ବଲାଙ୍ଗୀର : ରାଜେନ୍ଦ୍ର କଲେଜ ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ ହୋଇଯିବ। ଭିତ୍ତିଭୂମି ସାଙ୍ଗକୁ ଏହାର ଶୈକ୍ଷିକ ବାତାବରଣରେ ପରିବର୍ତ୍ତନ ହେବ। ତେବେ, ରାଜେନ୍ଦ୍ର କଲେଜ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ହେବା ପରେ ତାର ନିଜସ୍ୱ ଗୌରବକୁ ଅକ୍ଷୁଣ୍ଣ ରଖିବାକୁ ହେବ। ଏହାର ଦାୟିତ୍ୱ ବର୍ତ୍ତମାନର ପିଢ଼ି ନେବାକୁ ପଡ଼ିବ ବୋଲି ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବୁଲି ଦ୍ୱିତୀୟ ଦିବସରେ ଅତିଥିଗଣ ମତବ୍ୟକ୍ତ କରିଛନ୍ତି।
ଆଲୁମିନି ସଂଘ ଉପସଭାପତି ଡ. ଅଭିମନ୍ୟୁ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଦ୍ୱିତୀୟ ଦିବସରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଉଦ୍ଘାଟକ, ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ମୁଖ୍ୟଅତିଥି, ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ. ମାଧବ ଚନ୍ଦ୍ର ଦାସ, ଭିସୁଟ୍ର କୁଳପତି ଡ.ଅଟଳ ଚୌଧୁରୀ, ରାଜେନ୍ଦ୍ର କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ମହମ୍ମଦ ଫକିରୁଦ୍ଦିନ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ଉଦ୍ଘାଟକ ଶ୍ରୀ ସାଲୁଜା ତାଙ୍କ ବକ୍ତବ୍ୟରେ ବିଶ୍ୱବିଦ୍ୟାଳୟରେ ପ୍ରଫେସର ନିଯୁକ୍ତିକୁ ଗୁରୁତ୍ବାରୋପ କରିଥିଲେ। ପୂର୍ବତନ କୁଳପତି ଡ. ଦାସ ପରିବେଶ ସୁରକ୍ଷା ଦିଗରେ ଛାତ୍ରମାନେ ଅଧ୍ୟୟନ ସହିତ ନୂତନ ପ୍ରେୟାଗ ପାଇଁ ଆଗଭର ହେବାକୁ ଆହ୍ବାନ ଦେଇଥିଲେ। ଭିଏସ୍ଏସ୍ୟୁଟିର କୁଳପତି ଡ. ଚୌଧୁରୀ ପଶ୍ଚିମାଞ୍ଚଳକୁ ସିଟି ଅଫ୍ ଲଭ୍ ବୋଲି ବର୍ଣ୍ଣନା କରିଥିଲେ। ଯେଉଁଠି ଆତ୍ମୀୟତା ସେଠି ବିକାଶ ସୁନିଶ୍ଚିତ ବୋଲି ସେ କହିଥିଲେ। ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ମହମ୍ମଦ ଫକିରୁଦ୍ଦିନ ତାଙ୍କ ବକ୍ତବ୍ୟରେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତି ଦିଗରେ ବର୍ତ୍ତମାନର ପିଢ଼ି ଏହାର ମଂଗ ଧରନ୍ତୁ ବୋଲି କହିଥିଲେ।
Follow Us