କରୋନା ଆକ୍ରାନ୍ତଙ୍କ ସେବାରେ ରାଜେଶ ଓ ତାଙ୍କ ଦୁଇ ସାଥୀ, ୨ ହଜାର ରୋଗୀଙ୍କୁ ପହଞ୍ଚାଇଲେଣି କୋଭିଡ ହସ୍ପିଟାଲରେ

Advertisment
କରୋନା ଆକ୍ରାନ୍ତଙ୍କ ସେବାରେ ରାଜେଶ ଓ ତାଙ୍କ ଦୁଇ ସାଥୀ, ୨ ହଜାର ରୋଗୀଙ୍କୁ ପହଞ୍ଚାଇଲେଣି କୋଭିଡ ହସ୍ପିଟାଲରେ

ରାଉର‌କେଲା : ମହାମାରୀ କରୋନା ସଙ୍କଟ ସମୟରେ ଦେବଦୂତ ସାଜିଛନ୍ତି ରାଜେଶ ଖମାରୀ ଓ ତାଙ୍କର ଦୁଇ ସାଥୀ। ରାଜେଶ ହେଉଛନ୍ତି ଟେକ୍ନିସିଆନ୍। ନାରାୟଣ ବଡାଇକ ଓ ଗଣେଶ ଲୋହାର ହେଉଛନ୍ତି ପାଇଲ୍‌ଟ୍‌ (ଆମ୍ବୁଲାନ୍ସ ଡ୍ରାଇଭର)। ପାଦେ ପାଦେ ସଂକ୍ରମଣର ଭୟ ସତ୍ବେ କରୋନା ଆକ୍ରାନ୍ତଙ୍କ ସେବାରେ ନିଜକୁ ସମର୍ପିତ କରିଛନ୍ତି ସେମାନେ। ଜୀବନକୁ ପାଣି ଛଡାଇ କି ଦିନ କି ରାତି କରୋନା ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲରେ ପହଞ୍ଚାଉଛନ୍ତି। କେଉଁ ଦିନ ୫ ତ ଅନ୍ୟ କେଉଁ ଦିନ ୧୦ରୁ ୧୨ କରୋନା ଆକ୍ରାନ୍ତଙ୍କୁ ଭିନ୍ନଭିନ୍ନ କୋଭିଡ ହସ୍ପିଟାଲରେ ପହଞ୍ଚାଇ ସେମାନଙ୍କ ଜୀବନ ବଞ୍ଚାଉଛନ୍ତି। ଏମିତି ଭାବେ ଗତ ୧୦ ମାସ ଭିତରେ ହସ୍ପିଟାଲରେ ପହଞ୍ଚାଇଲେଣି ୨ହଜାରରୁ ଅଧିକ କରୋନା ଆକ୍ରାନ୍ତ ରୋଗୀଙ୍କୁ।

publive-image

ସଦାସର୍ବଦା ଆଲର୍ଟ ରହୁଛନ୍ତି। କଲ୍‌ ପାଇବାର କେଇ ମିନିଟ୍‌ ମଧ୍ୟରେ ପହଞ୍ଚିଯାଉଛନ୍ତି କରୋନା ଆକ୍ରାନ୍ତଙ୍କ ଘରେ। ସେ ରାଉରକେଲା ସହର ହେଉ ଅବା ପାନପୋଷ, ବିଶ୍ରା, ହାତୀବାରି, ନୂଆଗାଁ, କଲୁଙ୍ଗା ଓ ବେଦବ୍ୟାସରେ। ଯେଉଁଠି ପରିବାର, ବନ୍ଧୁ ଓ ରକ୍ତ ସମ୍ପର୍କୀୟ ସଂକ୍ରମଣ ଭୟରେ କରୋନା ଆକ୍ରାନ୍ତଙ୍କ ପାଖ ପଶୁ ନାହାନ୍ତି, ସେହି ସମୟରେ ଏମାନେ ରୋଗୀଙ୍କୁ ନିଜ ପରିବାର ସଦସ୍ୟ ପରି ସେବା ଦେଉଛନ୍ତି। କାହାକୁ ଭଉଣୀ, ମା’ ତ ଆଉ କାହାକୁ ବାପା, ଭାଇ ସେବା କରୁଛନ୍ତି। ଘରୁ ରୋଗୀଙ୍କୁ ହୁଇଲ୍‌ ଚେୟାର ଆଣି ଆମ୍ବଲାନ୍ସରେ ଶୁଆଇବା, ପ୍ରାଥମିକ ଚିକିତ୍ସା ସେବା ଦେବା ସହ ଆବଶ୍ୟକସ୍ଥଳେ ଅକ୍ସିଜେନ୍‌, ଭେଣ୍ଟିଲେଟର ଲଗାଉଛନ୍ତି। ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିବା ଗୁରୁତର ଆକ୍ରାନ୍ତଙ୍କ ପାଇଁ ଏମାନେ ନିଜ ଜୀବନକୁ ବାଜି ଲଗାଇ ଦେଉଛନ୍ତି। କିପରି ସଠିକ୍‌ ସମୟରେ କୋଭିଡ ହସ୍ପିଟାଲରେ ପହଞ୍ଚିବ, ଠିକ୍‌ ଭାବେ ଚିକିତ୍ସା ପାଇବେ, ତାକୁ ସଦା ସର୍ବଦା ପ୍ରାଥମିକତା ଦେଉଛନ୍ତି।

କରୋନା ଆକ୍ରାନ୍ତଙ୍କୁ ଘରୁ ହସ୍ପିଟାଲରେ ପହଞ୍ଚାଇବାକୁ ତାଙ୍କୁ ଅନେକ ସମୟରେ ନାନା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିଛି। ବେଳେ ବେଳେ ଏମିତି ହୋଇଛି ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଯାଏ ନାହିଁ। ଘରୁ ହୁଇଲ ଚେୟାରେ ରୋଗୀଙ୍କୁ ବସାଇ ପ୍ରାୟ ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ଆମ୍ବଲାନ୍ସ ପର୍ଯ୍ୟନ୍ତ ଆଣିବାକୁ ପଡିଛି। ୟାସ୍‌ ବାତ୍ୟା ପ୍ରଭାବରେ ହୋଇଥିବା ଲଗାଣ ବର୍ଷାରେ ନିଜକୁ ଭିଜାଇ ଅନେକ ରୋଗୀଙ୍କୁ କୋଭିଡ ହସ୍ପିଟାଲରେ ପହଞ୍ଚାଇଛନ୍ତି।

publive-image

ଟେକ୍ନସିଆନ୍ ରାଜେଶ କୁହନ୍ତି ଏଭଳି ସଙ୍କଟ ସମୟରେ ଆମେ ହାରି ଯାଇ ନାହୁଁ। ଈଶ୍ବରଙ୍କ କୃପାରୁ ଆମକୁ କରୋନା ଛୁଇଁ ପାରି ନାହିଁ। ମୁଣ୍ଡ ଫଟା ଖରା ହେଉ ଅବା ଅବିଶ୍ରାନ୍ତ ବର୍ଷା ସବୁକୁ ସହି କରୋନା ଆକ୍ରାନ୍ତଙ୍କ ଜୀବନ ବଞ୍ଚାଇବାକୁ ପ୍ରାଥମିକତା ଦେଇ ଆସିଛୁ। ଅନେକ ସମୟରେ ରାତି ଅନିଦ୍ରା ହୋଇଛି। ଅଖିଆଅପିଆ ରହିଛୁ। ତଥାପି କାମରୁ ଆମେ କେବେ ପଛଘୁଞ୍ଚା ‌ଦେଇ ନାହୁଁ। ଏଭଳି କାମ କରିବାକୁ କେବଳ ମୁଁ ନୁହେଁ ମୋ ସହିତ କାମ କରୁଥିବା ଦୁଇ ଡ୍ରାଇଭରଙ୍କୁ ବେଶ୍‌ ଆତ୍ମ ସନ୍ତୋଷ ମିଳୁଛି। ଯେତେ ଦିନ ପର୍ଯ୍ୟନ୍ତ ସଙ୍କଟ ନ ଟଳିଛି , ସେ ପର୍ଯ୍ୟନ୍ତ ଆମେ ଏଭଳି କାମ ଜାରି ରଖିଥିବୁ। ଆଶା ରଖିଛୁ ବହୁତ ଶୀଘ୍ର କରୋନା ହାରିବ, ଆମେ ଜିତିବା। ମୋର ସମସ୍ତଙ୍କୁ ଅନୁରୋଧ ଦରକାର ନ ପଡିଲେ ଘରୁ ବାହାରନ୍ତୁ ନାହିଁ। ସର୍ବଦା ମାସ୍କ ପିନ୍ଧନ୍ତୁ। ଘରେ ରହୁନ୍ତ ଓ ସୁରକ୍ଷିତ ରୁହନ୍ତୁ ବୋଲି କହିଛନ୍ତି ରାଜେଶ l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe