୧୬ରୁ ପୁଣି ବର୍ଷା ଡର : ଏଥର ଦକ୍ଷିଣ ଓଡ଼ିଶାରେ ବର୍ଷା ସହ ରାତିର ତାପମାତ୍ରା ବଢ଼ିପାରେ

Advertisment
୧୬ରୁ ପୁଣି ବର୍ଷା ଡର : ଏଥର ଦକ୍ଷିଣ ଓଡ଼ିଶାରେ ବର୍ଷା ସହ ରାତିର ତାପମାତ୍ରା ବଢ଼ିପାରେ

ଭୁବନେଶ୍ବର : ୧୬ରୁ ପୁଣି ବଦଳିବ ଓଡ଼ିଶାର ପାଗ। ଦକ୍ଷିଣ ଓଡ଼ିଶାରେ ବର୍ଷା ସହ ରାତିର ତାପମାତ୍ରା ପୁଣିଥରେ ବଢ଼ିପାରେ। ବାତ୍ୟା ‘ବୁଲ୍‌ବୁଲ୍‌’ ସ୍ଥଳ ଭାଗକୁ ଛୁଇଁବା ପରେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ପୂର୍ବାନୁମାନ କରିଛନ୍ତି। ତାଙ୍କ କହିବାନୁଯାୟୀ, ବର୍ତମାନ ରାଜ୍ୟକୁ ‘ବୁଲ୍‌ବୁଲ୍‌’ ପ୍ରଭାବିତ ବଙ୍ଗୋପସାଗରୀୟ ସାମୁଦ୍ରିକ ପବନ ବହୁଛି। ଏହା ସୋମବାର ଯାଏ ରହିବ। ୧୨ ତାରିଖରୁ ଉତ୍ତରା ଥଣ୍ଡା ପବନ ବହିବା ଆରମ୍ଭ କରିବ। ଥଣ୍ଡା ବି ବଢ଼ିବ। ଉତ୍ତର ଓଡ଼ିଶା ଓ ଉପକୂଳ ଅଞ୍ଚଳରେ ରାତିର ସର୍ବନିମ୍ନ ତାପମାତ୍ରା ପ୍ରାୟ ୨ ଡିଗ୍ରି ପର୍ଯ୍ୟନ୍ତ କମିଯାଇପାରେ। ପରବର୍ତୀ ଦୁଇ ଦିନ ମଧ୍ୟ ପାଗ ଅପରିବର୍ତ୍ତିତ ରହିବ। ହେଲେ ୧୫ରୁ ପାଗରେ ପରିବର୍ତନ ସୂଚନା ମିଳୁଛି।

ପ୍ରଫେସର ପଶୁପାଳକଙ୍କ ଆକଳନ କହୁଛି ଯେ ଏବେ ପ୍ରଶାନ୍ତ ମହାସଗରୀୟ ପୂର୍ବା ପବନ ପୂର୍ବ ବଙ୍ଗୋପସାଗରକୁ ବହୁଛି। ଆଜି ଏହା ଦକ୍ଷିଣ ବଙ୍ଗୋପସାଗର ଆଡ଼କୁ ପ୍ରବାହିତ ହେଉଛି। ସୋମବାର ସକାଳ ସୁଦ୍ଧା ‘ନାକରି’ ବାତ୍ୟା ଭିଏତନାମରେ ସ୍ଥଳଭାଗ ଛୁଇଁ ସାରିଥିବ। ଏଥିସହ ଫିଲିଫାଇନ୍ସ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ହେଲଙ୍ଗ’ ଇତିମଧ୍ୟରେ ବିଲୀନ ହୋଇଯାଇଛି। ତେଣୁ ପ୍ରଶାନ୍ତ ମହାସାଗରୀୟ ପୂର୍ବା ପବନ ଭିଏତନାମ ଦେଇ ବଙ୍ଗୋପସାଗରକୁ ଅଧିକ ବହିବ ଓ ଶକ୍ତିଶାଳୀ ହେବ। ଏହା କ୍ରମଶଃ ଓଡ଼ିଶା ଓ ଆନ୍ଧ୍ର ଉପକୂଳ ଆଡ଼କୁ ଅଗ୍ରସର ହେବ। ଫଳରେ ୧୫ ତାରିଖଠାରୁ ରାଜ୍ୟରେ ପୂର୍ବା ପବନ ବହିବ ଏବଂ ଉତ୍ତରା ପବନ ଅପସାରିତ ହୋଇଯିବ। ତେଣୁ ରାତିର ତାପମାତ୍ରା ବଢ଼ିବ। ଆଉ ଥଣ୍ଡା କମିବ। ଏଥିସହ ଓଡ଼ିଶା ଉପକୂଳରେ ଏକ ପୂର୍ବ ତରଙ୍ଗ ସୃଷ୍ଟି‌ ହେବାର ସମ୍ଭାବନା ରହିଛି। ଏହା ହିଁ ଉପକୂଳରେ ପାଗ ପରିବର୍ତନ ଆଣିବ। ଅନୁମାନ କରାଯାଉଛି ଯେ ୧୬ରୁ ୧୮ ଯାଏ ଖୋର୍ଧାରୁ ଦକ୍ଷିଣ ଉପକୂଳ ଅଞ୍ଚଳ ଓ ସଂଲଗ୍ନ ଅଞ୍ଚଳରେ ପାଗ ମେଘୁଆ ରହିବ। ହାଲକାରୁ ସ୍ବଳ୍ପ ବର୍ଷା ହୋଇପାରେ। ଯଦି ପୂର୍ବ ତରଙ୍ଗ ଅଧିକ ସଙ୍ଗଠିତ ହୁଏ ତେବେ ବର୍ଷାର ପରିମାଣ ବୃଦ୍ଧିବାର ସମ୍ଭାବନା ରହିଛି।

publive-image

ଅନ୍ୟପକ୍ଷରେ ବାତ୍ୟା ‘ବୁଲ୍‌ବୁଲ୍‌’ ଯିବା ପରେ ଗତକାଲିଠାରୁ ରାଜ୍ୟରେ ଥଣ୍ଡା ପଡ଼ିଛି। ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି। ୩ଟି ସହରର ତାପମାତ୍ରା ୧୫ ଡିଗ୍ରି ତଳକୁ ଖସିଆସିଛି। ଗତକାଲି ଦାରିଙ୍ଗବାଡ଼ିରେ ଚଳିତବର୍ଷ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରି ରେକର୍ଡ କରାଯାଇଛି। ସୁନ୍ଦରଗଡ଼ ତାପମାତ୍ରା ୧୪ ଡିଗ୍ରିକୁ ଖସି ଆସିଥିବା ବେଳେ କୋରାପୁଟର ତାପମାତ୍ରା ୧୪.୬ ଡିଗ୍ରିକୁ ହ୍ରାସ ପାଇଛି। ଏଥିସହ ଅନୁଗୁଳ ଓ ଟିଟିଲାଗଡ଼ରେ ୧୭ ଡିଗ୍ରି ଥିବା ବେଳେ ସୋନପୁରରେ ୧୭.୬, ଫୁଲବାଣୀରେ ୧୮.୮, କେନ୍ଦୁଝରରେ ୧୯, ଭବାନୀପାଟଣାରେ ୧୯.୩, ସମ୍ବଲପୁରରେ ୧୯.୫, ଝାରସୁଗୁଡ଼ାରେ ୧୯.୬ ଡିଗ୍ରି ରେକର୍ଡ ହୋଇଛି। ଆଜି ଦିନ ସାରା ରାଜ୍ୟର କୌଣସି ସ୍ଥାନରେ ବର୍ଷା ହୋଇ ନାହିଁ। ଉତ୍ତର ଓଡ଼ିଶାରେ ପାଗ କୋହଲା ରହିଥିଲା। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe