ଦୀପାବଳିରେ କାଁ ଭାଁ ବର୍ଷା, ବାଂଲାଦେଶ ଛୁଇଁବ ବାତ୍ୟା

Advertisment
ଦୀପାବଳିରେ କାଁ ଭାଁ ବର୍ଷା, ବାଂଲାଦେଶ ଛୁଇଁବ ବାତ୍ୟା

Image Courtesy of Business Standard

ଭୁବନେଶ୍ବର : ଓଡ଼ିଶାରୁ ବାତ୍ୟା ସଙ୍କଟ ଟଳିଛି। ତେବେ ସମ୍ଭାବ୍ୟ ବାତ୍ୟା ବାଂଲାଦେଶରେ ସ୍ଥଳଭାଗ ଛୁଇଁବ ବୋଲି ଆଜି ଏକ ପ୍ରକାର ସ୍ପଷ୍ଟ ହୋଇଛି। ବାଂଲାଦେଶର ତିନକୋନା ଦ୍ବୀପ ଓ ସାନଦ୍ବୀପ ମଝିରେ କେଉଁଠି ବାତ୍ୟା ସ୍ଥଳ ଭାଗକୁ ଛୁଇଁପାରେ ବୋଲି ଆଜି ସୂଚନା ମିଳିଛି। ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶା ଉପକୂଳରେ ନଗଣ୍ୟ ରହିବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ଦେଇଛନ୍ତି। ତେଣୁ ଦୀପାବଳି ବି ଏଥର ଭଲରେ କଟିବ ବୋଲି ଜଣାପଡ଼ିଛି। ଆସନ୍ତାକାଲି ଓ ୨୪ ତାରିଖ କିଛି ସ୍ଥାନରେ ବର୍ଷା ହୋଇପାରେ। ବିଶେଷ କରି ଉପକୂଳରେ ବର୍ଷା ହେବ। ଆସନ୍ତାକାଲି ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ଓ ୨୪ ତାରିଖ ଦିନ ବାଲେଶ୍ବର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାର କିଛି ସ୍ଥାନରେ ବର୍ଷା ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଗତକାଲି ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ ଆ‌ଣ୍ଡାମାନ ସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ରହିଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବା ସହ ଅଧିକ ଘନୀଭୂତ ହୋଇ ଆଜି ସକାଳେ ଏକ ଅବପାତର ରୂପ ନେଇଛି। ଅବପାତଟି ବର୍ତ୍ତମାନ ଦକ୍ଷିଣପୂର୍ବ ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଛି। ଏହା ଧୀରେ ଧୀରେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରିବା ସହ ଅଧିକ ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ୨୩ ତାରିଖ ସକାଳେ ଏକ ଗଭୀର ଅବପାତରେ ପରିଣତ ହେବ। ପରବର୍ତୀ ସମୟରେ ଏହା ଦିଗ ବଦଳାଇ ଧୀରେ ଧୀରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ଅଧିକ ଘନୀଭୂତ ହୋଇ ଏକ ସାମୁଦ୍ରିକ ଝଡ଼ ବା ବା‌ତ୍ୟା ରୂପରେ ୨୪ ତାରିଖ ସକାଳ ସୁଦ୍ଧା କେନ୍ଦ୍ରୀୟ ବ‌ଙ୍ଗୋପସାଗରରେ ରହିବ। ଏହାପରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଏହାର ଗତି ଜାରି ରହିବ ଏବଂ ୨୫ ତାରିଖ ସକାଳେ ସୁଦ୍ଧା ବାତ୍ୟାଟି ତିନକୋନା ଦ୍ବୀପ ଓ ସାନଦ୍ବୀପ ମଧ୍ୟ ଦେଇ ବାଂଲାଦେଶ ଉପକୂଳ ଅତିକ୍ରମ କରିବ। ସମ୍ଭାବ୍ୟ ବାତ୍ୟା ଯୋଗୁଁ ୨୨ ତାରିଖରୁ ସମୁଦ୍ର ଅଶାନ୍ତ ରହିବ। ବିଶେ‌ଷ କରି ୨୩ରୁ ୨୫ ତାରିଖ ଯାଏ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଅଶାନ୍ତ ରହିବାର ଆଶଙ୍କା ରହିଥିବାରୁ ଏହି ସମୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe