ପଲ୍ଲୀରୁ ଯାଇ ପ୍ୟାରିସ୍‌ରେ ପ୍ରଶଂସିତ ହେଲା ‘ରାଇମାଳି’ ଏସ୍‌ଏଚ୍‌ଜି

Advertisment

ଅନ୍ତର୍ଜାତୀୟ ଖାଦ୍ୟମେଳାରେ ମାଣ୍ଡିଆଜାତ ଖାଦ୍ୟ ପ୍ରଦର୍ଶନ, ‘ନାରୀ ଏବେ ସମାଜରେ ଅବଳା କି ଦୁର୍ବଳା ନୁହେଁ’

ଅନ୍ତର୍ଜାତୀୟ ଖାଦ୍ୟମେଳାରେ ମାଣ୍ଡିଆଜାତ ଖାଦ୍ୟ ପ୍ରଦର୍ଶନ, ‘ନାରୀ ଏବେ ସମାଜରେ ଅବଳା କି ଦୁର୍ବଳା ନୁହେଁ’

ପଲ୍ଲୀରୁ ଯାଇ ପ୍ୟାରିସ୍‌ରେ ପ୍ରଶଂସିତ ହେଲା ‘ରାଇମାଳି’ ଏସ୍‌ଏଚ୍‌ଜି

ପୋଲସରା : ଓଡ଼ିଶା ମିଲେଟ୍ ମିସନ୍ ଆନୁକୂଲ୍ୟରେ ରାଜ୍ୟ ସରକାର ମାଣ୍ଡିଆ ଚାଷ ପାଇଁ ପ୍ରୋତ୍ସାହିତ ଯୋଗାଇଆସୁଛନ୍ତି। ସରକାରଙ୍କ ଏହି ପ୍ରୟାସକୁ ବିଶ୍ବ ଖାଦ୍ୟ ସଂଗଠନ ମଧ୍ୟ ପ୍ରଶଂସା କରିଛନ୍ତି। ଆଉ ଏହି ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି। ପ୍ୟାରିସ୍‌ରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଖାଦ୍ୟମେଳାରେ ଗଞ୍ଜାମ ଜିଲ୍ଲାର ଏକମାତ୍ର ମହିଳା ଏସ୍‌ଏଚ୍‌ଜି ଭାବେ ପୋଲସରା ବ୍ଲକ୍ ଚିରିକିପଡ଼ା ଗ୍ରାମର ରାଇମାଳି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଭାଗ ନେଇ ଜିଲ୍ଲା ପାଇଁ ଗୌରବ ଆଣିଛି। ଉକ୍ତ ମହିଳା ଏସ୍‌ଏଚ୍‌ଜି ଦ୍ବାରା ପ୍ରସ୍ତୁତ ବିଭିନ୍ନ ମାଣ୍ଡିଆଜାତ ଖାଦ୍ୟ ଏହି ମେଳାରେ ପ୍ରଦର୍ଶିତ ‌ହୋଇଥିବା ବେଳେ ଏଥିରେ ସଭାନେତ୍ରୀ ଚନ୍ଦ୍ରମା ସାହୁ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ଆମ ସହ ଆଲୋଚନା ବେଳେ ଚନ୍ଦ୍ରମା କହିଛନ୍ତି, ‘ନାରୀ ଏବେ ସମାଜରେ ଅବଳା କି ଦୁର୍ବଳା ନୁହେଁ। ନିଜ ଦୃଢ଼ ମନୋବଳ ଓ ଅଧ୍ୟବସାୟ ବଳରେ ସେ ନିଜେ ଏକ ସ୍ବତନ୍ତ୍ର ପରିଚୟ ତିଆରି କରିପାରିଛି’। ପୋଲସରା ବ୍ଲକ୍ ଚିରିକିପଡ଼ାଶାସନରେ ୨୦୦୮ ମସିହା ନଭେମ୍ବର ୩ ତାରିଖରେ ମାତ୍ର ୧୨ ଜଣ ମହିଳାଙ୍କୁ ନେଇ ମିନତି ନାୟକଙ୍କ ପ୍ରଚେଷ୍ଟାରେ ଉକ୍ତ ସ୍ବୟଂ ସହାୟିକା ଗୋଷ୍ଠୀ ଗଠିତ ହୋଇଥିଲା। ବର୍ତ୍ତମାନ ଚନ୍ଦ୍ରମା ସାହୁ (୩୬) ସଭାନେତ୍ରୀ ଭାବେ ଏହାର ମଙ୍ଗ ଧରିଛନ୍ତି। ୧୦୦ ଟଙ୍କା ଲେଖାଏଁ ସଞ୍ଚୟ କରି ସଦସ୍ୟାମ‌ାନେ ଏହି ଗୋଷ୍ଠୀ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ଏହା ରାଜ୍ୟ ଓ ଜାତୀୟସ୍ତରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିପାରିଛି।

ପୂର୍ବରୁ ଏହି ଗୋଷ୍ଠୀ ପ୍ରଥମେ ମାଛ ଓ ପରିବା ଚାଷ କରୁଥିଲା। କରୋନା ମହାମାରୀର ପ୍ରାଦୁର୍ଭାବ ଯୋଗୁଁ ଏକ ଭଡ଼ାଘରେ ବେସନରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରାଯାଇ ସ୍ଥାନୀୟ ବ୍ୟବସାୟୀଙ୍କୁ ଯୋଗାଇ ଦିଆଯାଉଥିଲା। ଉତ୍ତମମାନର ସାମଗ୍ରୀ ବ୍ୟବସାୟୀଙ୍କ ଗ୍ରହଣୀୟ ହୋଇପାରିଥିଲା।

ଏହାମଧ୍ୟରେ ଓଡ଼ିଶା ମିଲେଟ୍ ମିସନ୍ ଅଧୀନରେ ମାଣ୍ଡିଆ ଚାଷର ପ୍ରଚାରପ୍ରସାର ଏବଂ ପ୍ରୋତ୍ସାହନ ପାଇଁ ପୋଲସରା ବ୍ଲକ୍‌ର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ‘ଇଣ୍ଡିଆ’କୁ ଦାୟିତ୍ବ ଦିଆଯାଇଥିଲା। ଉକ୍ତ ଅନୁଷ୍ଠାନର ମୁଖ୍ୟ ଡ.କୁମୁଦ ଚନ୍ଦ୍ର ବେହେରା ଏବଂ ପ୍ରଣବ କୁମାର ଭୋଇ ମାଣ୍ଡିଆଚୂନାରୁ ସ୍ବାଦିଷ୍ଟ ଖାଦ୍ୟ ପ୍ରସ୍ତୁତ ନେଇ ମାର୍ଗଦର୍ଶନ ଦେଇଥିଲେ। ଅନୁଷ୍ଠାନ ପକ୍ଷରୁ ସ୍ବୟଂ ସହାୟିକା ଗୋଷ୍ଠୀକୁ ବିଭିନ୍ନ ଯନ୍ତ୍ରପାତି ଯୋଗାଇଦିଆଯିବା ସହ ମାଣ୍ଡିଆରୁ ଚୂନା, ଲଡ଼ୁ, ସେଓ ଓ ଗାଣ୍ଠିଆ ଆଦି ପ୍ରସ୍ତୁତ କରିବା ଆରମ୍ଭ ହୋଇଥିଲା। ଏସମସ୍ତ ଖାଦ୍ୟ ପ୍ୟାରିସ୍‌ରେ ଗତମାସ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଅନ୍ତର୍ଜାତୀୟ ଖାଦ୍ୟ ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଛି। ଯାହାକୁ ବିଶ୍ବ ଖାଦ୍ୟ ସଂଗଠନ ବି ପ୍ରଶଂସା କରିଛି। ଇତିଶ୍ରୀ ବେହେରା ଓ ରଶ୍ମିତା ବେହେରା ମଧ୍ୟ ଏହାର ମାର୍ଗଦର୍ଶିକା ଥିଲେ। ଆସନ୍ତା ୧୦ ତାରିଖରେ ରାଜ୍ୟରେ ମାଣ୍ଡିଆ ରାଜ୍ୟସ୍ତରୀୟ ଉତ୍ସବ ପାଳିତ ହେବାକୁ ଯାଉଥିବା ବେଳେ ଏହି କାର୍ଯ୍ୟକ୍ରମରେ ରାଇମାଳି ସ୍ବୟଂ ସହାୟିକା ଗୋଷ୍ଠୀକୁ ଭାଗ ନେବାକୁ ନିମନ୍ତ୍ରଣ ଆସିଛି। ଏହି ଗୋଷ୍ଠୀ ବ୍ଲକ୍‌ର ୧୯ଟି ପଞ୍ଚାୟତ ଅଧୀନ ୭୨ଟି ଗ୍ରାମରେ ୧୬୦୧ ଜଣ ଚାଷୀଙ୍କ ମାଧ୍ୟମରେ ୭୧୯ ହେକ୍ଟର୍ ଜମିରେ ଜୈବିକ ସାର ପ୍ରୟୋଗ ମାଧ୍ୟମରେ ମାଣ୍ଡିଆ ଚାଷ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe