ଏଲପିଜି ଗ୍ୟାସ ପରେ ବାହାର କରାଯାଉଛି ପେଟ୍ରୋଲ-ଡିଜେଲ, ଦିନ ୨ଟା ପରେ ଗାଡ଼ି ଚଳାଚଳ ଉପରୁ ହଟିପାରେ କଟକଣା: କମିସନରେଟ ପୁଲିସ

Advertisment
ଏଲପିଜି ଗ୍ୟାସ ପରେ ବାହାର କରାଯାଉଛି ପେଟ୍ରୋଲ-ଡିଜେଲ, ଦିନ ୨ଟା ପରେ ଗାଡ଼ି ଚଳାଚଳ ଉପରୁ ହଟିପାରେ କଟକଣା: କମିସନରେଟ ପୁଲିସ

ଭୁବନେଶ୍ୱର : ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ ଅଞ୍ଚଳ ବିପଦମୁକ୍ତ ବୋଲି ଟୁଇଟ୍ କରି ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ସୂଚନା ଦେବା ପରେ ଦିନ ୨ଟାରେ ଗାଡ଼ି ଚଳାଚଳ ଉପରୁ କଟକଣା ହଟିପାରେ ବୋଲି କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି। ଟୁଇଟ୍ କରି କମିସନରେଟ ପୁଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବିଳମ୍ବିତ ରାତିରେ ବାକିଥିବା ଗ୍ୟାସକୁ ବାହାର କରାଯିବା କା‌ମ ଆରମ୍ଭ କରାଯାଇଥିବା ବେଳେ ଆଜି ସକାଳ ୬.୩୦ଏହି କାମ ଶେଷ ହୋଇଥିଲା । ଏଲପିଜି ଗ୍ୟାସ ପରେ ଏବେ ପେଟ୍ରୋଲ-ଡିଜେଲ ବାହାର କରାଯିବା କାମ ଚାଲୁ ରହିଛି। ଖୁବ୍ ଶୀଘ୍ର କାମ ଶେଷ ହେବା ସହ ଗାଡ଼ି ଚଳାଚଳ ଆରମ୍ଭ ହେବ ବୋଲି କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି।

ଟୁଇଟରେ, ଯାତାୟାତ ଉପରେ ସୁରକ୍ଷା ସାବଧାନତା ଏବଂ ପ୍ରତିବନ୍ଧକ ଜାରି ରହିବ, ଯେପର୍ଯ୍ୟନ୍ତ ଆମେ ଦୁର୍ଘଟଣା ସ୍ଥାନକୁ ସୁରକ୍ଷିତ ଘୋଷଣା କରିନାହୁଁ। ଆମେ ଆଶା କରୁଛୁ ଆଜି  ୨ଟା ସୁଦ୍ଧା ସବୁ କାମ ଶେଷ ହେବା ସହ ଗାଡ଼ି ଚଳାଚଳ ଆରମ୍ଭ ହେବ ବୋଲି କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି |

ସୂଚନାଯୋଗ୍ୟ, ବୁଧବାର ଅପରାହ୍ନ ପ୍ରାୟ ୧ଟା ୧୨ରେ ହଠାତ୍ ପ୍ରଚଣ୍ଡ ଶବ୍ଦରେ ଥରିଉଠିଲା ରାଜଧାନୀର କେନ୍ଦ୍ରସ୍ଥଳୀ। ରାଜଭବନ ଠାରୁ ସଚିବାଳୟ, କ୍ୟାପିଟାଲ ହସ୍ପିଟାଲ ଆଦି ଅଞ୍ଚଳ ବି। କିଏ କହିଲା ଭୂମିକମ୍ପ, ଆଉ କିଏ କହିଲା ବୋମା ମାଡ଼ କି ବଜ୍ରପାତ। ବିସ୍ଫୋରଣ ଶବ୍ଦ ୧୦ କିଲୋମିଟର ପର୍ଯ୍ୟନ୍ତ ଶୁଭାଯାଇଥିଲା। ହେଲେ ଅଳ୍ପ କେଇ ମୁହୂର୍ତ ପରେ ଜଣାପଡିଲା, ରାଜଭବନ ନିକଟରେ ଭୟଙ୍କର ବିସ୍ଫୋରଣ ଘଟିଛି। ଇଣ୍ଡିଆନ୍ ପେଟ୍ରୋଲ ପମ୍ପରୁ ହୁତୁହୁତୁ ହୋଇ ୨୦୦ ଫୁଟ ଉଚ୍ଚ ଯାଏ ନିଆଁ ଉପରକୁ ଉଠି ଜଳୁଛି। ଚିତ୍କାରରେ କମ୍ପିଉଠୁଥିଲା ସ୍ଥାନୀୟ ଅଞ୍ଚଳ। କିଛି ଲୋକ କ୍ଷତବିକ୍ଷତ ହୋଇ ରାସ୍ତାରେ ଦୌଡ଼ିବାରେ ଲାଗିଥିଲେ। ରାସ୍ତାରେ ଲୋକଙ୍କ ଶରୀରର ମାଂସ ଖଣ୍ଡ ଛିଟିକି ପଡ଼ିଥିଲା। କାହା ହାତରୁ ରକ୍ତ ଝରୁଥିଲା ତ ଆଉ କିଏ ଗୁରୁତର ଅବସ୍ଥାରେ ଥିଲେ। ପେଟ୍ରୋଲ ପମ୍ପରେ ଥିବା ଏଲ୍‌ପିଜି ଟାଙ୍କି ବିସ୍ଫୋରଣରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୁଇ ଜଣ ଅତି ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର ହୋଇଥିଲେ। ପାଖାପାଖି ୩୦ରୁ ଅଧିକ ଆହତ ହୋଇଥିବା କୁହାଯାଉଛି। ଗୁରୁତର ଆହତ ହୋଇଥିବା ୨ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe