ରାଜ୍ୟରେ ୨୧ ପ୍ରତିଶତ ନିଅଣ୍ଟିଆ ବର୍ଷା: ଜୁଲାଇ ବି ଭରଣା କରିପାରିଲାନି, ଭଦ୍ରକ ଓ ଯାଜପୁରରେ ସ୍ଥିତି ଉତ୍କଟ

Advertisment

୧୫ ଜିଲ୍ଲାରେ ସ୍ବାଭାବିକ ଓ ୧୫ରେ ନିଅଣ୍ଟିଆ

୧୫ ଜିଲ୍ଲାରେ ସ୍ବାଭାବିକ ଓ ୧୫ରେ ନିଅଣ୍ଟିଆ

ଖୋର୍ଦ୍ଧା ଜିଲ୍ଲାରେ କମୁଛି ମୌସୁମୀ ବର୍ଷାର ପରିମାଣ

en.gaonconnection.com

ଭୁବନେଶ୍ବର : ଜୁନ୍‌ର ଅଭାବୀ ବର୍ଷା ଜୁଲାଇରେ ଭରଣା ହୋଇଯିବ ବୋଲି ଆଶା ଥିଲା। ଜୁଲାଇ ସରିବା ଉପରେ, ମୌସୁମୀ ସାଙ୍ଗକୁ ୩ଟି ଲଘୁଚାପ ବର୍ଷା ସତ୍ତ୍ବେ ରାଜ୍ୟରେ ସ୍ବାଭାବିକ ବର୍ଷା ହୋଇନି। ଜୁନ୍‌ ୧ରୁ ଜୁଲାଇ ୨୯ ମଧ୍ୟରେ ଓଡ଼ିଶାରେ ମୋଟ ୪୪୭ମିମି ବର୍ଷା ହୋଇଛି। ସ୍ବାଭାବିକ ଭାବେ ଏହି ସମୟ ମଧ୍ୟରେ ରାଜ୍ୟରେ ୫୩୮ ମିମି ବର୍ଷା ହୋଇଥାଏ। ପ୍ରତିଶତରେ ହିସାବକୁ ନେଲେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୧% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ତେବେ ଆସନ୍ତା ୨ ଦିନ ବର୍ଷା ହେବାକୁ ଥିଲେ ହେଁ ତାହା ଏହି ନିଅଣ୍ଟିଆ ବର୍ଷାକୁ ଭରଣା କରିପାରିବ ନାହିଁ ବୋଲି ପାଣିପାଗ ବିଜ୍ଞାନୀମାନେ କହିଛନ୍ତି।

ଅପରପକ୍ଷେ ନିଅଣ୍ଟିଆ ବର୍ଷା ରେକର୍ଡ କରିଥିବା ଭଦ୍ରକ ଜିଲ୍ଲାର ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ପୂର୍ବରୁ ଏଠାରେ ୬୧ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ଜୁଲାଇ ଶେଷ ଆଡ଼କୁ ସେଥିମଧ୍ୟରୁ ୨୦ ପ୍ରତିଶତ ଭରଣା ହୋଇଯାଇଛି। ଯାଜପୁରର ସ୍ଥିତି ବି ସମାନ ରହିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ଯେ ରାଜ୍ୟରେ ବର୍ତ୍ତମାନ ୧ ୫ଜିଲ୍ଲାରେ ସ୍ବାଭାବିକ ଓ ୧୫ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ପରିସ୍ଥିତି ଦେଖିବାକୁ ମିଳୁଛି। ଭଦ୍ରକ ଓ ଯାଜପୁରରେ ପୁଣିଥରେ ନିଅଣ୍ଟିଆ ବର୍ଷାର ସ୍ଥିତି ଉତ୍କଟ ହୋଇଛି। ପୁଣି ଏଠାରେ ୪୦%ରୁ ଅଧିକ ନିଅଣ୍ଟିଆ ବର୍ଷା ରେକର୍ଡ ହେଲାଣି।

ଅପରପକ୍ଷେ ଗତକାଲିର ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ଆଜି ବାଂଲାଦେଶ ଉପକୂଳ ଓ ସଂଲଗ୍ନ ପଶ୍ଚିମବଙ୍ଗରେ ସକ୍ରିୟ ରହିଛି। ଏହାସହ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ମଧ୍ୟଭାଗ ଯାଏ ଲମ୍ବିଛି ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପଟି ପଶ୍ଚିମ ମୁହାଁ ହୋଇ ପଶ୍ଚିମବଙ୍ଗ, ଝାରଖଣ୍ଡ ଓ ବିହାର ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ଲଘୁଚାପ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଓଡ଼ିଶାର କେତେକ ଜିଲ୍ଲାର ଅଧିକାଂଶ ସ୍ଥାନରେ ହାଲୁକାର ମଧ୍ୟମଧରଣର ବର୍ଷା ହେବା ସହ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି। ସମ୍ଭାବିତ ପ୍ରବଳ ବର୍ଷା ପ୍ରଭାବରେ କିଛି ଜିଲ୍ଲାର ତଳିଆ ଅଞ୍ଚଳରେ ସାମୟିକ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହେବର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

କେନ୍ଦ୍ର କହିଛି ଯେ ଆସନ୍ତାକାଲି ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ବଲାଙ୍ଗୀର ଓ ନୂଆପଡ଼ା ଆଦି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେହିପରି ୩୧ ତାରିଖ ଦିନ ସୁନ୍ଦରଗଡ଼, ଦେବଗଡ଼ ଓ କେନ୍ଦୁଝରର କିଛି କିଛି ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ। ଏଣୁ ଏହି ଦୁଇ ଦିନ ପାଇଁ ଉପରୋକ୍ତ ଜିଲ୍ଲାଗୁଡ଼ିକରେ ୟେଲୋୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଥିସହ ଏହି ୪୮ଘଣ୍ଟା ମଧ୍ୟରେ ରାଜ୍ୟର ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe