ରାଜ୍ୟରେ ଜୁଲାଇ ୨ ପର୍ଯ୍ୟନ୍ତ ବର୍ଷା

Advertisment
୭ରୁ ଲଘୁଚାପ ବର୍ଷା, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର : ଜୁଲାଇ ୨ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ୨୮ ତାରିଖରେ ନବରଙ୍ଗପୁର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ବୌଦ୍ଧ, ସୋନପୁର, ସମ୍ବଲପୁର, ଅନୁଗୁଳ, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହୋଇପାରେ। ପରବର୍ତୀ ଦୁଇ ଦିନ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ଜୁଲାଇ ପହିଲା ତଥା ଶ୍ରୀଗୁଣ୍ଡିଚାରେ ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ଅନ୍ୟ ସ୍ଥାନଗୁଡ଼ିକରେ କାଳବୈଶାଖୀ ପ୍ରଭାବରେ ହାଲୁକା ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ୍‌ ଆର ବିଶ୍ବାସ ପୂର୍ବାନୁମାନ କରିଛନ୍ତି।

ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ଜନିତ ବର୍ଷା ଏବେ ବି ନିଅଣ୍ଟିଆ ରହିଛି। ଜୁନ୍‌ ପହିଲାରୁ ଏବେ ସୁଦ୍ଧା ସ୍ବାଭାବିକ ଭାବେ ୧୮୬.୧ ମିମି ବର୍ଷା ହେବା କଥା। ମାତ୍ର ୧୦୮.୧ ମିମି ବର୍ଷା ରେକର୍ଡ କରାଯାଇଛି। ମୌସୁମୀ ଛୁଇଁବା ପରଠାରୁ ମାତ୍ର ୯୭ ମିମି ହୋଇଛି। ପୁରୀ, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼ ଜିଲ୍ଲାରେ ସବୁଠାରୁ ଅଧିକ ନିଅଣ୍ଟିଆ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜର କପ୍ତିପଦା, କନ୍ଧମାଳର କୋଟାଗଡ଼ରେ ସର୍ବାଧିକ ୫ ସେମି ଲେଖାଏ ବର୍ଷା ହୋଇଛି। ଝାରସୁଗୁଡ଼ାର ଲାଇକେରା, କିରମିରାରେ ୪ ସେମି, କନ୍ଧମାଳର ଜି ଉଦୟଗିରି, ଭଦ୍ରକର ବାସୁଦେବପୁର, ବାଲେଶ୍ବରର ସୋର, ନବରଙ୍ଗପୁରର ରାଇଘର, କଟକର ମାହାଙ୍ଗାରେ ୩ ସେମି ଲେଖାଏ ବର୍ଷା ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe