୩ ଦିନ ବର୍ଷା, ଶେଷ ସପ୍ତାହରେ ପାଗ ଶୁଖିଲା

Advertisment
ରାଜ୍ୟରେ ଦୁଇ ଦିନ ଅତିପ୍ରବଳ ବର୍ଷା; ରବିବାର ୮, ସୋମବାର ୯ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ

Deccan Herald

ଭୁବନେଶ୍ବର : ଆସନ୍ତା ୩ ଦିନ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବ। ଆଜି ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ବରଗଡ଼, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ସେହିଭଳି ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଣୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ‌୨୩ ଓ ୨୪ ତାରିଖରେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଏହାପରେ ଆଉ ବିଶେଷ ବର୍ଷାର ସମ୍ଭାବନା ନାହିଁ। ଜୁନ୍‌ ଶେଷ ସପ୍ତାହରେ ରାଜ୍ୟରେ ପାଗ ପ୍ରାୟତଃ ଶୁଖିଲା ରହିବ।

କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ ଜୁନ୍‌ ୧ରୁ ୨୧ତାରିଖ ସୁଦ୍ଧା ଓଡ଼ିଶାରେ ହାରାହାରି ୧୩୬.୩ ମିମି ବର୍ଷା ହୋଇଯାଇଛି। ଏହା ସ୍ୱାଭାବିକ ବର୍ଷା ୧୨୬.୬ମିମିଠାରୁ ପ୍ରାୟ ୮ପ୍ରତିଶତ ଅଧିକ। ତେବେ ଏହି ଅବଧି ମଧ୍ୟରେ ରାୟଗଡ଼ା, ଗଞ୍ଜାମ, ଗଜପତି, ନୟାଗଡ଼, ଯାଜପୁର, ଭଦ୍ରକ ଓ କେନ୍ଦୁଝର ଆଦି ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି, ଯାହା ସ୍ଵାଭାବିକ ବର୍ଷାଠାରୁ ୨୦ରୁ ୫୯% କମ୍‌। ସେହିଭଳି ଏହି ଅବଧି ମଧ୍ୟରେ ୩ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡା ଓ କୋରାପୁଟରେ ସ୍ୱାଭାବିକଠାରୁ ଅତ୍ୟଧିକ ଅର୍ଥାତ୍‌ ୬୦% କିମ୍ବା ତା'ଠାରୁ ଅଧିକ ବର୍ଷା ହୋଇଛି। ଅନ୍ୟପଟେ ୮ ଜିଲ୍ଲା ଯଥା, କଟକ, ପୁରୀ, ଦେବଗଡ଼, ସମ୍ବଲପୁର, ବରଗଡ଼, ସୋନପୁର, ନୂଆପଡ଼ା ଓ ମାଲକାନଗିରିଠାରେ ସ୍ୱାଭାବିକଠାରୁ ୨୦ରୁ ୫୯ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଅବଶିଷ୍ଟ ୧୨ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଯାଇଥିବା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁଦ୍ଧା ଝାରସୁଗୁଡ଼ା ଜିଲ୍ଲାରେ ସର୍ବାଧିକ ୨୦୩.୪ମିମି ଓ ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୬୪.୨ ମିମି ବର୍ଷା ରେକର୍ଡ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe