ଦିନ ତମାମ ଢାଳିଲା ବର୍ଷା : କୁନ୍ଦୁରାରେ ବନ୍ୟା ପରିସ୍ଥିତି, ତଳିଆ ଅଂଚଳ ଜଳମଗ୍ନ

Advertisment

ଭାଙ୍ଗିଲା ଶତାଧିକ ଘର, ପ୍ରସ୍ତୁତ ରହିବାକୁ ଅଧିକାରୀମାନଙ୍କୁ ନିର୍ଦେଶ

ଭାଙ୍ଗିଲା ଶତାଧିକ ଘର, ପ୍ରସ୍ତୁତ ରହିବାକୁ ଅଧିକାରୀମାନଙ୍କୁ ନିର୍ଦେଶ

ଦିନ ତମାମ ଢାଳିଲା ବର୍ଷା : କୁନ୍ଦୁରାରେ ବନ୍ୟା ପରିସ୍ଥିତି, ତଳିଆ ଅଂଚଳ ଜଳମଗ୍ନ

New Indian Express

କୋରାପୁଟ : ପାଖାପାଖି ସପ୍ତାହେ ହେଲା ଝିପିରି ଝିପିରି ବର୍ଷା ଲାଗି ରହିଥିଲା। ଆଜି ସକାଳୁ କିନ୍ତୁ ଢାଳିଛି। ଦିନ ତମାମ ଟୋପା ବନ୍ଦ ହୋଇନି। ବରଂ, ତୁହାକୁ ତୁହା ବର୍ଷା ସାଧାରଣ ଜୀବନଯାତ୍ରାକୁ ଜଖମ କରି ଦେଇଛି। ଏମିତି ବର୍ଷା ଫଳରେ ତଳିଆ ଅଂଚଳରେ ପାଣି ଜମି ରହିଥିଲାବେଳେ ଶତାଧିକ ଘର ଭାଙ୍ଗିଛି। ଏପଟେ ଆସନ୍ତାକାଲି ଅଧିକ ବର୍ଷା ହେବାର ସମ୍ଭାବନା ରହିଥିବାରୁ ପ୍ରସ୍ତୁତ ରହିବାକୁ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। ତେବେ ଜିଲ୍ଲାରେ ବନ୍ୟା ଆଶଙ୍କା ନ ଥିବା ପ୍ରଶାସନ କହିଛି।

ଚଳିତବର୍ଷ କୋରାପୁଟ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇ ନ ଥିଲା। ତେବେ ଅଗଷ୍ଟ ଆରମ୍ଭରୁ ବର୍ଷାର ପରିମାଣ ସାମାନ୍ୟ ବଢିଥିଲା। ଲଘୁଚାପ କାରଣରୁ ସାରା ଜିଲ୍ଲାରେ ସପ୍ତାହେ ହେଲା ହାଲକା ବର୍ଷା ହେଉଥିଲା। ଝିପିରି ଝିପିରି ବର୍ଷା ଲାଗି ରହିଥିଲା ସାରା ଜିଲ୍ଲାରେ। ଆଜି ସକାଳୁ କିନ୍ତୁ ବର୍ଷାର ପରିମାଣ ବଢିଛି। ଜିଲ୍ଲାର ବିଭିନ୍ନ ଅ˚ଚଳରେ ତୁହାକୁ ତୁହା ବର୍ଷା ହୋଇଥିଲା। ଏପରିକି କିଛି ସ୍ଥାନରେ ବର୍ଷା ବିଲକୁଲ ବନ୍ଦ ହୋଇ ନ ଥିଲା। କୋରପୁଟ ସମେତ, ଜୟପୁର, ସେମିଳିଗୁଡା, କୁନ୍ଦୁରା, ସୁନାବେଡା, ବୋରିଗୁମ୍ମା, ବୈପାରୀଗୁଡା, ଦଶମନ୍ତପୁର ଆଦି ଅ˚ଚଳରେ ବର୍ଷାର ପରିମାଣ ଅଧିକ ରହିଛି। ଲଗାଣ ବର୍ଷା କାରଣରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିଲାବେଳେ କିଛି ଅ˚ଚଳରେ ପାଣି ଜମା ହୋଇ ରହିଛି। ଜିଲ୍ଲା ଜରୁରୀ କାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ୮ଟାରୁ ଅପରାହ୍ନ ୫ଟା ଭିତରେ କୋରାପୁଟ ଜିଲ୍ଲାରେ ହାରାହାରି ୪୫.୬୧ମିମି ବର୍ଷା ରେକର୍ଡ କରାଯାଇଛି। କୁନ୍ଦୁରାରେ ସର୍ବାଧିକ ୧୧୭.୪ ମିମି ବର୍ଷା ହୋଇଥିଲାବେଳେ ଜୟପୁରରେ ୮୨.୪ ମିମି ବର୍ଷା ହୋଇଛି। କୋରାପୁଟରେ ୫୩.୮ ମିମି, ନନ୍ଦପୁରରେ ୨୫.୨ ମିମି, ବୈପାରିଗୁଡାରେ ୬୫ମିମି, ସେମିଳିଗୁଡାରେ ୪୧.୮ ମିମି, ବୋରିଗୁମ୍ମାରେ ୫୦.୨ ମିମି, କୋଟପାଡରେ ୬୭ ମିମି ଓ ଦଶମନ୍ତପୁରରେ ୮୧ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଅପରପକ୍ଷରେ ଆଜି ସକାଳ ୮ଟା ସୁଦ୍ଧା ଜିଲ୍ଲାରେ ହାରାହାରି ୮.୯୧ ମିମି ବର୍ଷା ହୋଇଥିଲା। କୋରାପୁଟରେ ୨୧.୨ ମିମି, କୋଟପାଡରେ ୨୭ ମିମି, ବୈପାରିଗୁଡାରେ ୨୩ମିମି, ଜୟପୁରରେ ୬.୮ ମିମି ଓ ବୋରିଗୁମ୍ମାରେ ୧୬.୬ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

ଲଗାଣ ବର୍ଷା ଫଳରେ ଜିଲ୍ଳାର ବିଭିନ୍ନ ସ୍ଥାନରେ ତଳିଆ ଅଂଚଳ ଜଳମଗ୍ନ ହୋଇଯାଇଛି। ପାଣି ଜମି ରହିବାରୁ ସାଧାରଣ ଜୀବନଯାତ୍ରା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଗାଁରୁ ସହର ସବୁଠି ପାଣି ଜମିଛି। ଏପଟେ କୁନ୍ଦୁରାରେ ପ୍ରବଳ ବର୍ଷା କାରଣରୁ ବନ୍ୟା ପରି ସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷାରେ ଜିଲ୍ଳାର ବିଭିନ୍ନ ସ୍ଥାନରୁ ୧୦୫ଟି ଘର ଭାଙ୍ଗିଥିବା ସୂଚନା ଦେଇଛି ପ୍ରଶାସନ। ୧୦୪ଟି ଘର ଆଂଶିକ ଭାଙ୍ଗିଥିଲାବେଳେ ଗୋଟିଏ ଘର ସମ୍ପୂର୍ଣ୍ଣ ଭାଙ୍ଗିଛି। ଲଗାଣ ବର୍ଷା କାରଣରୁ ବିଭିନ୍ନ ଜଳ ଭଣ୍ଡାରର ଜଳସ୍ତର ବଢିବାରେ ଲାଗିଛି। ଆଜି ସକାଳ ସୁଦ୍ଧା କୋଲାବ ଜଳ ଭଣ୍ତାରର ଜଳସ୍ତର ବୃଦ୍ଧି ପାଇ ୮୪୮.୯୨ ମିଟରରେ ପହଞ୍ଚିଛି। ସେହିପରି ତେଲିଙ୍ଗିରି ଜଳଭଣ୍ଡାରରେ ଜଳସ୍ତର ବଢି ୬୨୨.୧ ମିଟର ଛୁଇଁଛି। ଏହି ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ରହିଛି ୬୩୩ ମିଟର। ଅପରପକ୍ଷରେ ପ୍ରବଳ ବର୍ଷାକୁ ଲକ୍ଷ୍ୟରେ ରଖି ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ସଜାଗ ରହିବାକୁ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। କ୍ଷୟକ୍ଷତି ନେଇ ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦେଶ ଦିଆଯାଇଛି ବୋଲି ଜିଲ୍ଲା ଜରୁରୀ କାଳୀନ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe