୭ରୁ ବଢ଼ିବ ବର୍ଷା ଉତ୍ତର ଓଡ଼ିଶାରେ କାଳବୈଶାଖୀ

Advertisment
ଅପରାହ୍ଣ ସାଢ଼େ ତିନିଟା ସୁଦ୍ଧା ରାଜ୍ୟର ଷୋହଳଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଜାରି ରହିଛି କାଳବୈଶାଖୀ ବର୍ଷା। କେତେକ ସ୍ଥାନରେ ବର୍ଷା ସାଙ୍ଗକୁ ୩୫ରୁ ୪୦ କି.ମି. ବେଗରେ ପବନ ହେଉଥିବା ଦେଖାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବର୍ଷା ହୋଇଥିବା ବେଳେ ଶୁକ୍ରବାରଠାରୁ ଉତ୍ତର ଓଡ଼ିଶାରେ କାଳବୈଶାଖୀ ଆଶଙ୍କା ରହିଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ବର୍ଷା ସହ ୫୦ରୁ ୬୦ କି.ମି. ବେଗରେ ପବନ ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ୭ ତାରିଖଠାରୁ ସାରା ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ବର୍ଷା ପରିମାଣ ବଢ଼ିବ। ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନ ସମେତ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ରାୟଗଡ଼ା, କନ୍ଧମାଳ, ସୁନ୍ଦରଗଡ଼, ଅନୁଗୁଳ, ଦେବଗଡ଼, ଢେଙ୍କାନାଳ ଜିଲ୍ଲାରେ ବର୍ଷା ବଢ଼ିବ। ଘଣ୍ଟା ପ୍ରତି ୫୦ରୁ ୬୦ କି.ମି. ବେଗରେ ପବନ ହେବ। ଏନେଇ ସତର୍କ ସୂଚନା ବି ଜାରି ହୋଇଛି। ଅପରାହ୍ଣରେ ଘରୁ ପଦାକୁ ବାହାରିବା ସମୟରେ ଲୋକେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଏପ୍ରିଲ ୯ ଓ ୧୦ ତାରିଖରେ ବି ଅନୁରୂପ ଭାବେ ପାଗ ଜାରି ରହିବ। ୧୨ ତାରିଖ ଯାଏ କାଳବୈଶାଖୀର ପ୍ରଭାବ ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି। ପାଣିପାଗ କେନ୍ଦ୍ରର ନିର୍ଦେଶକ ଶରତ ସାହୁଙ୍କ କହିବାନୁଯାୟୀ ଏବେ ପାଗରେ ପରିବର୍ତନ ହେବ ନାହିଁ। ଝାଡ଼ଖଣ୍ଡ ଉପରେ ଘୂର୍ଣ୍ଣବଳୟ ସୃଷ୍ଟି ହୋଇଥିବାରୁ ତାହାର ପ୍ରଭାବରେ କାଳବୈଶାଖୀ ହେଉଛି। ଉପକୂଳ, ଉତ୍ତର, ଦକ୍ଷିଣ ଓ ଅଭ୍ୟନ୍ତର ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ। କିନ୍ତୁ ପଶ୍ଚିମ ଓଡ଼ିଶାରେ ତାତି ପୂର୍ବପରି ଜାରି ରହିବ। ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝରରେ ସର୍ବାଧିକ ୩୩.୨ ମି.ମି. ବର୍ଷା ହୋଇଥିବା ବେଳେ ଭୁବନେଶ୍ୱରରେ ୧୨.୪ ମି.ମି. ବର୍ଷା ହୋଇଛି। କାଳବୈଶାଖୀ ପ୍ରଭାବରେ କେତେକ ସ୍ଥାନରେ ଗଛ ଭାଙ୍ଗିପଡ଼ିଛି। ବିଦ୍ୟୁତ ସରବରାହ ବି ବ୍ୟାହତ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଆଜି ସୋନପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରି ରହିଥିବା ବେଳେ ବଲାଙ୍ଗୀରରେ ୪୦.୭, ଟିଟିଲାଗଡ଼ରେ ୪୦.୫ ଡିଗ୍ରି ରେକର୍ଡ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe