ଭୁବନେଶ୍ୱର: କେନ୍ଦ୍ର ରେଳ ବଜେଟରେ ଓଡ଼ିଶା ଦାବି କରିଥିବା ଅର୍ଥ ମିଳିନାହିଁ। ଏଣୁ ଏହାକୁ ନୈରାଶ୍ୟଜନକ ବୋଲି କହିଛି ବିଜେଡି। ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ରାଜ୍ୟ ତରଫରୁ ୭ ହଜାର ୨ଶହ କୋଟି ଟଙ୍କା ଦାବି ଥିଲା। କିନ୍ତୁ ସେହି ଅନୁସାରେ ଅର୍ଥ ମିଳିନାହିଁ । ସେଥିରୁ ପୁରୁଣା ଖୋର୍ଦ୍ଧା ବଲାଙ୍ଗୀର ପାଇଁ ୫ ଶହ କୋଟି ଟଙ୍କା ରହିଛି। କେନ୍ଦ୍ର ବଜେଟ ନୈରାଶ୍ୟଜନକ ବୋଲି କହିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ।
ଚଳିତ ଥର ରେଳ ବଜେଟରୁ ଓଡ଼ିଶା ପାଇଁ ଯାହା ଆଶା କରାଯାଉଥିଲା ତାହା ମିଳି ନାହିଁ ଏବଂ ପୁନର୍ବାର ଓଡ଼ିଶାକୁ ଉପେକ୍ଷିତ କରାଯାଇଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି ଯେ ଆଗକୁ ଆସୁଥିବା ତାମିଲନାଡୁ ଓ ପଶ୍ଚିବଙ୍ଗ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସେହି ରାଜ୍ୟକୁ ଅଧିକ ଦେଇଛନ୍ତି ,ଓଡ଼ିଶାର ଆବଶ୍ୟକତା ଓ ଅଭିବୃଦ୍ଧି ଦୃଷ୍ଟିରୁ ଯାହା ପାଇବା କଥା ତାହା ପାଇନାହିଁ, କେନ୍ଦ୍ର ରାଜ୍ୟ ମଧ୍ୟରେ ଭିତିରିଆ ରାଜନୈତିକ ସୁସମ୍ପର୍କ ଥିବାରୁ ରାଜ୍ୟର ହକ୍ ,ଦାବି କେନ୍ଦ୍ର ସାମ୍ନାରେ ସଠିକ ଭାବେ ଉପସ୍ଥାପନ କରିପାରୁନି ରାଜ୍ୟ। ନୂଆ ରେଳ ଲାଇନ କିଛି ନାହିଁ, କେନ୍ଦ୍ର ସରକାର ପୁରୁଣା ଲାଇନ ପାଇଁ କିଛି କିଛି ଅର୍ଥ ଦେଇଛନ୍ତି।
image source-India.comଅପରପକ୍ଷରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ ଓଡ଼ିଶାକୁ ଉପେକ୍ଷା ନୁହେଁ ଅପେକ୍ଷା ଠାରୁ ଅଧିକ ଅନୁଦାନ ଦିଆଯାଇଛି। ୟୁପିଏ ଶାସନକାଳରେ ଦଶ ବର୍ଷରେ ମାତ୍ର ୪୨୩୨ କୋଟି ଟଙ୍କା ଓଡ଼ିଶାକୁ ମିଳିଥିଲା। ସେତେବେଳେ ଚୁପ ଥିଲେ। କିନ୍ତୁ ମୋଦୀ ସରକାର ଆସିବା ପରେ ମାତ୍ର ୬ ବର୍ଷରେ ୨୯,୧୧୨ କୋଟି ଟଙ୍କା ସହାୟତା ଦେଇଛି। ଏଥିରୁ ଜଣାପଡ଼ୁଛି ଓଡ଼ିଶା ପାଇଁ କାହାର ଦରଦ କେତେ। ଯେଉଁ ପ୍ରକଳ୍ପରେ କେବଳ ଟୋକନ ଅନୁଦାନ ମିଳିଛି ସେଥିରେ ଆହୁରି ଅଧିକା ମିଳିପାରିଥାନ୍ତା। କିନ୍ତୁ ଜମି ଅଧିଗ୍ରହଣ ଓ ଆଇନ ଶୃଙ୍ଖଳା ରାଜ୍ୟ ସରକାରଙ୍କ ହାତରେ। ପୂର୍ବରୁ ମଧ୍ୟ କେନ୍ଦ୍ର ରେଳମନ୍ତ୍ରୀ ଜମି ଅଧିଗ୍ରହଣ ଯୋଗୁ ବିଭିନ୍ନ ପ୍ରକଳ୍ପ କାମ ଅଟକିଥିବା ନେଇ ଚିଠି ଲେଖି ରାଜ୍ୟକୁ ଅବଗତ କରିଥିଲେ। ତେଣୁ ଆଗ ନିଜ ତ୍ରୁଟି ସୁଧାରନ୍ତୁ ଓ ଜମି ଅଧିଗ୍ରହଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରନ୍ତୁ। ସେ ରେଳ ବଜେଟ ପାଇଁ ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସୂଚନାଯୋଗ୍ୟ, ଚଳିତ ରେଳ ବଜେଟରେ ଓଡ଼ିଶାକୁ ୫,୫୨୮ କୋଟି ଟଙ୍କା ମିଳିଛି। ଚଳିତ ବର୍ଷ ରାଜ୍ୟ ସରକାର ୭୨୦୦ କୋଟି ଦେବାକୁ ଦାବି କରିଥିଲେ।
Follow Us