର କିଛି ଅଂଶ ରହିଥିବା ଜଣାପଡ଼ିଛି। ମାପଚୁପ ପରେ ଅବୈଧ ନିର୍ମାଣକୁ ଭାଙ୍ଗିବା ଏବଂ ୨ ହଜାର ସ୍କୋୟାରଫୁଟର ପାର୍କିଂ ବ୍ୟବସ୍ଥା କରିବାକୁ କୋଠ ମାଲିକଙ୍କୁ ନିର୍ଦେଶ ଦିଆଯାଇଛି। ଏଥିପାଇଁ ସାତଦିନ ମହଲତ ଦିଆଯାଇଛି। ନଚେତ ପୌରପାଳିକା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

କୋଠା ମାପଚୁପ ସମୟରେ ନଗରପାଳ ନିକୁ ସାହୁ, ଉପନଗରପାଳ ବରଦା ପ୍ରସନ୍ନ ସାହୁ, କିଛି କାଉନସିଲର ଏବଂ ପୌର କର୍ମଚାରୀମାନେ ଉପସ୍ଥିତ ଥିଲେ। ସହରର ଯେଉଁଠାରେ ବେଆଇନ ନିର୍ମାଣ ଚାଲିଛି ସବୁଠାରେ ଚଢ଼ଉ ହେବ ବୋଲି ନଗରପାଳ ଶ୍ରୀମତୀ ସାହୁ କହିଛନ୍ତି। ସେହିପରି କେନ୍ଦୁଝର ସହରକୁ ଟ୍ରାଫିକମୁକ୍ତ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି ଉପନଗରପାଳ ଶ୍ରୀ ଦାସ କହିଛନ୍ତି।

ସୂଚନାଯୋଗ୍ୟ, କେନ୍ଦୁଝର ସହରରେ ମାଳମାଳ ବେଆଇନ କୋଠ ନିର୍ମାଣ ହେଉଛି। ଲୋକେ ସମସ୍ତ ନିୟମକାନୁନକୁ ଜଳାଞ୍ଜଳି ଦେଇ ମନଇଚ୍ଛା ନିର୍ମାଣ କାମ କରୁଛନ୍ତି। ଏନେଇ ପୂର୍ବରୁ ପୌରସଂସ୍ଥାରେ ଅଭିଯୋଗ କରାଯାଇଥିଲେ ‌ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିଲା। ନୂତନ କାଉନସିଲ ଗଠନ ହେବା ପରେ ନବନିର୍ବାଚିତ ଲୋକପ୍ରତିନିଧି ଏହାକୁ ଗୁରୁତ୍ବର ସହିତ ନେଇଥିଲେ। ଏ ସଂପର୍କରେ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ପୌରପାଳିକା ତତ୍ପରତା ପ୍ରକାଶ କରିଥିଲା। ଗାନ୍ଧୀଛକରେ ନିର୍ମାଣ ଚାଲିଥିବା କୋଠା ମାଲିକଙ୍କୁ ଗତ ୨ ତାରିଖରେ ପୌରପାଳିକାର ପତ୍ର ସଂଖ୍ୟା ୩୮୭୩ରେ ନୋଟିସ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe