ବର୍ଷା ଆସୁଛି: ପାକଳ ଫସଲ ଅମଳ କରନ୍ତୁ

Advertisment
୩ରେ ଆଣ୍ଡାମାନ ସାଗରରେ ଲଘୁଚାପ

ଭୁବନେଶ୍ବର: ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତା ୮ ରୁ ୧୦ ତାରିଖ ମଧ୍ୟରେ ଉପକୂଳ ସମେତ ଉତ୍ତର ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ସ୍ଥାନେ ସ୍ଥାନେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ତାହାକୁ ଦୃଷ୍ଟିରେ ରଖି କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶାଳୟ, ଓୟୁଏଟି ସମ୍ପ୍ରସାରଣ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଚାଷୀଙ୍କ ପାଇଁ ଆପାତ୍‌କାଳୀନ ଫସଲ ପରିଚାଳନା ପରାମର୍ଶ ଦିଆଯାଇଛି। କୁହାଯାଇଛି, ବର୍ଷା ହେବା ପୂର୍ବରୁ ପାଚି ଯାଇଥିବା ମଧ୍ୟମ କିସମ ଧାନକୁ ତୁରନ୍ତ କାଟି ସୁରକ୍ଷିତ ସ୍ଥାନରେ ରଖି ଦିଅନ୍ତୁ। ଅମଳ ହୋଇଯାଇଥିବା ସଅଳ କିସମ ଧାନକୁ ବେଙ୍ଗଳା କରି ଦିଅନ୍ତୁ କିମ୍ବା ପଲିଥିନ୍ ଘୋଡ଼ାଇ ସୁରକ୍ଷିତ ରଖନ୍ତୁ। ବର୍ଷାଦିନିଆ ମକାକୁ ଅମଳ କରିଦିଅନ୍ତୁ। ପାକଳ ଅବସ୍ଥାରେ ଥିବା ଖରିଫ୍ ଚିନାବାଦାମ, ମୁଗ ଓ ବିରିକୁ ଓପାଡ଼ି ନିରାପଦ ସ୍ଥାନକୁ ନେଇ ଆସନ୍ତୁ। ଧାନ ଜମିରୁ ବଳକା ପାଣି ବାହାରି ଯିବା ପାଇଁ କର ନାଳି କରନ୍ତୁ ଓ ନାଳିମୁହଁ ଖୋଲା ରଖନ୍ତୁ।

ଫୁଲକୋବି, ବନ୍ଧାକୋବି ଇତ୍ୟାଦି ତୋଳିବା ଅବସ୍ଥାରେ ଥିଲେ ତୋଳି ଦିଅନ୍ତୁ। ରବି ଫସଲରେ ବର୍ତମାନ ବୁଣାବୁଣି କାମ ବନ୍ଦ ରଖନ୍ତୁ। ବର୍ଷା ଛାଡ଼ିଗଲା ପରେ ପଡ଼ି ଯାଇଥିବା ପନିପରିବା ଗଛର ମୂଳକୁ ମାଟି ଦେଇ ଠିଆ କରାନ୍ତୁ। ସଂପୂର୍ଣ୍ଣ ଭାବେ ପନିପରିବା ଫସଲ ନଷ୍ଟ ହୋଇଯାଇଥିଲେ ଜମିରେ ପାଗ ଆସିଲା ପରେ ପୁଣି ଜମି ପ୍ରସ୍ତୁତ କରି ସଅଳ କିସମ କୋବି ଜାତୀୟ ଫସଲ ଓ ଶୀତଦିନିଆ ଅନ୍ୟାନ୍ୟ ପନିପରିବା ଫସଲ ଲଗାଇବାର ବ୍ୟବସ୍ଥା କରନ୍ତୁ। ପାଣି ଛାଡ଼ିଗଲା ପରେ ଧାନ, ପନିପରିବା ଓ ଡାଲି ଜାତୀୟ ଫସଲରେ କେତେକ ରୋଗ ପୋକ ଲାଗିବାର ସମ୍ଭାବନା ରହିଛି। ଧାନରେ କେଣ୍ଡାକଟା ପୋକ, ଗନ୍ଧିପୋକ, ବେକ ମହିଷା/କେଣ୍ଡା ମହିଷା, ପତ୍ରାଚ୍ଛାଦ ସଢ଼ା ରୋଗ ଲାଗିବାର ଆଶଙ୍କା ରହିଛି। ‌ତେଣୁ ପାଣିପାଗ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ପରିଚାଳନା ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି।

ଏହି ସମୟରେ କପା ତୋଳିବା ଅବସ୍ଥାରେ ଥିଲେ ସେଗୁଡ଼ିକ ବର୍ଷା ଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ତେଣୁ ଶୁଖିଲା ପାଗ ଦେଖି କପା ତୋଳି ଶୁଖାଇ ଅମଳ କରି ଦିଅନ୍ତୁ। କଦଳୀ ଫସଲ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ତେଣୁ ବର୍ଷା ପରେ ଭାଙ୍ଗି ପଡ଼ିଥିବା ଗଛଗୁଡ଼ିକୁ କାଟି ବାହାର କରି ଦିଅନ୍ତୁ। କଦଳୀ ବଗିଚାରୁ ଜଳ ନିଷ୍କାସନର ବ୍ୟବସ୍ଥା କରନ୍ତୁ। ବଗିଚାକୁ ପରିଷ୍କାର ରଖନ୍ତୁ। ପନିପରିବା ଓ ଡାଲିଜାତୀୟ ଫସଲରେ ଜଉପୋକ, ପାଉଁଶିଆ ରୋଗ, ଝାଉଁଳା ରୋଗ ଆଦି ଲାଗିପାରେ। ତେଣୁ ପଦକ୍ଷେପ ଗ୍ରହଣ କରିବା ସହ ଅଧିକ ଜାଣିବା ପାଇଁ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର, କୃଷି ସମ୍ପ୍ରସାରଣ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe