ଆହୁରି ୪୮ ଘଣ୍ଟା ବର୍ଷିବ: ଚାଷକୁ ପୁଣି ଅଦିନିଆ ବର୍ଷା ମାଡ଼

Advertisment
ଆଜି୧୦ ଜିଲ୍ଲା‌ରେ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର : ଚାଷ ପାଇଁ ପୁଣି କାଳ ସାଜିଛି ଅଦିନିଆ ବର୍ଷା। ଅମଳ ସମୟରେ ଧାନ ଉଜାଡ଼ିଥିଲା। ଆଉ ଏବେ ପନିପରିବା ବି ଉଜାଡ଼ିଛି। ଦୁଇ ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ଉଦ୍ୟାନ କୃଷି ଚାଷ ଗୁରୁତର ଭାବେ ପ୍ରଭାବିତ ହୋଇଛି। କେଉଁଠି ପନିପରିବା ଚାଷ ହୋଇଥିବା ଜମିରେ ପାଣି ଜମି ରହିଛି ତ ଆଉ କେଉଁଠି କୋବିକୁ ମାଡ଼ କରିଛି କୁଆପଥର। ବଡ଼ ବଡ଼ କୁଆପଥର ପଡ଼ିବାରୁ ପଶ୍ଚିମ ଓଡ଼ିଶାର ଏକର ଏକର ଜମିରେ ଚାଷ ହୋଇଥିବା ପିଆଜ ପଚିଯାଇଛି। ଉପକୂଳ ଓଡ଼ିଶାରେ ଧାଳ ଅମଳ ବି ବିଳମ୍ବିତ ହୋଇଛି। କେତେକ ସ୍ଥାନରେ ମଣ୍ଡିରେ ଜମା ହୋଇ ରହିଥିବା ଧାନ କୁଆପଥର ବର୍ଷା ମାଡ଼ ଖାଉଥିବାରୁ ଚାଷୀ ଏବେ ମୁଣ୍ଡରେ ହାତ ଦେଇଛି। କୁଆପଥର ବର୍ଷାର ମାତ୍ରା ଏବେ ଭୟଙ୍କର ଥିଲା ଯେ ନବରଙ୍ଗପୁରରେ ଲୋକଙ୍କ ଚାଷ ଛପର ଘର ମଧ୍ୟ ଭାଙ୍ଗି ଦେଇଛି। ରାସ୍ତା ଉପରେ ୨ରୁ ୩ ଇଞ୍ଚ୍‌ର କୁଆପଥର ଗଦା ହୋଇପଡ଼ିଥିବା ନଜରକୁ ଆସିଛି।

ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର ୧୭ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ। କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇପାରେ। ସ୍ଥାନେ ସ୍ଥାନେ ୬୦ରୁ ୧୧୦ ମିମି ପର୍ଯ୍ୟନ୍ତ ବର୍ଷା ହେବାରୁ ଥିବାରୁ ରାଜ୍ୟରେ କୃଷି କ୍ଷେତ୍ର ଉପରେ ପ୍ରଭାବ ପଡ଼ିବ। ୧୭ଟି ଜିଲ୍ଲାରେ ଅଧିକ ପ୍ରଭାବ ପଡ଼ିବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସମୟ ମଧ୍ୟରେ ଚାଷୀମାନେ ସତର୍କତା ଅବଲମ୍ବନ କରିବା ସହ ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

publive-image Sambad

ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ୧୩ ତାରିଖ ସକାଳ ସୁଦ୍ଧା ଉପକୂଳ ଓଡ଼ିଶାର ସମସ୍ତ ଜିଲ୍ଲା ସମେତ କନ୍ଧମାଳ, ରାୟଗଡ଼ା, କୋରାପୁଟ, କଳାହାଣ୍ଡି, ଢେଙ୍କାନାଳ, ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ତେବେ ପରବର୍ତୀ ୨୪ ଘଣ୍ଟା ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ। କାରଣ ଏହି ସମୟରେ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ଅନୁଗୁଳ, ଢେଙ୍କାନାଳ, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ନୟାଗଡ଼, କଟକ ଓ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ୧୪ ତାରିଖ ସକାଳଠାରୁ ୧୫ ତାରିଖ ସକାଳ ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ନୟାଗଡ଼, ଖୋର୍ଧା, ପୁରୀ, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲା କଳିଙ୍ଗାରେ ସର୍ବାଧିକ ୧୫ ସେମି ବର୍ଷା ହୋଇଛି। ବଲାଙ୍ଗୀର ଜିଲ୍ଲା ଜି. ଉଦୟଗିରି, ବଲାଙ୍ଗୀର ଜିଲ୍ଲାର ସାଲେଭଟ୍ଟ, ନବରଙ୍ଗପୁରର ଝରିଗାଁରେ ୭ ସେମି ଲେଖାଏ ବର୍ଷା ରେକର୍ଡ କରାଯାଇଛି। କନ୍ଧମାଳ ଜିଲ୍ଲାର ଟିକାବାଲି, ନୂଆପଡ଼ା ଜିଲ୍ଲାର କୋମନା, କନ୍ଧମାଳର ରାଇକିଆରେ ୬ ସେମି, ବଲାଙ୍ଗୀର, ଝାରସୁଗୁଡ଼ା, ବଲାଙ୍ଗୀରର ଅଗଲାପୁର, ବଲାଙ୍ଗୀରର ବେଲପଡ଼ା, ନୂଆପଡ଼ାରେ ୫ ସେମି ଲେଖାଏ ବର୍ଷା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe