ଧର୍ମେନ୍ଦ୍ରଙ୍କ ଘରେ ହାରିଲା ବିଜେପି, ବିଜେଡିର ଗଡ଼ରକ୍ଷା

Advertisment

ଇତିହାସ ଦୋହରାଇଲା ଛେଣ୍ଡିପଦା, ଆଠମଲ୍ଲିକ ଓ ପାଳଲହଡ଼ା ଦେଖିଲା ନୂଆ ମୁହଁ, କାମ ହେଲା ବିଜେଡି ରଣନୀତି

ଇତିହାସ ଦୋହରାଇଲା ଛେଣ୍ଡିପଦା, ଆଠମଲ୍ଲିକ ଓ ପାଳଲହଡ଼ା ଦେଖିଲା ନୂଆ ମୁହଁ, କାମ ହେଲା ବିଜେଡି ରଣନୀତି

ଧର୍ମେନ୍ଦ୍ରଙ୍କ ଘରେ ହାରିଲା ବିଜେପି, ବିଜେଡିର ଗଡ଼ରକ୍ଷା

କ୍ରମାଗତ ୪ଥର ନିର୍ବାଚନ ଜିତିବାର ଅନୁଗୁଳ ଜିଲ୍ଲା ଇତିହାସରେ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି ବିଜେଡି ପ୍ରାର୍ଥୀ ରଜନୀକାନ୍ତ ସିଂହ

ଅନୁୁଗୁଳ : କାମ ଦେଲାନାହିଁ ଧର୍ମେନ୍ଦ୍ରଙ୍କ ପ୍ରଭାବ କି ମୋଦୀ ଲହର। ‌ ବିଜେଡି ସୁପ୍ରିମୋ ନବୀନଙ୍କ ଯାଦୁ କିନ୍ତୁ କାମ ଦେଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜ ଜିଲ୍ଲା ଅନୁଗୁଳରେ ଗତ ଦୁଇଟି ନିର୍ବାଚନ ଭଳି ଏଥର ବି ବିଜେପି ଖାତା ଖୋଲି ପାରି ନାହିଁ। ଅନୁଗୁଳ ଜିଲ୍ଲାର ୫ଟି ଯାକ ବିଧାନସଭାରେ ବିଜେଡି ପ୍ରାର୍ଥୀମାନେ ବିଜୟ ହାସଲ କରିଛନ୍ତି। ବିଜେଡିର ପ୍ରାର୍ଥୀ ପରିବର୍ତ୍ତନ ରଣନୀତି ବି ଏଠାରେ କାମ ଦେଇଛି। ପାଳଲହଡ଼ା ବିଧାନସଭା କ୍ଷେତ୍ରରେ ବିଜେଡି ବିଗତ ଦୁଇଟି ନିର୍ବାଚନ ଭଳି ଏଥର ବି ନୂଆଁ ମୁହଁ ଦେଇଥିଲା। ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଘନିଷ୍ଠତା ସତ୍ତ୍ବେ ବିଜେପି ଟିକେଟ ପାଇବାରୁ ବଂଚିତ ହୋଇଥିବା ପାଳଲହଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ମୁକେଶ କୁମାର ପାଲଙ୍କୁ ବିଜେଡି ନିର୍ବାଚନୀ ମଇଦାନକୁ ଆଣିଥିଲା। ଆଉ ମୁକେଶ ବି ନିଜର ଦମ୍‌ ଦେଖାଇଲେ। ବିଜେପିର ଅଶୋକ ମହାନ୍ତିଙ୍କୁ ୬,୨୧୬ ଭୋଟରେ ପରାସ୍ତ କଲେ। ମୁକେଶଙ୍କ ବିଜୟ ସହିତ ବିଜେଡି କ୍ରମାଗତ ତୃତୀୟ ଥର ପାଇଁ ପାଳଲହଡ଼ା ବିଧାନସଭା କ୍ଷେତ୍ରକୁ ନିଜ ବିଜେଡି ଦଖଲରେ ରଖିପାରିଥିବା ବେଳେ ଧର୍ମେନ୍ଦ୍ରଙ୍କୁ ବଡ଼ ଝଟ୍‌କା ଦେଇଛି।

ଆଠମଲ୍ଲିକ ବିଧାନସଭା କ୍ଷେତ୍ରରୁ ବିଜେଡି ଏଥର ପ୍ରାର୍ଥୀ ପରିବର୍ତ୍ତନ କରିଥିଲା। ତିନିଥରର ବିଧାୟକ ସଂଜୀବ ସାହୁଙ୍କ ବଦଳରେ ସରକାରୀ ଚାକିରି ଛାଡ଼ି ରାଜନୀତିକୁ ଆସିଥିବା ରମେଶ ଚନ୍ଦ୍ର ସାଏଙ୍କୁ ପ୍ରାର୍ଥୀ କରିବା ବିଜେଡି ପାଇଁ ଲାଭଦାୟକ ହୋଇଛି। ରମେଶ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ଜିଲ୍ଲା ସଭାପତି ଥିବା ଭାଗୀରଥି ପ୍ରଧାନଙ୍କୁ ୪୭,୧୮୪ ଭୋଟର ବ୍ୟବଧାନରେ ପରାସ୍ତ କରିଛନ୍ତି। ଅନୁଗୁଳ ‌ଜିଲ୍ଲାରେ ଏହା ହେଉଛି ବଡ଼ ବିଜୟ ବ୍ୟବଧାନ।

ସେହିପରି ତାଳଚେର ବିଧାନସଭା କ୍ଷେତ୍ରରୁ ଏଥର ହାଟ୍ରିକ ମାରିଛନ୍ତି ବ୍ରଜକିଶୋର ପ୍ରଧାନ। ବିଜେଡି ପ୍ରାର୍ଥୀ ବ୍ରଜକିଶୋର ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ କାଳନ୍ଦୀ ଚରଣ ସାମଲଙ୍କୁ ୨୪,୦୦୮ ଖଣ୍ଡ ଭୋଟ ବ୍ୟବଧାନ ପରାଜିତ କରିଛନ୍ତି। ଦିନ ଥିଲା ତାଳଚେର ବିଜେପିର ଗଡ଼ ଥିଲା। ହେଲେ ଏଠାରେ ଧମେନ୍ଦ୍ରଙ୍କ ବେଶ୍ ପ୍ରଭାବ ଥିବା ସତ୍ତ୍ବେ ବିଜେପିର ରାଜ୍ୟ ମୁଖପାତ୍ର କାଳନ୍ଦୀ ଚରଣ ସାମଲଙ୍କ ଉପରେ ତାଳଚେରବାସୀ ଆସ୍ଥା ପ୍ରକଟ କରି ନାହାନ୍ତି।

ତେବେ ଅନୁଗୁଳ ବିଧାନସଭା କ୍ଷେତ୍ରରୁ ଏଥର ବିଜୟୀ ହେବା ସହ କ୍ରମାଗତ ୪ଥର ନିର୍ବାଚନ ଜିତିବାର ଅନୁଗୁଳ ଜିଲ୍ଲା ଇତିହାସରେ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି ବିଜେଡି ପ୍ରାର୍ଥୀ ରଜନୀକାନ୍ତ ସିଂହ(ମଣ୍ଟୁ ବାବୁ)। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ୮,୮୨୩ ଭୋଟରେ ପରାଜିତ କରିଛନ୍ତି। ସେହିପରି ଛେଣ୍ଡିପଦା ବିଧାନସଭା କ୍ଷେତ୍ରରେ ଏଥର ପୁଣି ଇତିହାସର ପୁନରାବୃତ୍ତି ଘଟିଛି। ଛେଣ୍ତିପଦା ବିଧାନସଭା କ୍ଷେତ୍ରର ଜନମତ ସହିତ ରାଜ୍ୟବାସୀଙ୍କ ଜନାଦେଶ ସବୁବେଳେ ସାମଞ୍ଜସ୍ୟ ରହି ଆସିଛି। ଏଥର ଓଡ଼ିଶାରେ ବିଜେଡିକୁ ସରକାର ଗଠନ ପାଇଁ ପୂର୍ଣ୍ଣ ବହୁମତ ମିଳିଛି। ଠିକ୍ ସେହିପରି ଛେଣ୍ତିପଦାରେ ବି ବିଜେଡି ପ୍ରାର୍ଥୀ ସୁଶାନ୍ତ ବେହେରାଙ୍କ ବିଜୟ ହୋଇଛି। ବିଜେଡି ପ୍ରାର୍ଥୀ ସୁଶାନ୍ତ ବେହେରା ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ଅଗସ୍ତି ବେହେରାଙ୍କୁ ୬,୭୯୪ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe