ଜୁଲାଇରେ ଭିଜେଇଲା, ପୁଣି ଶୁଖେଇଲା: ଧାରା ଶ୍ରାବଣରେ ଦାଉ ସାଧିଲାଣି ପ୍ରଚଣ୍ଡ ଖରା

Advertisment

ଆଗଉନି ଚାଷକାମ

ଆଗଉନି ଚାଷକାମ

ଜୁଲାଇରେ ଭିଜେଇଲା, ପୁଣି ଶୁଖେଇଲା: ଧାରା ଶ୍ରାବଣରେ ଦାଉ ସାଧିଲାଣି ପ୍ରଚଣ୍ଡ ଖରା

ଭଞ୍ଜନଗର : ଗଞ୍ଜାମ ଚାଷୀଙ୍କୁ ‌ପ୍ରକୃତି ଯେମିତି ଦାଉ ସାଧୁଛି। ଚଳିତମାସରେ ଗତ କିଛିଦିନର ଲଗାଣ ବର୍ଷା ଚାଷୀ ମନରେ ଆଶ୍ବସ୍ତି ଆଣିଥିଲା। ଏହାସହ ଚାଷଜମିରେ ବର୍ଷାଜଳ ଲହଡ଼ି ମାରୁଥିଲା। କିନ୍ତୁ ଧାରା ଶ୍ରାବଣରେ ପୁଣି ପ୍ରଚଣ୍ଡ ଖରାର ପ୍ରକୋପ ଦେଖି ଚାଷୀ ମୁଣ୍ଡରେ ଯେମିତି ଚଡ଼କ ପଡ଼ିଛି। ଗତ ଏକ ସପ୍ତାହ ହେଲା ବର୍ଷା ହେଉ ନଥିବାରୁ ଚାଷକାମ ଆଶାନୁରୂପ ଆଗେଇପାରୁନି। ତଳି ଧାନକୁ କେମିତି ରୋଇବ, ଏହି ଚିନ୍ତାରେ ଚାଷୀ ପଡ଼ିଛି।

ଭଞ୍ଜନଗର ଉପଖଣ୍ଡର ଅଧିକାଂଶ ବ୍ଲକ୍‌ରେ ସ୍ବଳ୍ପ ବୃଷ୍ଟି ଯୋଗୁଁ ଚାଷକାମ ବାଧାପ୍ରାପ୍ତ ହୋଇଥିବା ସୂଚନା ହସ୍ତଗତ ହୋଇଛି। ଧାନରୁଆ ସମୟରେ ଏଭଳି ପାଣିପାଗ ଚାଷୀକୁ ଦିଗହରା କରିଛି। ଏଭଳି ପରିସ୍ଥିତିରେ ପାଣି ଅଭାବରୁ ଅନେକ ଜାଗାରେ ତଳି ମଧ୍ୟ ହୋଇ ନଥିବା ବେଳେ ରୁଆ କାର୍ଯ୍ୟ କେବେ ହେବ ଏହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖରିଫ୍ ଧାନ ଚାଷ ପାଇଁ ଚାଷୀମାନ‌େ ଜୁନ୍ ମାସରୁ ବୁଣା ଆରମ୍ଭ କରୁଥିବା ବେଳେ ଜୁଲାଇ ମାସରେ ଜମିକୁ କାଦୁଅ କରୁଥିଲେ। କିନ୍ତୁ ବର୍ତ୍ତମାନ ଖରାର ପ୍ରକୋପ ଅଧିକ ରହୁଥିବାରୁ ତାହା ଶୁଖିବାକୁ ବସିଛି। କେବଳ ଏତିକି ନୁହେଁ, ଜୁଲାଇ ମାସ ଶେଷ ସୁଦ୍ଧା ଧାନରୁଆ ମଧ୍ୟ ଶେଷ ହୋଇଯିବା କଥା। କିନ୍ତୁ ଏଥି‌ରେ ବିଳମ୍ବ ହେଲାଣି।  କାରଣ ଚାଷୀମାନେ ଜୁଲାଇ ୧୫ ଠାରୁ ହିଁ ଧାନ ରୋଇବା ଆରମ୍ଭ କରିଥିବା ବେଳେ ଅଗଷ୍ଟ ମାସ ପର୍ଯ୍ୟନ୍ତ ଚାଲୁ ରହିଥାଏ। କିନ୍ତୁ ବର୍ଷା ଅଭାବ ଚାଷୀଙ୍କୁ ଚିନ୍ତାରେ ପକାଇଛି।

ସୂଚନା ଅନୁଯାୟୀ ପ୍ରତ୍ୟେକ ବ୍ଲକ୍‌ରେ ଜୁନ୍ ମାସରେ ୧୬୮ ମିମି ଓ ଜୁଲାଇ ମାସରେ ୨୨୦.୮ ମିମି ବର୍ଷାର ଆବଶ୍ୟକତା ରହିଛି। ଭଞ୍ଜନଗର ଉପଖଣ୍ଡକୁ ବିଚାର‌ରେ ନେଲେ ଜୁନ୍‌ରେ ଭଞ୍ଜନଗର ବ୍ଲକ୍‌ରେ ୧୬୦ ମିମି.,ବେଲଗୁଣ୍ଠାରେ ୧୧୯.୩୦ ମିମି, ଜଗନ୍ନାଥପ୍ରସାଦରେ ୧୦୬.୬୦ ମିମି, ବୁଗୁଡ଼ାରେ ୧୨୫ ମିମି, ଆସିକାରେ ୧୧୧ ମିମି, ଧରାକୋଟରେ ୧୧୫ ମିମି, ଶେରଗଡ଼ ବ୍ଲକରେ ୨୨୯ ମିମି ଓ ସୋରଡ଼ା ବ୍ଲକରେ ୯୯ ମିମି ବର୍ଷା ହୋଇଛି।

ଏହାପରେ ଜୁଲାଇ ମାସରେ ପ୍ରଥମ ତିନି ସପ୍ତାହରେ ଲଗାଣ ବର୍ଷା ହୋଇଥିବା ବ‌େଳେ ବର୍ତ୍ତମାନ ଏକ ସପ୍ତାହ ହେଲା ବର୍ଷା ସଂପୂର୍ଣ୍ଣ ଉଭାନ ହୋଇଯାଇଛି। ଗତ ସପ୍ତାହରେ ଭଞ୍ଜନଗର ବ୍ଲକ୍‌ରେ ମାତ୍ର ଦୁଇ ଦିନ ୧୬ ମିମି ବର୍ଷା ହୋଇଛି। ସ‌େହିପରି ବେଲଗୁଣ୍ଠାରେ ୧୫ ମିମି, ଜଗନ୍ନାଥପ୍ରସାଦରେ ୪.୩ ମିମି, ବୁଗୁଡ଼ାରେ ୭ ମିମି, ଆସିକାରେ ୨୦.୨ ମିମି, ଧରାକୋଟରେ ୪୫ ମିମି, ଶେରଗଡ଼ରେ ୪୧ ମିମି ଓ ସୋରଡ଼ାରେ ୫୫.୧ ମିମି ବର୍ଷା ରେକର୍ଡ଼ କରାଯାଇଛି।

ବିଶେଷ କରି ଜଗନ୍ନାଥପ୍ରସାଦ ଓ ବୁଗୁଡ଼ା ବ୍ଲକ୍‌ରେ ଆବଶ୍ୟକତା ଠାରୁ କମ୍‌ ବ‌ର୍ଷା ହୋଇଥିବାରୁ ଆଗାମୀ ଦିନରେ ଚାଷକାର୍ଯ୍ୟ କିଭଳି ତ୍ବରାନ୍ବିତ ହେବ ତାକୁ ନେଇ ଚିନ୍ତା ଆରମ୍ଭ ହୋଇଛି। ଆଗାମୀ ଦିନରେ ବର୍ଷା ନହେଲେ ସ୍ଥିତି ସଂଗିନ୍ ହେବା ଆଶଙ୍କା ଦେଖାଦେଇଛି। କାରଣ ଏଭଳି ଘଡ଼ିସନ୍ଧି ସମୟରେ ଅଧିକାଂଶ ଜାଗାରେ ଜଳସେଚନ ପ୍ରକଳ୍ପ ବି ଅବ୍ୟବସ୍ଥା ଘେରରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe