ହୀରାଖଣ୍ଡ ଏକ୍ସପ୍ରେସରୁ ଏଲ୍‌ଏଚ୍‌ବି କୋଚ୍ ପ୍ରତ୍ୟାହାର ମାମଲାରେ ରେଳବାଇର ସ୍ପଷ୍ଟୀକରଣ

ହୀରାଖଣ୍ଡ ଏକ୍ସପ୍ରେସରୁ ଏଲ୍‌ଏଚ୍‌ବି କୋଚ୍ ପ୍ରତ୍ୟାହାର ମାମଲାରେ ରେଳବାଇର ସ୍ପଷ୍ଟୀକରଣ

indiarailinfo.com

ଜୟପୁର : ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନରୁ ଏଲ୍‌ଏଚ୍‌ବି କୋଚ୍ ପ୍ରତ୍ୟାହାର ନେଇ ରେଳବାଇ ବିଭାଗ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି। ଗତ ୨୦ତାରିଖରେ ସମ୍ବାଦ ଜୟପୁର ସଂସ୍କରଣରେ ''ହୀରାଖଣ୍ଡ ଏକ୍ସପ୍ରେସ୍‌ରୁ ହଟିଲା ଏଲ୍‌ଏଚ୍‌ବି କୋଚ୍‌'' ଶୀର୍ଷକରେ ଏକ ଖବର ପ୍ରକାଶ ପାଇଥିବା ଉପରେ ଆଜି ରେଳବାଇ ବିଭାଗର ଇଷ୍ଟକୋଷ୍ଟ ‌ଡିଭିଜନର ଜନସମ୍ପର୍କ ଅଧିକାରୀ ନିହାର ରଞ୍ଜନ ମହାନ୍ତି ସ୍ପଷ୍ଟୀକରଣ ଦେଇଛନ୍ତି।

ଏନେଇ ସେ ଚିଠିରେ ଦର୍ଶାଇଛନ୍ତି ଯେ, ୦୮୪୪୫/୦୮୪୬୬ (ଭୁବନେଶ୍ବର-ଜଗଦଲପୁର-ଭୁବନେଶ୍ବର) ସ୍ପେଶାଲ ଟ୍ରେନ୍‌ ୨୦୨୧ ମସିହା ସେପ୍ଟେମ୍ବର ମାସ ୧୦ ତାରିଖରୁ ଲିଙ୍କେ-ହୋଫମାନ୍-ବୁଶ (ଏଲ୍‌ଏଚ୍‌ବି) କୋଚ୍ ସହିତ ଉଭୟ ଦିଗରୁ ଭୁବନେଶ୍ବର ଏବଂ ଜଗଦଲପୁର ମଧ୍ୟରେ ଚଳାଚଳ କରୁଛି। ତେବେ ୨୦୦୭-୨୦୦୮ ଭିଣ୍ଟେଡ୍ ମଡେଲ ଗୁଡ଼ିକର ନିରାପତ୍ତା ଏବଂ ଜରୁରୀ ମରାମତି ଦୃଷ୍ଟିରୁ ହୀରାଖଣ୍ଡ ସ୍ପେଶାଲ ରେକ୍‌ର ତିନୋଟି କୋଚ୍‌ ବଦଳାଗଲା। ଇଷ୍ଟକୋଷ୍ଟ ରେଳବାଇ ମୂଳ କୋଚ୍ ଗୁଡ଼ିକୁ ସଂଶୋଧନ କରି ସେମାନଙ୍କୁ ପୁନର୍ବାର ହୀରାଖଣ୍ଡ ରେକ୍‌ରେ ସଂଯୋଗ କରିଛି। ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ପୂର୍ବ ପାରମ୍ପରିକ ଆଇସିଏଫ କୋଚ୍ ୧୦ ସେପ୍ଟେମ୍ବରରୁ ଭୁବନେଶ୍ବର ଓ ଜଗଦଲପୁର ମଧ୍ୟରେ ଚାଲିଥିବା ହୀରାଖଣ୍ଡ ସ୍ପେଶାଲରେ ଚଳାଚଳ କରିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe