ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ଦୁଇ ଦିନ ଲାଗି ରହିବ ପ୍ରବଳ ବର୍ଷା : ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ଉତ୍ତର ଓଡ଼ିଶାରେ ଅଧିକ ବର୍ଷିବ

ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ଦୁଇ ଦିନ ଲାଗି ରହିବ ପ୍ରବଳ ବର୍ଷା : ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ଉତ୍ତର ଓଡ଼ିଶାରେ ଅଧିକ ବର୍ଷିବ

Skymet Weather

ଭୁବନେଶ୍ବର : ପଶ୍ଚିମବଙ୍ଗ-ଓଡ଼ିଶା ସୀମାନ୍ତ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୩ ଦିନ ଯାଏ ଓଡ଼ିଶାରେ ବର୍ଷା ଲାଗି ରହିବ। ଅଧିକାଂଶ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ତେବେ ଉତ୍ତର ଓ ପଶ୍ଚିମ ଓଡ଼ିଶାର ‌ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ତାହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ଓ ଶୁକ୍ରବାର ଲାଗି ୧୦ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ପରିସ୍ଥିତି ଉପରେ ଦୃଷ୍ଟି ରଖିବାକୁ ପରାମର୍ଶ ଦିଆଯାଇଛି।

ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ୧୨ ତାରିଖ ଅପରାହ୍ନ ସୁଦ୍ଧା ଭଦ୍ରକ, ଯାଜପୁର, ବାଲେଶ୍ବର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। କେତେକ ସ୍ଥାନରେ ୭୦ରୁ ୮୦ ମିମି ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଅନୁଗୁଳ, କଟକ, ଜଗତ୍‌ସିଂହପୁର, ଖୋର୍ଧା, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ଘୂର୍ଣ୍ଣିବଳୟ ଝାଡ଼ଖଣ୍ଡ ଆଡ଼କୁ ଅଗ୍ରସର ହେବାକୁ ଥିବାରୁ ୧୩ ତାରିଖଠାରୁ ଉପକୂଳ ଓଡ଼ିଶାରେ ବର୍ଷା କମିବ। ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ବର୍ଷା ଜାରି ରହିବ। ବିଶେଷକରି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ତେଣୁ ଉକ୍ତ ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଏହାଛଡ଼ା ଢେଙ୍କାନାଳ, ଅନୁଗୁଳ, ବାଲେଶ୍ବର, ଭଦ୍ରକ ଓ ଯାଜପୁରରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ଘୂର୍ଣ୍ଣିବଳୟର ପ୍ରଭାବ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଓଡ଼ିଶା ଉପରେ ରହୁଥିବାରୁ ଆସନ୍ତା ଦୁଇ ଦିନ ବର୍ଷା ହେବ। ବୁଧବାର ରାତି ଓ ଗୁରୁବାର ସକାଳ ସମୟରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା ଲାଗି ରହିବ। ଗୁରୁବାର ଅପରାହ୍ନଠାରୁ ଉପକୂଳ ଓଡ଼ିଶାରେ ବର୍ଷା କମିବ। ତେବେ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ବର୍ଷା ଲାଗିରହିବ। ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ସୋନପୁର, ବୌଦ୍ଧ, ଝାରସୁଗୁଡ଼ା ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ଅତିପ୍ରବଳ ବର୍ଷା ହୋଇପାରେ। ୧୨ ଓ ୧୩ ତାରିଖରେ ବର୍ଷା ହେବ ଏବଂ ୧୪ ତାରିଖଠାରୁ ବର୍ଷା ପରିମାଣ କମିବ।

publive-image Skymet Weather

ମଙ୍ଗଳବାର ସନ୍ଧ୍ୟାରୁ ଆଜି ସନ୍ଧ୍ୟା ୫ଟା ମଧ୍ୟରେ କଟକରେ ସର୍ବାଧିକ ୪୬ ମିମି ବର୍ଷା ରେକର୍ଡ କରାଯାଇଛି। ଏହା ବ୍ୟତୀତ ପାରାଦୀପରେ ୪୪.୮, ବାରିପଦାରେ ୩୩, ଚାନ୍ଦବାଲିରେ ୨୭, ଝାରସୁଗୁଡ଼ାରେ ୨୧.୯, ଭୁବନେଶ୍ବରରେ ୧୫.୪, କୋରାପୁଟରେ ୧୭.୬, ବଲାଙ୍ଗୀରରେ ୧୫.୬, ମାଲକାନଗିରିରେ ୧୩.୪ ମିମି ବର୍ଷା ହୋଇଛି। ଅନ୍ୟ ସ୍ଥାନଗୁଡ଼ିକରେ ବି ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe