ମାଲକାନଗିରି: ଲଗାଣ ବର୍ଷା ମାଲକାନଗିରିବାସୀଙ୍କ ଜୀବନ ଅସ୍ତବ୍ୟସ୍ତ କରିଦେଇଛି। ଏବେ ବି ଜିଲ୍ଲାରେ ବର୍ଷା ଜାରି ରହିଛି। ମୋଟୁ ନିକଟରେ ରହିଥିବା ସିଲେରୁ ଏବଂ ସାବେରୀ ନଦୀରେ ପାଣି ଫୁଲିବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ମୋଟୁ –ଚିନ୍ତୁର ମଝିରେ ରହିଥିବା କୁଲଗୁର ବ୍ରିଜ ଉପରେ ୬ ଫୁଟର ପାଣି ପ୍ରବାହିତ ହେଉଛି।ଯାହାଫଳରେ ଆନ୍ଧ୍ରକୁ ଯୋଗାଯୋଗ ବିଛିନ୍ନ ହୋଇ ରହିଛି। ଏହି ରାସ୍ତା ଦେଇ ହାଇଦ୍ରାବାଦକୁ ବସ ଚଳାଚଳ ହେଉଥିବା ବେଳେ ଆଜି ପାଣି ରାସ୍ତା ଅବରୋଧ କରିଛି। ନଦୀର ଦୁଇ ପଟେ ଶହ ଶହ ଗାଡି ଅଟକି ରହିଛି। ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଆୟତ୍ତ କରିବା ସହ ତଳିଆ ଅଂଚଳର ଲୋକଙ୍କୁ ଅସ୍ଥାୟୀ ଗୃହମାନଙ୍କୁ ସ୍ଥାନାନ୍ତର କରୁଥିବା କୁହାଯାଇଛି।
/sambad/media/post_attachments/wp-content/uploads/2022/07/Mkg-lagan-barsha-mkg-behal-1.jpg)
ଲଗାଣ ବର୍ଷା ଯୋଗୁଁ ଗୋଦାବରୀ ନଦୀ ଫୁଲୁଥିବାରୁ ନଦୀର ପଛୁଆ ଜଳରେ ମୋଟୁ ଅଂଚଳରେ ପାଣି ଭର୍ତ୍ତି ହେଉଥିବା ଦେଖିବାକୁ ମିଳିଛି। ଗୋଦାବରୀ ନଦୀର ଦ୍ବିତୀୟ ବିପଦ ସଂକେତ ପାର ହୋଇଯାଇଥିବା ଜଣାପଡିଛି। ମାଲକାନଗିରି ଜିଲ୍ଲାର ଛୋଟ ବଡ ନଦୀରେ ମଧ୍ୟ ପାଣି ଫୁଲିଥିବା ଦେଖିବାକୁ ମିଳିଛି। ୩୨୬ ଜାତୀୟ ରାଜପଥ ସଂପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି। ସେହିପରି ମୋଟୁ ଏବଂ କାଲିମେଳା ମଧ୍ୟରେ ମଧ୍ୟ ଯୋଗାଯୋଗ ବିଛିନ୍ନା ହୋଇଯାଇଛି। ଆଜି ଜରୁରୀକାଳୀନ ବିଭାଗ ତରଫରୁ ରେକର୍ଡ କରାଯାଇଥିବା ବର୍ଷାର ପରିମାଣ ହେଲା ମାଲକାନଗିରି ବ୍ଲକରେ ୭୭ ମିଲିମିଟର ବର୍ଷା ହୋଇଥିବା ବେଳେ ମାଥିଲି ବ୍ଲକରେ ୮୭ ମିମି, ଖଇରପୁଟ ବ୍ଲକରେ ୯୪ ମିମି, ଚିତ୍ରକୋଣ୍ଡା ବ୍ଲକରେ ୧୦୪ ମିମି, କୋରକୋଣ୍ଡା ବ୍ଲକରେ ୧୧୯ ମିମି, କାଲିମେଳା ବ୍ଲକରେ ୯୫ ମିମି ଏବଂ ପଡିଆ ବ୍ଲକରେ ୧୦୮ ମିମି ବର୍ଷା ହୋଇଛି।
/sambad/media/post_attachments/wp-content/uploads/2022/07/Mkg-lagan-barsha-mkg-behal-3.jpg)
ତେବେ ଜିଲ୍ଲାରେ ମୋଟ ୬୮୪ ମିଲିମିଟର ବର୍ଷା ହୋଇଥିବା ବେଳେ ଏଭେରେଜ ୯୭.୭୪ ମିମି ରହିଥିବା ବିଭାଗ କହିଛି। ଜିଲ୍ଲାର କାଙ୍ଗୁରକୋଣ୍ଡା, ଏମଭି-୯୬, ଏମଭି-୯୦ ପୋଲ ଉପରେ ପାଣି ଚାଲୁଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁଁ ବେହାଲ ସ୍ଥିତି ଉପୁଜିଛି। ପ୍ରଶାସନ ତରଫରୁ ସମସ୍ତ ବନ୍ୟା ଅଂଚଳରେ ରହୁଥିବା ଅଧିକାରୀମାନଙ୍କୁକ ଆଲର୍ଟ କରାଯିବା ସହ କିପରି ଲୋକଙ୍କୁ ଉଚିତ ଜାଗାରେ ଥଇଥାନ କରାଯିବା ସହ ରନ୍ଧା ଖାଦ୍ୟ ପ୍ରଦାନ କରାଯିବ ସେନେଇ ଜିଲ୍ଲାପାଳ ସମସ୍ତ ବ୍ୟବସ୍ଥା ଦେଖୁଛନ୍ତି। କାଲିମେଳା ଓ ପଡିଆ ବ୍ଲକରେ ବିଶେଷ ଭାବେ ବହୁ କ୍ଷତି ହେଉଥିବା ଅନୁମାନ କରାଯାଉଛି। ଏଭଳି ଲଗାଣ ବର୍ଷା ଲାଗି ରହିଲେ ଆଗକୁ ପରିସ୍ଥିତି ଆହୁରି ଭୟାନକ ହେବ ବୋଲି କୁହାଯାଇଛି।
/sambad/media/post_attachments/wp-content/uploads/2022/07/Mkg-lagan-barsha-mkg-behal-5.jpg)
ମାଲକାନଗିରି -ଲିମେଳା ମଧ୍ୟରେ ରହିଥିବା ପୋଟେରୁ ବ୍ରିଜ ଉପରକୁ ମଧ୍ୟ ପାଣି କିଛି ସମୟ ମଧ୍ୟରେ ଉପରକୁ ଆସିଯିବ। ସେହିପରି ଏମଭି-୭ ବ୍ରିଜ ମଧ୍ୟ ବୁଡିଯିବ ବୋଲି କୁହାଯାଇଛି। ଆନ୍ଧ୍ର ଓ ଛତିଶଗଡକୁ ଯାଉଥିବା ସମସ୍ତ ଦୂରଗାମୀ ବସଗୁଡିକ ଦୀର୍ଘ ସମୟ ଧରି ଅଟକି ରହିଛି। ଯାତ୍ରୀମାନେ ନାହିଁନଥିବା ହଇରାଣ ହେଉଥିବା ଲକ୍ଷ୍ୟ କରାଯାଉଛି। ତେବେ ପ୍ରଶାସନ ତରଫରୁ ଯେପରି କୌଣସି ଅଘଟଣ ନଘଟେ ସେଥିପାଇଁ ପୁଲିସକୁ ନିୟୋଜିତ କରାଯାଇଛି। କୌଣସି ଗାଡି ଯେପରି ବ୍ରିଜଗୁଡିକ ଉପରେ ନଯାନ୍ତି ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ତେବେ ଆଗକୁ ଆହୁରି ବର୍ଷା ଥିବାରୁ ପ୍ରଶାସନ ଚିନ୍ତାରେ ରହିଛି।
Follow Us