ଭୁବନେଶ୍ବର : ଉତ୍ତର ବଙ୍ଗୋପ ସାଗରରେ ଥିବା ଘୁର୍ଣ୍ଣିବଳୟ ଆଜି ଲଘୁଚାପର ରୂପ ନେଇଛି। ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ଜଗତସିଂହପୁର, ପୁରୀ, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ଉପକୂଳବର୍ତୀ ଜିଲ୍ଲା ଯଥା ନୟାଗଡ଼, ଖୋର୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଗଞ୍ଜାମ ଜିଲ୍ଲାର କେତେକ ଅଞ୍ଚଳରେ ବିଜୁଳି ଓ ଘଡଘଡ଼ି ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
ତେବେ ସେପ୍ଟେମ୍ବର ୨ ବେଳକୁ ଉତ୍ତର-ପୂର୍ବ ବଙ୍ଗୋପ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ଯାହାର ପ୍ରଭାବ ସିଧାସଳଖ ଉପକୂଳ ଓ ଉତ୍ତର ଓଡ଼ିଶା ଉପରେ ପଡ଼ିବ। ୨ରୁ ୪ ତାରିଖ ଯାଏ ଅର୍ଧାଧିକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨ ଓ ୩ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବାକୁ ଥିବା ବେଳେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଉକ୍ତ ଜିଲ୍ଲାଗୁଡ଼ିକ ଲାଗି ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି କରାଯାଇଛି। ୩୦ରୁ ସେପ୍ଟେମ୍ବର ୧ ମଧ୍ୟରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଗତ ୧୨ ଘଣ୍ଟା ମଧ୍ୟରେ ଭବାନୀପାଟଣାରେ ସବୁଠାରୁ ଅଧିକ ୩୩ ମିମି ବର୍ଷା ହୋଇଥିବା ବେଳେ ଝାରସୁଗୁଡ଼ାରେ ୨୧, ସୋନପୁରରେ ୧୯, ହୀରାକୁଦରେ ୧୭.୯ ମିମି ବର୍ଷା ହୋଇଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଉଛି ଯେ ଶୁକ୍ରବାର ଓ ଶନିବାର ଓଡ଼ିଶାରେ ବିଶେଷ ବର୍ଷା ନାହିଁ। ଦକ୍ଷିଣ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଖୋର୍ଧା, ପୁରୀ, କଟକ ଜିଲ୍ଲାର ସ୍ଥାନେ ସ୍ଥାନେ ବର୍ଷା ହୋଇପାରେ। ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜରେ କମ୍ ବର୍ଷା ହେବ। ବର୍ତମାନର ବିସ୍ତୀର୍ଣ୍ଣ ଘୂର୍ଣ୍ଣିବଳୟରେ ସଂଯୁକ୍ତ ଥିବା ଲଘୁଚାପ ଉପକୂଳ ଓ ଉତ୍ତର ଓଡ଼ିଶାରେ ବିଶେଷ ବର୍ଷା କରିବ ନାହିଁ। ତେବେ ୨ ତାରିଖ ସନ୍ଧ୍ୟାରେ ଓଡ଼ିଶା ସଂଲଗ୍ନ ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଦ୍ବାରା ଭଲ ବର୍ଷା ହେବ। ୩୧ ତାରିଖଠାରୁ ସେପ୍ଟେମ୍ବର ୫ ମଧ୍ୟରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ହେବ। ଭୁବନେଶ୍ବର ସମେତ କେନ୍ଦ୍ରୀୟ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ୨ରୁ ୪ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗିରହିବ। ଅନୁମାନ କରାଯାଉଛି ଅଗଷ୍ଟ ମାସର ବର୍ଷା ସ୍ବାଭାବିକଠାରୁ ଅଧିକ ରହିବ। ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ୮୦ ମିମିରୁ ଅଧିକ ପରିମାଣର ବର୍ଷା ହୋଇପାରେ।
Follow Us