ମାଲକାନଗିରି: ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିକୁ ସଂଯୋଗ କରୁଥିବା ରାସ୍ତା ଉପରେ ପାହାଡି ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ଗତକାଲି ଠାରୁ ଲଗାତାର ବର୍ଷା ଲାଗି ରହିଥିବାରୁ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇଯାଇଛି। ବଣ୍ଡାଘାଟିରେ ରହିଥିବା ଦୁଇଟି ପଞ୍ଚାୟତ ମୁଦୁଲିପଡା ଏବଂ ଅଣ୍ଡ୍ରାହାଲକୁ ଯୋଗାଯୋଗ ଠପ୍ ହୋଇପଡିଛି। ଖଇରପୁଟ ବ୍ଲକରେ ଗତକାଲି ୨୨୧ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଆଜି ୫୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ବର୍ଷା ଯୋଗୁଁ ପାହାଡି ପାଣି ମାଟି ଅତଡା ଧୋଇ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି। ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବାରୁ ପ୍ରଶାସନ ତରଫରୁ ଯାତାୟତକୁ ବନ୍ଦ କରିଦିଆଯାଇଛି। ବଣ୍ଡାଘାଟିର ଲୋକେ ଖଇରପୁଟ ଆସି ଫସି ଯାଇଥିବା ଦେଖିବାକୁ ମିଳିଛି। ପ୍ରଶାସନ ତରଫରୁ ସେମାନଙ୍କୁ ସମସ୍ତ ସୁବିଧା କରିବେ ବୋଲି ଜଣାପଡ଼ିଛି।ସେହିପରି ବଣ୍ଡାଘାଟିକୁ ଯାଇଥିବା ଲୋକେ ଆଉ ଖଇରପୁଟ ଫେରିପାରୁ ନାହାନ୍ତି। ବର୍ଷା ଏମିତି ଲାଗି ରହିଲେ ମାଟି ଅତଡା ମଧ୍ୟ ଖସି ରାସ୍ତା ଅବରୋଧ ହେବାର ଆଶଂକା ଦେଖା ଦେଇଛି। ବ୍ଲକ ପ୍ରଶାସନ ତରଫରୁ ସ୍ଥିତିକୁ ଅନୁଧ୍ୟାନ କରାଯାଉଥିବା ବେଳେ ସ୍ଥାନୀୟ ଅଗ୍ନିଶମ ବିଭାଗର କର୍ମଚାରୀ ମଧ୍ୟ ଅଲର୍ଟ ରହିଛନ୍ତି। ବଣ୍ଡାଘାଟିରେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ବହୁ ଘର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳୁଛି। ତେବେ ଯୋଗାଯୋଗ ବିଛିନ୍ନ ହୋଇଥିବାରୁ ବ୍ଲକ ପ୍ରଶାସନ ଘାଟି ଉପରକୁ ଯାଇପାରୁନଥିବା କହିଛନ୍ତି। ତେବେ ବର୍ଷା ଛାଡ଼ିଲେ କେତେ ଘର କ୍ଷୟ୭ତି ହୋଇଛି ତାହା ଆକଳନ କରାଯିବ ବୋଲି କୁହାଯାଇଛି।
Follow Us