Photo by : wikimedia.org
ଭୁବନେଶ୍ୱର: ବଙ୍ଗୋପସାଗରରେ ହୋଇଥିବା ଲଘୁଚାପ ଶ୍ରୀଲଙ୍କା ଆଡ଼କୁ ମୁହାଁଇଛି। ଏହାରି ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ, ଉପକୂଳ ଓ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲ୍କା ବର୍ଷା ହେବ। ସୋମବାରଠାରୁ ଦକ୍ଷିଣରେ ଭଲ ବର୍ଷା ହେବ। ୧୫ରୁ ଉପକୂଳ, ଉତ୍ତର ଓଡ଼ିଶାର ଅନେକ ସ୍ଥାନକୁ ଭିଜାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଧାନ ଅମଳ ବେଳକୁ ଏଭଳି ବର୍ଷା, କୋହଲା ପାଗ ଧାନ ଫସଲ ପାଇଁ କାଳ ପାଲଟିବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ୩୫ରୁ ୪୦ କିଲୋମିଟରରେ ପବନ ବହିବ। ପବନ ଯୋଗୁଁ ସମୁଦ୍ର ଜୁଆରିଆ ରହିବ।
ସୁରକ୍ଷିତ ସ୍ଥାନରେ ରଖନ୍ତୁ ଫସଲ
ସ୍ୱତନ୍ତ୍ର ରିଲିଫ କମିସନର ଚାଷୀମାନଙ୍କୁ ପରାମର୍ଶବଳୀ ଜାରି କରିଥିବା ବେଳେ ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ପକ୍ଷରୁ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷରେ ଜମିରେ ପାଚିଲା ଧାନ ଫସଲ ଥିବାରୁ ଚାଷୀଙ୍କ ପାଇଁ ଓୟୁଏଟି ପରାମର୍ଶ ଜାରି କରିଛି। ଅମଳଯୋଗ୍ୟ ଧାନକୁ ତୁରନ୍ତ ଜମିରୁ ଆଣି ସୁରକ୍ଷିତ ସ୍ଥାନରେ ଘୋଡ଼ାଇ ରଖିବାକୁ ହେବ। ଅମଳଯୋଗ୍ୟ ହୋଇନଥିବା ଧାନ ଫସଲରେ ଏକ ଲିଟର ପାଣିରେ ୨୦ ଗ୍ରାମ ଲୁଣ ହିସାବରେ ମିଶ୍ରଣ କରି ସିଞ୍ଚନ କରିବାକୁ କୁହାଯାଇଛି। ସେହିପରି ଅନ୍ୟାନ୍ୟ ଫସଲ ସଂପର୍କରେ ବି ପରାମର୍ଶ ଦେଇଛି ଓୟୁଏଟି।
ପାଣିପାଗ କେନ୍ଦ୍ରର ପୂର୍ବାନୁମାନ କହୁଛି ଯେ ୧୩ରୁ ୧୪ ତାରିଖ ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ। ୧୪ ତାରିଖ ବେଳକୁ ଗଞ୍ଜାମ, ମାଲକାନଗିରି, ଗଜପତି, ରାୟଗଡ଼ା, କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପର ଗତି ସହିତ ବର୍ଷା ଅଞ୍ଚଳ ବଦଳିବ। ୧୫ରେ ଉପକୂଳ ଜିଲ୍ଲାର କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଖୋର୍ଧା, ପୁରୀ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ୧୬ ତାରିଖ ବେଳକୁ ପୁରୀ, କଟକ, ଖୋର୍ଧା, ଭଦ୍ରକ, ମୟୂରଭଞ୍ଜ ଆଦି ଜିଲ୍ଲା ଏବଂ ୧୭ରେ ଉତ୍ତରର ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର ଆଦି ଜିଲ୍ଲାରେ ବର୍ଷିବ ଲଘୁଚାପ। ସେତେବେଳକୁ ଲଘୁଚାପ ଘନୀଭୂତ ହୋଇସାରିଥିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।
ଲଘୁଚାପ ବହୁଦୂରରେ କେନ୍ଦ୍ରୀଭୂତ ହୋଇଥିବାରୁ ସୋମବାର ବେଳକୁ ତା’ର ଗତି, ପ୍ରଭାବ ସଂପର୍କରେ ସବିଶେଷ ସୂଚନା ମିଳିପାରିବ ବୋଲି କହିଛନ୍ତିି କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁ। ତେବେ ଯାହା ପୂର୍ବାନୁମାନ କରାଯାଇଛି, ଲଘୁଚାପ ପାଖେଇ ଆସିଲେ ବର୍ଷା, ପବନ ଯୋଗୁଁ ଦିନର ତାପମାତ୍ରା ଆଉ ଟିକେ କମିପାରେ।
Follow Us