ଓଡ଼ିଶାରେ ଲଘୁଚାପ ବର୍ଷାର ପ୍ରଭାବ କମ୍‌ ରହିବ

Advertisment
ଆଜି ବିଦାୟ ନେବ ମୌସୁମୀ, ଏଥର ୪% ଅଧିକ ବର୍ଷିଲା

republicworld.com

ଭୁବନେଶ୍ବର: କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉକ୍ତ ସ୍ଥାନରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହିତ ଜଡ଼ିତ ଘୂଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୭.୬ କିମି ଉଚ୍ଚତା ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି। ଏହା ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଏହାପରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ। ଏହି ଲଘୁଚାପ ପ୍ରଭାବରେ ଦକ୍ଷିଣ ଭାରତ ସମେତ ବାଂଲାଦେଶ ଓ ଉତ୍ତର-ପୂର୍ବ ରାଜ୍ୟରେ ପ୍ରବଳ ବର୍ଷା ହେବା ସହ ପଶ୍ଚିମବଙ୍ଗରେ ପ୍ରାୟତଃ ପ୍ରବଳ ବର୍ଷାର ସମ୍ଭାବନା ରହିଛି। କିନ୍ତୁ ଓଡ଼ିଶାରେ ଏହାର ପ୍ରଭାବ କମ୍‌ ରହିବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ରଖିଛନ୍ତି।

ଆକଳନ କରାଯାଉଛି, ଆଜି କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତାକାଲି ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେବ। ଏହାପରେ ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତର ପୂର୍ବ ଦିଗରେ ଆନ୍ଧ୍ର-ଓଡ଼ିଶା ଉପକୂଳର ଦୂରରେ ପଶ୍ଚିମ-ଉତ୍ତର ବଙ୍ଗୋପସାଗରକୁ ଗତି କରିବ। ୨୩ ତାରିଖରେ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟତର ହେବା ବେଳେ ୨୪ ତାରିଖରେ ଉତ୍ତର ଉପକୂଳ ଯଥା ଚାନ୍ଦବାଲିଠାରୁ ଦୂରରେ ରହିବ। ୨୫ ତାରିଖରେ ପଶ୍ଚିମବଙ୍ଗ/ବାଂଲାଦେଶ ଉପକୂଳ ସ୍ପର୍ଶ କରିପାରେ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ବାସ କହିଛନ୍ତି, ଲଘୁଚାପ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଆସନ୍ତାକାଲି ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ପ୍ରବଳ ବର୍ଷା ହୋଇପାରେ। ଏନେଇ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। କିନ୍ତୁ ୨୨ ତାରିଖ ଗଞ୍ଜାମ ଓ ପୁରୀରେ ପ୍ରବଳରୁ ଅତିପ୍ରବଳ ବର୍ଷିବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ଗଜପତି, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଓ ଯାଜପୁରରେ ପ୍ରବଳ ବର୍ଷା ହେବ। ୨୩ ତାରିଖ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ପ୍ରବଳ ବର୍ଷା ହେବ। ତେବେ ଯେକୌଣସି ପରିସ୍ଥିତି ପାଇଁ ସଜାଗ ରହିବାକୁ ସ୍ବତନ୍ତ୍ର ରିଲିଫ୍ କମିସନର୍‌ ପ୍ରଦୀପ ଜେନା ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଓଡ଼ିଶା ଉପକୂଳକୁ ମତ୍ସ୍ୟଜୀବୀମାନଙ୍କୁ ନଯିବାକୁ କୁହାଯାଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଲଘୁଚାପ ପ୍ରଭାବରେ ୨୧ରୁ ୨୩ ତାରିଖ ମଧ୍ୟରେ ଆନ୍ଧ୍ର, ତାମିଲନାଡୁ, ତେଲେଙ୍ଗାନା ଓ କର୍ଣ୍ଣାଟକରେ ପ୍ରବଳ ବର୍ଷା ହେବ। ପଶ୍ଚିମବଙ୍ଗରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଓଡ଼ିଶାରେ ସବୁଠାରୁ କମ୍‌ ବର୍ଷା ହେବ। ୨୧ ଓ ୨୨ ତାରିଖରେ ଜଗତସିଂହପୁରରୁ ଗଞ୍ଜାମ ଉପକୂଳ ସହିତ ଗଜପତି ଓ ରାୟଗଡ଼ାରେ ସ୍ବଳ୍ପରୁ ମଧ୍ୟମ (୩୫ ମିମି) ବର୍ଷା ହେବ। ୨୩ ତାରିଖରେ ସମଗ୍ର ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ଓ ଗୋଟିଏ ବା ଦୁଇଟି ସ୍ଥାନ‌ରେ ପ୍ରବଳ ବର୍ଷା ହେବ। ୨୪ ତାରିଖରେ ପୁରୀଠାରୁ ବାଲେଶ୍ବର ଉପକୂଳରେ ବର୍ଷା ଥିବା ବେଳେ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବରରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଅନ୍ୟାନ୍ୟ ଜିଲ୍ଲାରେ ୨୪ ତାରିଖ ପର୍ଯ୍ୟନ୍ତ ଶୁଖିଲା ପାଗ ବା ସ୍ବଳ୍ପ ବର୍ଷା ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe