ପଶ୍ଚିମ ଓଡ଼ିଶାର ୨୬ ଷ୍ଟେସନ ସମ୍ବଲପୁର ଡିଭିଜନକୁ ଆସି ପାରୁ ନାହିଁ

Advertisment
ପଶ୍ଚିମ ଓଡ଼ିଶାର ୨୬ ଷ୍ଟେସନ ସମ୍ବଲପୁର ଡିଭିଜନକୁ ଆସି ପାରୁ ନାହିଁ

ସମ୍ବଲପୁର : ରେଳବାଇ କ୍ଷେତ୍ରରେ ଅବହେଳିତ ପଶ୍ଚିମ ଓଡ଼ିଶାରେ ବିଗତ କିଛି ବର୍ଷ ମଧ୍ୟରେ ଭିତ୍ତିଭୂମିର ବିକାଶ କାର୍ଯ୍ୟ କିଛିଟା ତ୍ୱରାନ୍ଵିତ ହୋଇଛି। ହେଲେ ପଶ୍ଚିମ ଓଡ଼ିଶାର ରେଳ ସଂପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ପୁରୁଣା ଦାବିକୁ ରେଳବାଇ ବୋର୍ଡ ଅଣଦେଖା କରି ଚାଲିଛି। ରେଳ ଏକତ୍ରୀକରଣ ପ୍ରକ୍ରିୟାରେ ‘ଏକ ଓଡ଼ିଶା, ଏକ ଜୋନ’ ନିମନ୍ତେ ରାଜ୍ୟର ସୀମା ଭିତରେ ଥିବା ଷ୍ଟେସନ ଗୁଡ଼ିକୁ ପୂର୍ବତଟ ରେଳବାଇ ଅଧୀନକୁ ଆଣିବା ପାଇଁ ରହିଥିବା ପୁରୁଣା ଦାବିକୁ ରେଳ ବିଭାଗ କର୍ଣ୍ଣପାତ କରୁ ନାହିଁ। ପଶ୍ଚିମ ଓଡ଼ିଶାର ୫ଟି ଷ୍ଟେସନ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇର ବିଳାସପୁର ଡିଭିଜନ ଓ ୨୧ଟି ଷ୍ଟେସନ ଦକ୍ଷିଣ ପୂର୍ବ ରେଳବାଇର ଚକ୍ରଧରପୁର ଡିଭିଜନ ଅଧୀନରେ ରହିଛି। ଝାରସୁଗୁଡ଼ା, ରାଉରକେଲା ଭଳି ଗୁରୁତ୍ୱପୂର୍ଣ୍ଣ ଜଂସନ ସମେତ କୋଇଲା ଖଣି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଇବ ଉପତ୍ୟକାର ସମସ୍ତ ଷ୍ଟେସନ ଓଡ଼ିଶାରେ ଥାଇ ବି ଓଡ଼ିଶା ବାହାର ଡିଭିଜନ ଦ୍ୱାରା ନିୟନ୍ତ୍ରିତ ହେଉଛି। ଏହି ଷ୍ଟେସନ ଗୁଡ଼ିକରୁ ରେଳବାଇ ପାଉଥିବା ଲାଭ ବି ସଂପୃକ୍ତ ଡିଭିଜନ ମାନଙ୍କ ଖାତାରେ ଚଢ଼ୁଛି। ଏସବୁ ରେଳ ଷ୍ଟେସନକୁ ସମ୍ବଲପୁର ଡିଭିଜନ ଅଧୀନକୁ ଆଣିବା ପାଇଁ ଅଞ୍ଚଳବାସୀଙ୍କ ଦାବି ଉପରେ ରେଳ ବିଭାଗ ଟାଳଟୁଳ ନୀତି ଆପଣାଇଛି। ଅପର ପକ୍ଷରେ ସମ୍ବଲପୁର ଡିଭିଜନ ଅଧୀନରେ ଥିବା ଟିଟିଲାଗଡ଼-ରାୟପୁର ସେକ୍‌ସନ ଅନ୍ତର୍ଗତ ଛତିଶଗଡ଼ର ଦୁଇଟି ଲାଭପ୍ରଦ ଷ୍ଟେସନକୁ ସେମାନଙ୍କ ଦାବି ମୁତାବକ ୫ ବର୍ଷ ତଳୁ ଦକ୍ଷିଣପୂର୍ବ କେନ୍ଦ୍ରୀୟ ରେଳବାଇର ରାୟପୁର ଡିଭିଜନକୁ ହସ୍ତାନ୍ତର କରି ସାରିଛି।

୫ ନଭେମ୍ବର ୧୯୫୧ରେ ଗଠିତ ସମ୍ବଲପୁର ଡିଭିଜନ ଭାରତୀୟ ରେଳବାଇର ସର୍ବ ପୁରାତନ ଡିଭିଜନ ମାନଙ୍କ ମଧ୍ୟରେ ଅନ୍ୟତମ। ପୂର୍ବରୁ ଦକ୍ଷିଣ ପୂର୍ବ ରେଳବାଇ ଅଧୀନରେ ଥିବା ଏହି ଡିଭିଜନ ପୂର୍ବତଟ ରେଳବାଇ ଜୋନ କାର୍ଯ୍ୟକାରୀ ହେଲା ପରେ ୨୦୦୩ ଏପ୍ରିଲ ପହିଲାରୁ ଏହା ଅଧୀନକୁ ଆସିଥିଲା। ପଶ୍ଚିମ ଓଡ଼ିଶାରେ ଥିବା ରେଳବାଇ ଭିତ୍ତିଭୂମି ଗୁଡ଼ିକ ଏହି ଡିଭିଜନର ଅଧୀନସ୍ଥ ଥିଲେ ବି ପଶ୍ଚିମ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଖଣି ଅଞ୍ଚଳ ଓ ଗୁରୁତ୍ୱପୂର୍ଣ୍ଣ ସହର ଗୁଡ଼ିକୁ ଏହି ଡିଭିଜନରୁ ଅଲଗା ରଖା ଯାଇଛି। ଅପର ପକ୍ଷରେ ଏହି ଡିଭିଜନରେ ଥିବା ଛତିଶଗଡ଼ର କିଛି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକୁ ରାୟପୁର ଡିଭିଜନକୁ ହସ୍ତାନ୍ତର କରାଯାଇଛି।

ରାୟପୁର ଜଂସନ ପରେ ପରେ ପଡ଼ୁଥିବା ରାୟପୁର-ଟିଟିଲାଗଡ଼ ସେକସନ ଅନ୍ତର୍ଗତ ଛତିଶଗଡ଼ର ଦୁଇଟି ଷ୍ଟେସନ ମନ୍ଦିର ହସୌଦ ଓ ଲାଖୋଲି ୨୦୧୨ ମସିହା ପର୍ଯ୍ୟନ୍ତ ପୂର୍ବତଟ ରେଳବାଇର ସମ୍ବଲପୁର ଡିଭିଜନ ଅଧୀନରେ ଥିଲା। ତେବେ ଛତିଶଗଡ଼ର ଦୃଢ଼ ଦାବି ପରେ ୨୦୧୩ ଜାନୁଆରି ପହିଲାରୁ ଏହି ଦୁଇ ଷ୍ଟେସନ ସମେତ ଆଉ ତିନିଟି ବେସରକାରୀ ଘରୋଇ ସାଇଡିଂକୁ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇର ରାୟପୁର ଡିଭିଜନ ହାତରେ ଟେକି ଦିଆ ଯାଇଥିଲା। ଅଥଚ ଏହାର ବହୁ ପୂର୍ବରୁ ଦାବି ହୋଇ ଆସୁଥିବା ରାୟଗଡ଼-ଝାରସୁଗୁଡ଼ା-ରାଉରକେଲା ସେକ୍‌ସନର ସମସ୍ତ ଷ୍ଟେସନ ଏବେ ବି ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ ଓ ଦକ୍ଷିଣ ପୂର୍ବ ରେଳବାଇ ଅଧୀନରେ ରହିଛି।

କୋଲକାତା-ମୁମ୍ବାଇ ମୁଖ୍ୟ ରେଳପଥରେ ଝାଡ଼ଖଣ୍ଡ ରାଜ୍ୟର ମନୋହରପୁର ଡେଇଁବା ପରେ ପଡ଼େ ଓଡ଼ିଶାର ଜରେଇକେଲା ଷ୍ଟେସନ। ଏହାପରେ ଭାଲୁଲତା, ବିସ୍ରା, ବନ୍ଧମୁଣ୍ଡା, ରାଉରକେଲା ଜଂସନ, ପାନପୋଷ, କୁଲୁଙ୍ଗା, କାଂସବାହାଲ, ରାଜଗାଙ୍ଗପୁର, ସୋନାଖାନ, ସଗରା, ଗଡ଼ପୋଷ, ଟାଙ୍ଗରମୁଣ୍ଡା, ବାମରା, ଧରୁଆଡିହି, ବାଗଡିହି, ପାନପାଲି, ଧୁତ୍ରା ଓ ଝାରସୁଗୁଡ଼ା ଜଂସନ ଆସେ। ସେହିପରି ରାଉରକେଲାରୁ ରାଞ୍ଚି ରେଳପଥରେ ବନ୍ଧମୁଣ୍ଡା ପରେ ପରେ ବାଙ୍ଗୁରକେଲା ଓ ନୂଆଗାଁ ଷ୍ଟେସନ ରହିଛି। ଜରେଇକେଲାରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ୧୯ଟି ଓ ବାଙ୍ଗୁରକେଲା, ନୂଆଗାଁକୁ ମିଶାଇଲେ ମୋଟ ୨୧ଟି ଷ୍ଟେସନ ଓଡ଼ିଶା ସୀମାରେ ଥିଲେ ବି ଦକ୍ଷିଣ ପୂର୍ବ ରେଳବାଇର ଚକ୍ରଧରପୁର ଡିଭିଜନ ଅଧୀନରେ ରହିଛି। ଏହି ସମସ୍ତ ଷ୍ଟେସନ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାର ହୋଇଥିବା ବେଳେ ଏହାକୁ ପୂର୍ବତଟ ରେଳବାଇର ସମ୍ବଲପୁର ଡିଭିଜନରେ ସାମିଲ କରିବାକୁ ଦାବି ହୋଇ ଆସୁଛି। ସେହିପରି ଝାରସୁଗୁଡ଼ା ପରେ ପରେ ରାୟଗଡ଼ ଅଭିମୁଖେ ପରବର୍ତୀ ୫ଟି ଷ୍ଟେସନ ଓଡ଼ିଶାର ହୋଇଥିଲେ ବି ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ ଅଧୀନସ୍ଥ ବିଳାସପୁର ଡିଭିଜନରେ ଆସୁଛି। ଇବ୍‌ ଭ୍ୟାଲି କୋଇଲା ଖଣି ଅଞ୍ଚଳରେ ପଡୁଥିବା ଏହି ଷ୍ଟେସନ ଗୁଡ଼ିକ ହେଲା ଇବ, ବ୍ରଜରାଜନଗର, ବେଲପାହାଡ଼, ହିମଗିର ଓ ଦାଘୋରା। ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ଏହି ଷ୍ଟେସନ ଗୁଡ଼ିକରୁ ରେଳବାଇ ପ୍ରଚୁର ରାଜସ୍ୱ ଆୟ କରୁଛି। ଏହି ଷ୍ଟେସନ ଗୁଡ଼ିକୁ ମଧ୍ୟ ସମ୍ବଲପୁର ଡିଭିଜନକୁ ହସ୍ତାନ୍ତର କରିବା ଦାବି ଏଯାଏଁ ପୂରଣ ହୋଇ ପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe