ଭୂତଳ ଜଳସ୍ତର ବୃଦ୍ଧି ପାଇଁ ବର୍ଷା ଜଳ ଅମଳ ପ୍ରକଳ୍ପ, ସ୍ଥାନୀୟ ଲୋକଙ୍କୁ ମିଳୁଛି କର୍ମନିଯୁକ୍ତି

Advertisment

ସୁନ୍ଦରଗଡ଼ ଜିଲ୍ଲାରେ ସମସ୍ତ ୧୭ଟି ବ୍ଲକରେ କାର୍ଯ୍ୟକାରୀ କରିବାକୁ ପ୍ରଶାସନର ଲକ୍ଷ୍ୟ 

ସୁନ୍ଦରଗଡ଼ ଜିଲ୍ଲାରେ ସମସ୍ତ ୧୭ଟି ବ୍ଲକରେ କାର୍ଯ୍ୟକାରୀ କରିବାକୁ ପ୍ରଶାସନର ଲକ୍ଷ୍ୟ 

୩୭ହଜାରରୁ ଅଧିକ ବର୍ଷାଜଳ ଅମଳ ପ୍ରକଳ୍ପର ହେବ ରକ୍ଷଣାବେକ୍ଷଣ

ସୁନ୍ଦରଗଡ଼: ଭୂତଳ ଜଳସ୍ତର ହ୍ରାସ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର 'ରୁଫ୍ ଟପ୍ ରେନ୍ ୱାଟର ହାର୍ଭେଷ୍ଟିଂ' ବା ଛାତ ଉପରେ ବର୍ଷା ଜଳ ଅମଳ ଭଳି କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଉଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ସମସ୍ତ ୧୭ଟି ବ୍ଲକରେ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରାଥମିକତା ଦେଉଛି । ମେ' ମାସ ଶେଷ ସୁଦ୍ଧା ଜିଲ୍ଲାରେ ଏଥିପାଇଁ ୬୫୧ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ୩୮୫ଟି ପ୍ରକଳ୍ପର କାମ ଚାଲିଛି । ଜିଲ୍ଲାରେ ଏହି ପ୍ରକଳ୍ପଗୁଡ଼ିକ ଲାଗି ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆର୍ଥିକ ସହାୟତା ଯୋଗାଇ ଦେଉଛି ।

ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ଥିବା ସରକାରୀ କାର୍ଯ୍ୟାଳୟ ଓ କ୍ୱାର୍ଟର୍ସ, ଡାକ୍ତରଖାନା, ସ୍କୁଲ, କଲେଜ ଓ ହଷ୍ଟେଲ କୋଠା ଆଦିରୁ ବର୍ଷା ଜଳ ଅମଳ କରାଯିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ଏକ ଖସଡ଼ା ପ୍ରସ୍ତୁତ କରିଛି । ପ୍ରକଳ୍ପ ହେଉଥିବା କୋଠାର ଛାତରୁ ବର୍ଷା ଜଳ ପାଇପ୍ ଯୋଗେ ସିଧା ଗଡ଼ିଆସି କୋଠା ନିକଟରେ ତିଆରି କରାଯାଇଥିବା ପିଟରେ ପଡ଼ିଥାଏ । ତେଣୁ ଏହି ପାଣି ବାହାରକୁ ବହି ନଯାଇ ମାଟି ତଳକୁ ଯିବା ସହ ସେଠାରେ ଭୂତଳ ଜଳ ସ୍ତରକୁ ବଢ଼ା଼ଇବାରେ ସାହାଯ୍ୟ କରିଥାଏ ।

ବର୍ଷା ଜଳ ଅମଳ ପ୍ରକଳ୍ପ ଫଳରେ ନିକଟରେ ଥିବା କୂଅ, ପୋଖରୀ, ଟ୍ୟୁବୱେଲ ଓ ବୋରୱେଲ୍ ଆଦି ଜଳ ଉତ୍ସର ଜଳ ସ୍ତର ବୃଦ୍ଧି ପାଇଥାଏ । ଏଥି ଯୋଗୁଁ ଲୋକଙ୍କ ଦୈନନ୍ଦିନ ବ୍ୟବହାର ପାଇଁ ପାଣିର ଅଭାବ ଦୂର ହୋଇପାରିବ । ସେହିପରି ଭୂତଳ ଜଳ ସ୍ତରରେ ବୃଦ୍ଧି ଫଳରେ ଏହା ଚାଷ କ୍ଷେତ ଏବଂ ଚାଷୀଙ୍କ ପାଇଁ ଲାଭଦାୟକ ହୋଇପାରିବ ।

"ପାଣିର ବ୍ୟବହାର ଦିନକୁ ଦିନ ବଢ଼ିବା ଫଳରେ ଆଜି ସାରା ପୃଥିବୀରେ ମାଟି ତଳୁ ଜଳ ସ୍ତର କମି କମି ଯାଉଛି । ତେଣୁ ଭୂତଳ ଜଳ ସ୍ତର ବାଇବା ଲାଗି ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷା ଜଳ ଅମଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ବିଭିନ୍ନ ସରକାରୀ କୋଠାବାଡ଼ି, ସର୍ବସାଧାରଣ ଅନୁଷ୍ଠାନର କୋଠାର ଛାତ ଉପରୁ ଜଳ ଅମଳ କରାଯାଇ ମାଟି ତଳକୁ ଛାଡ଼ିବା ଲାଗି ବ୍ୟବସ୍ଥା କରାଯାଉଛି । ଫଳରେ ଏହା ଦ୍ୱାରା ସଂପୃକ୍ତ ଅଞ୍ଚଳରେ ଭୂତଳ ଜଳ ସ୍ତର ବୃଦ୍ଧି ପାଇବୟ ଖରାଦିନେ ଲୋକଙ୍କ ଜଳକଷ୍ଟ ମଧ୍ୟ ଦୂର ହୋଇପାରିବ', କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ।

publive-image

ଯେଉଁ ଛାତର ଆୟତନ ପ୍ରାୟ ୧୫୦୦ ବର୍ଗଫୁଟ୍ କିମ୍ବା ତା'ଠୁ କମ୍ ବର୍ଷା ଜଳ ଅମଳ ପାଇଁ ସେହି କୋଠା ନିକଟରେ ଗୋଟିଏ ପିଟ୍ ନିର୍ମାଣ ହେଉଛି । ସେହିପରି ୧୫୦୦ ବର୍ଗଫୁଟରୁ ଅଧିକ ଆୟତନ ଥିବା ଛାତ କୋଠା ନିକଟରେ ଦୁଇଟି ପିଟ୍ ନିର୍ମାଣ କରାଯାଉଛି । ଛାତ ଉପରୁ ସଂଗୃହୀତ ବର୍ଷା ଜଳ ଗଡ଼ି ଆସି ସେହି ପିଟ୍ ଦେଇ ମାଟି ତଳକୁ ଯାଉଛି । କ୍ଷେତ୍ର ସ୍ତରରେ ଏହି ପ୍ରକଳ୍ପ କାର୍ଯ୍ୟର ପରିଚାଳନା ଲାଗି ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ଦାୟିତ୍ୱ ଦିଆଯାଇଛି । ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ଏହି ପ୍ରକଳ୍ପ ସହିତ ଯୋଡ଼ା ଯାଇ ସେମାନଙ୍କୁ କର୍ମନିଯୁକ୍ତି ଦିଆଯାଉଛି । କରୋନା ମହାମାରୀ ଯୋଗୁଁ ବାହାର ରାଜ୍ୟରୁ ଫେରି ଆସିଥିବା ଲୋକମାନେ ମଧ୍ୟ ଏଥିରେ ଉପକୃତ ହେଉଛନ୍ତି ।

"ପୂର୍ବରୁ ବାହାର ରାଜ୍ୟକୁ ଯାଇ କାମ କରୁଥିଲି । କରୋନା ହେବା ପରେ କାମଧନ୍ଦା ନ ମିଳିବାରୁ ଗାଁକୁ ଫେରିଆସିଲି । ଆମ ଅଞ୍ଚଳରେ ଯେଉଁ ଜଳ ଅମଳ ପ୍ରକଳ୍ପ ଚାଲିଛି ସେଥିରେ ଆମ ଭଳି ଲୋକଙ୍କୁ କାମ ଧନ୍ଦା ମିଳିପାରିଛି', କହିଛନ୍ତି ବଡ଼ଗାଁ ବ୍ଲକ ବରଙ୍ଗାକଚ୍ଛାର ଗ୍ରାମର ହେମନ୍ତ ପ୍ରଧାନ । ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ଅନେକ ସମୟରେ ମୌସୁମୀ ବର୍ଷାରେ ଅନିୟମିତତା ଦେଖାଦେଉଛି । ପୁଣି ଯେତିକି ବର୍ଷା ହେଉଛି ସବୁ ପାଣି ନଦୀ, ସମୁଦ୍ରକୁ ବହିଯାଉଛି । ଅନ୍ୟପକ୍ଷରେ ଜନସଂଖ୍ୟା ବୃଦ୍ଧି ଫଳରେ ଭୂତଳ ଜଳର ବ୍ୟବହାର ମଧ୍ୟ ବଢ଼ୁଛିୟ ଫଳରେ ଆଜି ଅନେକ ସ୍ଥାନରେ ଜଳ ସଙ୍କଟ ସୃଷ୍ଟି ହୋଇଛି । ଏହି ସମସ୍ୟାର ଦୀର୍ଘସ୍ଥାୟୀ ସମାଧାନ ପାଇଁ ଭୂତଳ ଜଳସ୍ତର ବୃଦ୍ଧି ଲାଗି ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷା ଜଳ ଅମଳ ପ୍ରକଳ୍ପକୁ ବ୍ୟାପକ କରି ଜଳ ସଙ୍କଟର ସମାଧାନ ପାଇଁ ପ୍ରଶାସନ ଲକ୍ଷ୍ୟ ରଖିଛି । ଏଭଳି ପରିବେଶ ଅନୁକୂଳ କାର୍ଯ୍ୟକ୍ରମକୁ ପ୍ରଭାବଶାଳୀ କରିବା ପାଇଁ, ସାଧାରଣ ଲୋକେ କିପରି ନିଜ ନିଜ ଘର ଛାତ ଉପରେ ବର୍ଷା ଜଳ ଅମଳ କରିବେ, ସେଥିପାଇଁ ମଧ୍ୟ ସଚେତନ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe