ଚର୍ଚ୍ଚାରେ ରେଳମନ୍ତ୍ରୀ: ମଝି ରାସ୍ତାରେ ଅଟକି ଜୟପୁର-ମାଲକାନଗିରି-ଭଦ୍ରାଞ୍ଚଲମର ମ୍ୟାପ ଦେଖିଲେ

ଚର୍ଚ୍ଚାରେ ରେଳମନ୍ତ୍ରୀ: ମଝି ରାସ୍ତାରେ ଅଟକି ଜୟପୁର-ମାଲକାନଗିରି-ଭଦ୍ରାଞ୍ଚଲମର ମ୍ୟାପ ଦେଖିଲେ

ମାଲକାନଗିରି: ମାଲକାନଗିରି ଗସ୍ତରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବୀନି ବୈଷ୍ଣବଙ୍କ ଗସ୍ତ ଏକ ପ୍ରକାର ସଫଳ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ତାଂକର ଲକ୍ଷ୍ୟ କଳାହାଣ୍ଡି ଜିଲ୍ଳା ଜୁନାଗଡ ଠାରୁ ଆନ୍ଧ୍ରପ୍ରଦେଶର ଭଦ୍ରାଞ୍ଚଲମ ପର୍ଯ୍ୟନ୍ତ ରେଳପଥ ଖୁବଶୀଘ୍ର ଲୋକଙ୍କୁ ଭେଟି ଦେବେ। ସର୍ଭେ କାମ ଏକ ପ୍ରକାର ସରିଯାଇଥିବା ବେଳେ ମାଲକାନଗିରି ଠାରୁ ଭଦ୍ରାଞ୍ଚଲମ ରେଳପଥର ସର୍ଭେ କାମ ଚାଲିଛି।

ତେବେ ଏହାକୁ ମାଲକାନଗିରି ବିଜେପି ତରଫରୁ ମନ୍ତ୍ରୀଙ୍କୁ ଦାବି କରାଯାଇଥିଲା। ମନ୍ତ୍ରୀ ମଧ୍ୟ ତୁରନ୍ତ ଏହି ଦାବିକୁ ମାନି ନେଇ ବିଭାଗୀୟ ଅଧିକାରୀଙ୍କୁ ଏଥିପାଇଁ କାମ କରିବା ଆରମ୍ଭ କରିବାକୁ ନିର୍ଦେଶ ଦେଇଥିଲେ। ତେବେ ସେ ଗତକାଲି କୋରାପୁଟରୁ କାର ଯୋଗେ ମାଲକାନଗିରି ଆସିବା ସମୟରେ ରାସ୍ତାରେ କେଉଁ ଆଡେ ରେଳପଥ ଯାଉଛି ତାହାର ତଦାରଖ କରିବା ସହ ରାସ୍ତା ମଝିରେ ଜୟପୁର ଠାରୁ ଭଦ୍ରାଞ୍ଚଲମର ମ୍ୟାପକୁ ମଧ୍ୟ ତଦାରଖ କରିଥିଲେ। ରେଲବ‌ାଇ ବିଭାଗର ଅଧିକାରୀଙ୍କ ଠାରୁ ଏହାର ରାସ୍ତା ସଂପର୍କରେ ପଚାରି ବୁଝିବା ସହ କେଉଁଠାରେ କଣ ଅସୁବିଧା ରହିଛି ତାହା ପଚାରି ବୁଝୁଥିବା ଦେଖିବାକୁ ମିଳିଥିଲା।

publive-image

ଗୋଦାବରୀ ନଦୀରେ ଏକ ବଡ ବ୍ରିଜ କରାଯିବା ପାଇଁ ବିଭାଗୀୟ ଅଧିକାରୀମାନେ କହିବା ପରେ ମନ୍ତ୍ରୀ ତୁରନ୍ତ ଏହାକୁ ମାନି ନେଇଥିଲେ। ରାଜ୍ୟ ସରକାରଙ୍କ ତରଫରୁ ଯେତେ ଶୀଘ୍ର ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ କରାଯିବ, ସେହି ଦିନ ଠାରୁ ତୁରନ୍ତ ରେଳପଥ କାର୍ଯ୍ୟ ମଧ୍ୟ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଥିଲେ। ଏପରିକି ରେଳପଥ ଆରମ୍ଭ ହେବା ସମୟରେ ସେ ନିଜେ ଆସି ରେଳପଥ କାମକୁ ଲୋକଙ୍କ ସହ ଦେଖିବେ ବୋଲି କହିଥିଲେ। ମନ୍ତ୍ରୀଙ୍କ ମହାନତା ନେଇ ଏବେ ଜିଲ୍ଲାରେ ବେଶ ଚର୍ଚ୍ଚା ଚାଲିଛି। ସେ ଚାହିଁଥିଲେ ହେଲିକେପ୍ଟର ଯୋଗେ ସିଧା ମାଲକାନଗିରିରେ ପହଞ୍ଚିପାରିଥାନ୍ତେ। କିନ୍ତୁ ରୋଡ ଦେଇ ଆସିବା ସହ ରେଳପଥର ଲାଇନକୁ ମଧ୍ୟ ଦେଖିବା ସହ ଏହାର ତଦାରଖ କରିଥିଲେ। ଲୋକଙ୍କ ସହ ସିଧା କଥା ହୋଇ ସେମାନଙ୍କର ସମସ୍ୟାକୁ ବୁଝିବା କାମ ଦେଖି ଲୋକେ ପ୍ରଶଂସାରେ ମନ୍ତ୍ରୀଙ୍କୁ ପୋତି ଦେଇଥିଲେ। ଏପରିକି ଛତିଶଗଡରୁ ଆସିଥିବା ରେଳ ଆନ୍ଦୋଳନ କମିଟି ପକ୍ଷରୁ ଦିଆଯାଇଥିବା ଦାବିକୁ ତୁରନ୍ତ ସେ ପୂରଣ କରିଥିଲେ। କାମ କରିବାର ସ୍ପୃହା ତାଂକ ନିକଟରେ ଦେଖିବାକୁ ମିଳିଥିଲା। ସେ ପୁଣି ଥରେ ମାଲକାନଗିରିକୁ ଆସି ରେଳପଥ କାର୍ଯ୍ୟକୁ ତରାନ୍ବିତ କରିବା ପାଇଁ ଲାଗି ପଡିବେ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe