ଦ୍ବିତୀୟ ସପ୍ତାହରେ ବର୍ଷା ପାଗ

Advertisment
ଦ୍ବିତୀୟ ସପ୍ତାହରେ ବର୍ଷା ପାଗ

Hindustan Times

ଭୁବନେଶ୍ବର : ଓଡ଼ିଶାରେ ସକ୍ରିୟ ରହିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଦୁଇ ଦିନ ହେଲା ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେଉଛି। ତେବେ ମୌସୁମୀ ସକ୍ରିୟ ରହିଥିବାରୁ ଜୁଲାଇ ଦ୍ବିତୀୟ ସପ୍ତାହରେ ବି ବର୍ଷା ଲାଗିରହିବ। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ନାହିଁ। ଏହାପରେ କିନ୍ତୁ ବର୍ଷା ପରିମାଣ ବଢ଼ିବ। ଜୁଲାଇ ୧୧ରୁ ବଡ଼ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ହେଉଛି ଯେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ କଟକ ଓ ଭୁବନେଶ୍ୱର ସହ ରାଜ୍ୟର କୌଣସି ଜିଲ୍ଲା ପାଇଁ ପ୍ରବଳ ବର୍ଷା ହେବାର ସତର୍କତା ଜାରି ହୋଇନି। ତେବେ କିଛି ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ଉପକୂଳ ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଝିପିଝିପି ବର୍ଷା ଲାଗିରହିବ। ୯ ତାରିଖ ‌ବେଳକୁ ‌ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, କୋରାପୁଟ ଓ ମାଲକାନଗିରିର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହାପରେ ସାରା ରାଜ୍ୟରେ ବର୍ଷା ପରିମାଣ ବଢ଼ିବ। ୧୦ ତାରିଖରେ ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଜଗତ୍‌ସିଂହପୁର, ଭଦ୍ରକ, କଟକ, ଢେଙ୍କାନାଳ, ସୁନ୍ଦରଗଡ଼ ଓ ସମ୍ବଲପୁର ଏବଂ ୧୧ ତାରିଖରେ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି, ସୋନପୁର, ବୌଦ୍ଧ, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସୋମବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଉତ୍ତର ବଙ୍ଗୋପସାଗର ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

ପାଣିପାଗ ବିଶେଷଜ୍ଞଙ୍କ କହିବା କଥା ହେଉଛି ‌ଯେ ଜୁନ୍ ପହିଲାରୁ ଏ ପର୍ଯ୍ୟନ୍ତ ଓଡ଼ିଶାରେ ସ୍ୱାଭାବିକ ବୃଷ୍ଟିପାତ ହୋଇ ନାହିଁ। ନିଅଣ୍ଟିଆ ବର୍ଷା ହୋଇଛି। ଆଗକୁ ମୌସୁମୀ ବାୟୁ ଅଧିକ ସକ୍ରିୟ ରହିବ। ପ୍ରଭାବରେ ବର୍ଷା ସ୍ୱାଭାବିକ ହେବ। ଝାଡ଼ଖଣ୍ଡ ଉପରେ ଥିବା ଘୂର୍ଣ୍ଣିବଳୟ ଏବେ ଲଘୁଚାପରେ ପରିଣତ ହୋଇଛି। ଏବେ ଏହା ପଶ୍ଚିମ ବିହାର ଓ ଝାଡ଼ଖଣ୍ଡ ଉପରେ ରହିଛି। ପ୍ରଭାବରେ ଉତ୍ତର ଓଡ଼ିଶା ଜିଲ୍ଲା ଗୁଡ଼ିକରେ ଭଲ ବର୍ଷା ହୋଇଛି। ୧୧ ତାରିଖଠାରୁ ବର୍ଷା ପରିମାଣ ଆହୁରି ବଢ଼ିବ। ବିଶେଷ କରି ଉପକୂଳ ଓ ଉତ୍ତର ପଶ୍ଚିମ ଓଡ଼ିଶାରେ ପ୍ରଭାବ ଅଧିକ ପଡ଼ିବ। ଦକ୍ଷିଣ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ରହିବ। ଅନ୍ୟପକ୍ଷରେ ଗତ ୩୬ ଘଣ୍ଟା ମଧ୍ୟରେ ହୀରାକୁଦରେ ସର୍ବାଧିକ ୪୨.୬ ମିମି ବର୍ଷା ହୋଇଥିବା ବେଳେ ଝାରସୁଗୁଡ଼ାରେ ୩୬, ସମ୍ବଲପୁରରେ ୩୩, ତାଳଚେରରେ ୧୫, କୋରାପୁଟରେ ୧୦.୪, ମାଲକାନଗିରିରେ ୬ ମିମି ବର୍ଷା ହୋଇଛି। ବର୍ଷା ପ୍ରଭାବରେ ରାଜ୍ୟର କିଛି ଜଳଭଣ୍ଡରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe