୩ ଦିନ ପରେ ପୁଣି ଶୁଖିଲା ପାଗ, ୨୧ରୁ ମୌସୁମୀ ବର୍ଷା

Advertisment

୨୦ରୁ ୨୨ ଯାଏ ଦକ୍ଷିଣ ଓଡ଼ିଶାରେ ବର୍ଷା, ଲଘୁଚାପର ରୂପ ନେଇ ନପାରେ ଘୂର୍ଣ୍ଣିବଳୟ

୨୦ରୁ ୨୨ ଯାଏ ଦକ୍ଷିଣ ଓଡ଼ିଶାରେ ବର୍ଷା, ଲଘୁଚାପର ରୂପ ନେଇ ନପାରେ ଘୂର୍ଣ୍ଣିବଳୟ

୩ ଦିନ ପରେ ପୁଣି ଶୁଖିଲା ପାଗ, ୨୧ରୁ ମୌସୁମୀ ବର୍ଷା

firstpost.com

ଭୁବନେଶ୍ବର: ଦକ୍ଷିଣ-ପଶ୍ଚିମ ମୌସୁମୀ ଲାଗି ଓଡ଼ିଶାରେ ପାଗ ଅନୁକୂଳ ହୋଇଛି। ଯଦି ସବୁ କିଛି ଠିକ୍‌ଠାକ୍‌ ଚାଲେ ‌ତେବେ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ। ପ୍ରବଳ ବର୍ଷା ହେବ। ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ‌ହୋଇପାରେ। ସମୁଦ୍ର ଅଶାନ୍ତ ରହିବା ସହ ଦୁଇ ଦିନ ଧରି ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ପାଣିପାଗ ବିଭାଗ ପକ୍ଷରୁ ଆହୁରି କୁହାଯାଇଛି ଯେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହାର ପ୍ରଭାବ ଉତ୍ତର ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ରହିଛି। ଏଥିସହ ଆସନ୍ତା ୩ରୁ ୪ଦିନ ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ। ପ୍ରଭାବରେ ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା ହୋଇପାରେ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୨୦ରୁ ୨୨ତାରିଖ ଯାଏ ସତର୍କ ସୂଚନା ଜାରି କରାଯାଇଛି। ୨୦ ଓ ୨୧ତାରିଖରେ ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଅନୁରୂପ ଭାବେ ୨୧ ଓ ୨୨ ତାରିଖରେ କୋରାପୁଟ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ, ଗଜପତି, ବୌଦ୍ଧ, ପୁରୀ ଜିଲ୍ଲାରେ ବର୍ଷା ଲାଗି ରହିବ। ଏହାପରେ ପାଗରେ ସାମାନ୍ୟ ପରିବର୍ତନ ଆସିପାରେ। ତେବେ ମୌସୁମୀ ପ୍ରବେଶ ନେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା କଥା ହେଉଛି ଯେ ୨୦ରୁ ୨୨ତାରିଖ ଯାଏ ଓଡ଼ିଶା‌ରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏପର୍ଯ୍ୟନ୍ତ ମୌସୁମୀ ସକ୍ରିୟ ହୋଇନାହିଁ। ଏବେ ବି ଓଡ଼ିଶାକୁ ପଶ୍ଚିମା ବାୟୁ ପ୍ରବାହ ହେଉଛି। ଆଂଶିକ ମେଘୁଆ ଆକାଶ ରହୁଛି। ମୌସୁମୀ ସମୟରେ ‌ତାପମାତ୍ରା ଯେତିକି ରହିବା କଥା ତା’ଠାରୁ ଅଧିକ ରହିବ। ବର୍ତମାନ ସମୟରେ ଲଘୁଚାପ ବଳୟ ସୃଷ୍ଟି ହେବା ଲାଗି ପାଗ ଅନୁକୂଳ ନାହିଁ। ମୌସୁମୀ ପ୍ରବେଶ ନେଇ ଏବେ ସଠିକ୍‌ ଆକଳନ କରାଯାଇପାରିବ ନାହିଁ।

ସେ ଆହୁରି କହିଛନ୍ତି ଯେ ଉତ୍ତର ବଙ୍ଗୋପସାଗରର ପୂର୍ବ ଦିଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଗକୁ ଲଘୁଚାପର ରୂପ ନେବ ନାହିଁ। ଏହି ଘୂର୍ଣ୍ଣିବଳୟ ଆଗକୁ ପଶ୍ଚିମ ଦିଗରେ ଗତି କରିବ। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ଲାଗି ଏକ ବଡ଼ ଟ୍ରପ୍‌ ଲାଇନ୍‌ ସୃଷ୍ଟି ହେବ। ପ୍ରଭାବରେ ୨୧ ଓ ୨୨ତାରିଖରେ କିଛି ସ୍ଥାନରେ ବର୍ଷା ହେବ। ଦକ୍ଷିଣ ଓଡ଼ିଶା ତଥା ଅବିଭକ୍ତ ଗଞ୍ଜାମ, କୋରାପୁଟ ଓ କଳାହାଣ୍ଡିରେ ବର୍ଷା ହେବ। ଉକ୍ତ ଜିଲ୍ଲାଗୁଡ଼ିରେ ୬୦ରୁ ୭୦ ମିମି ବର୍ଷା ହୋଇପାରେ। ସେହି ତୁଳନାରେ ଓଡ଼ିଶାର ଅନ୍ୟ ଜିଲ୍ଲାଗୁଡ଼ିକରେ କମ୍‌ ବର୍ଷା ହେବ। ତେବେ ୨୪ ତାରିଖ ପରେ ସ୍ଥିତିରେ ସୁଧାର ଆସିବ। ବର୍ଷା ପରିମାଣ ବଢ଼ିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷ‌ରେ ଆଜି ଦୁଇଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ସମ୍ବଲପୁର‌ରେ ସର୍ବୋ‌ଚ୍ଚ ୪୦.୬ ଡିଗ୍ରି ରହିଥିବା ବେଳେ ବାରିପଦାରେ ୪୦.୫ ଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ଚାନ୍ଦବାଲି‌ରେ ସର୍ବାଧିକ ୩୩.୬ ମିମି ବର୍ଷା‌ ହୋଇଥିବା‌ ବେଳେ ପାରାଦୀପ, ଭୁବନେଶ୍ବର, ‌କେନ୍ଦୁଝର, ସୁନ୍ଦରଗଡ଼, ବଲାଙ୍ଗୀର, କୋରାପୁଟ, ମାଲକାନଗିରି, ଦାରିଙ୍ଗବାଡ଼ି‌‌‌‌‌‌‌ରେ ବି ବର୍ଷା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe