ସମ୍ବଲପୁର-ବ୍ରହ୍ମପୁର ରେଳପଥକୁ ରେଳବାଇ ବୋର୍ଡର ମଞ୍ଜୁରି

Advertisment
ସମ୍ବଲପୁର-ବ୍ରହ୍ମପୁର ରେଳପଥକୁ ରେଳବାଇ ବୋର୍ଡର ମଞ୍ଜୁରି

Northeast Now

ଓରିଡିଏଲ୍‌ର ସର୍ଭେ ଟେଣ୍ତର‌୍‌ ଆହ୍ବାନ
ଡିପିଆର‌୍‌, ଜମି ଅଧିଗ୍ରହଣ ରିପୋର୍ଟ ଦେବ
କାଇପଦର-ରାଜ ଆଠଗଡ଼ ରେଳ ଲାଇନ୍‌କୁ ବି ମଞ୍ଜୁରି

ବ୍ରହ୍ମପୁର/ସମ୍ବଲପୁର : ବିଳମ୍ବରେ ହେଲେ ବି ସମ୍ବଲପୁର-ବ୍ରହ୍ମପୁର ନୂତନ ରେଳପଥ ନିର୍ମାଣ ପାଇଁ ରେଳବାଇ ବୋର୍ଡର ମଞ୍ଜୁରି ମିଳିଛି। ସେହିପରି କାଇପଦର-ରାଜ ଆଠଗଡ଼ ‌େରଳପଥକୁ ବି ରେଳ ବୋର୍ଡ ମଞ୍ଜୁରି ଦେଇଛି। ଏହାପରେ ରେଳପଥ ନିର୍ମାଣ ଦାୟିତ୍ବରେ ଥିବା ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ୍‌ (ଓରିଡିଏଲ୍‌) ଚୂଡ଼ାନ୍ତ ଲୋକେସନ ସର୍ଭେ ପାଇଁ ଟେଣ୍ଡର ଆହ୍ବାନ କରିଛି।

ସୂଚନା ଅନୁସାରେ, ବ୍ରହ୍ମପୁର-ସମ୍ବଲପୁର ରେଳପଥରେ ଜଗନ୍ନାଥପୁରରୁ ରେଢ଼ାଖୋଲ ପର୍ଯ୍ୟନ୍ତ ଓ କଦଳୀଗଡ଼ରୁ ବାମୁର ଯାଏଁ (ୱାଇ ଲିଙ୍କ) ନୂଆ ରେଳ ଲାଇନ ତିଆରି ହେବ। ଜଗନ୍ନାଥପୁର ଓ ରେଢ଼ାଖୋଲଠାରେ ଏହା ପୂର୍ବରୁ ଥିବା ମୁଖ୍ୟ ଲାଇନ୍‌ ସହ ମିଶି ଯଥାକ୍ରମେ ବ୍ରହ୍ମପୁର ଓ ସମ୍ବଲପୁରକୁ ଯିବ। ତେଣୁ ଜଗନ୍ନାଥପୁରରୁ ରେଢ଼ାଖୋଲ ଭାୟା ଆସ୍କା, ଭଞ୍ଜନଗର, ଚକପଡ଼ା, ଫୁଲବାଣୀ, ବୌଦ୍ଧ, କଦଳୀଗଡ଼ ତଥା କଦଳୀଗଡ଼ରୁ ବାମୁର ପର୍ଯ୍ୟନ୍ତ ୱାଇ-ଲିଙ୍କ ପାଇଁ ୨୪୦ କିଲୋମିଟର ଲମ୍ବା ନୂଆ ସିଂଗଲ୍‌ ବ୍ରଡ୍‌ଗଜ୍‌ ରେଳ ଲାଇନ୍‌ ପଡ଼ିବ ଓ ସମାନ୍ତରାଳଭାବେ ବିଦ୍ୟୁତ୍‌କରଣ ମଧ୍ୟ ହେବ। ବର୍ତ୍ତମାନ ଚୂଡ଼ାନ୍ତ ଲୋକେସନ ସର୍ଭେ ପାଇଁ ଟେଣ୍ଡର ଆହୂତ ହୋଇଥିଲାବେଳେ ଏଥିରେ ‘ବ୍ୟବହାର୍ଯ୍ୟତା ଅଧ୍ୟୟନ ରିପୋର୍ଟ, ଏଲାଇନ୍‌ମେଣ୍ଟ ଡିଜାଇନ, ବିସ୍ତୃତ ପ୍ରକଳ୍ପ ବିବରଣୀ (ଡିପିଆର୍‌), ଜମି ଯୋଜନା ଓ ଅଧିଗ୍ରହଣ ସଂପର୍କିତ ଦସ୍ତାବେଜ ପ୍ରସ୍ତୁତି ତଥା ବ୍ୟୟ ଅଟକଳ ନିର୍ଧାରଣ’ ଆଦି ସାମିଲ ରହିଛି। ୮ ମାସ ମଧ୍ୟରେ ଏହି ସର୍ଭେ କାର୍ଯ୍ୟ ଶେଷ କରିବାକୁ ଟେଣ୍ଡରରେ ସର୍ତ୍ତ ରହିଛି। ‘ଏରିଏଲ ଲିଡର ଟେକ୍‌ନୋଲଜି’ ଜରିଆରେ ଏହି ସର୍ବେକ୍ଷଣ କରାଯିବ। ଘରୋଇ ସଂସ୍ଥା ଦ୍ବାରା ଏହି ସର୍ବେକ୍ଷଣ କାର୍ଯ୍ୟ ଶେଷ ହେବା ପରେ ପ୍ରସ୍ତୁତ ହୋଇଥିବା ଡିପିଆର୍‌କୁ ପୁଣିଥରେ ରେଳ ବୋର୍ଡ ନିକଟକୁ ଚୂଡ଼ାନ୍ତ ମଞ୍ଜୁରି ପାଇଁ ପଠାଯିବ। ରେଳବାଇ ବୋର୍ଡର ଚୂଡ଼ାନ୍ତ ମଞ୍ଜୁରି ମିଳିଲା ପରେ ରେଳପଥ ଯିବାକୁ ଥିବା ୫ଟି ଜିଲ୍ଲାର ଜମି ଅଧିଗ୍ରହଣ ଅଧିକାରୀଙ୍କ ପକ୍ଷରୁ ଜମି ଅଧିଗ୍ରହଣ ଆରମ୍ଭ ହେବ। ତାହା ୨-୩ ବର୍ଷ ମଧ୍ୟରେ ଶେଷ ହେବ ଓ ସମାନ୍ତରାଳଭାବେ ରେଳପଥ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହେବ। ଜମି ଅଧିଗ୍ରହଣ ଶେଷ ହେବାର ଅତି ବେଶୀରେ ୩ ବର୍ଷ ମଧ୍ୟରେ ରେଳ ଲାଇନ୍‌ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଯୋଜନା ରହିଛି।

ପ୍ରକାଶଥାଉକି, ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁରକୁ ସିଧାସଳଖ ପଶ୍ଚିମ ଓଡ଼ିଶାର ସମ୍ବଲପୁର ସହିତ ଯୋଡ଼ିବା ପାଇଁ ନୂତନ ରେଳପଥ ପ୍ରକଳ୍ପ ନିର୍ମାଣ କରିବା ନିମନ୍ତେ ଦୀର୍ଘବର୍ଷ ପୂର୍ବରୁ ଯୋଜନା ହୋଇଥିଲା। କେନ୍ଦ୍ର ସରକାରଙ୍କ ତରଫରୁ ଗତ ୨୦୧୦-୧୧ରେ ପ୍ରାଥମିକ ସର୍ଭେ କରିବା ପାଇଁ ପୂର୍ବତଟ ରେଳ ବିଭାଗକୁ ଅନୁମତି ମିଳିଥିଲା। ସେ ନେଇ ସର୍ଭେ ପରେ ୨୧୨ପୃଷ୍ଠାର ଏକ ରିପୋର୍ଟ କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରାଳୟ ନିକଟରେ ଦାଖଲ କରାଯାଇଛି। କିନ୍ତୁ ସେହି ରିପୋର୍ଟକୁ କାର୍ଯ୍ୟକାରୀ କରିବାରେ ବାରମ୍ବାର ବିଳମ୍ବ ହେଉଥିବା ନେଇ ଅଭିଯୋଗ ଉଠିଥିଲା। ଏହି ପ୍ରକଳ୍ପକୁ ତ୍ବରାନ୍ବିତ କରିବା ପାଇଁ ଗଞ୍ଜାମ, କନ୍ଧମାଳ, ବୌଦ୍ଧ ଓ ସମ୍ବଲପୁର ଜିଲ୍ଲାର ଆଇନଜୀବୀମାନେ ଏକଜୁଟ୍‌ ହୋଇ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ ଗଠନ କରି ଜୋରଦାର ଆନ୍ଦୋଳନ ଆରମ୍ଭ କରିଥିଲେ। ଏଶେଷରେ ଉଭୟ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାବାସୀଙ୍କ ସ୍ବାର୍ଥ ପାଇଁ ସରକାର ଏହି ନୂତନ ରେଳପଥ ପ୍ରକଳ୍ପ ଦାବିକୁ ଗ୍ରହଣ କରିଛନ୍ତି। ଫଳରେ ସ୍ବରୂପ ଓରିଡିଏଲ୍‌ ସର୍ଭେ ପାଇଁ ଟେଣ୍ତର‌୍‌ ଆହ୍ବାନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe