Image Courtesy of India TV News
ଭୁବନେଶ୍ବର : ଦକ୍ଷିଣ-ପୂର୍ବ ପାର୍ଶ୍ୱବର୍ତ୍ତୀ ଓ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଗଭୀର ଅବପାତ ଅଧୀକ ଘନୀଭୂତ ହେବାରେ ଲାଗିଛି। ରାତିରେ ଏହା ବାତ୍ୟା ରୂପ ନେବାର ସମ୍ଭାବନା ଅଧିକ। ଯଦିଓ ଓଡ଼ିଶା ଉପରେ ସମ୍ଭାବ୍ୟ ବାତ୍ୟାର ସିଧାସଳଖ ପ୍ରଭାବ ପଡ଼ିବ ନାହିଁ, ତେବେ ଆସନ୍ତା ୧୦ ଓ ୧୧ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକର ଆକାଶ ମୁଖ୍ୟତଃ ମେଘୁଆ ରହିବ।
ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ୍ ଆର ବିଶ୍ବାସ କହିଛନ୍ତି ଯେ ୧୦ ଓ ୧୧ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ପାଗରେ କୌଣସି ପରିବର୍ତ୍ତନ ହେବନି। ଆସନ୍ତା ଦୁଇ ଦିନ ସର୍ବନିମ୍ନ ତାପମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ମଧ୍ୟ ହେବ ନାହିଁ।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଉଛି ଯେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୯ ଓ ୧୦ ତାରିଖରେ ଦକ୍ଷିଣ ଉପକୂଳ ଓଡ଼ିଶାରେ କୋହଲା ପାଗ ରହିବ। ୯ ତାରିଖ ବେଳକୁ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ଏବଂ ପରବର୍ତ୍ତୀ ୫ଦିନ ଯାଏ ଅପରିବର୍ତ୍ତିତ ରହିବ। ୯ ତାରିଖରେ ଥଣ୍ଡା ପାଗ ରହିବ। ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟା ଯୋଗୁଁ ତାମିଲନାଡ଼ୁ ଓ ପଣ୍ଡିଚେରିରେ ଅଲର୍ଟ ଜାରି ହୋଇଛି। ସମ୍ଭାବ୍ୟ ବାତ୍ୟା ‘ମଣ୍ଡୋସ’ ପ୍ରଭାବରେ ତାମିଲନାଡ଼ୁର ଉପକୂଳବର୍ତୀ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି।
Follow Us