ଯାଜପୁରକୁ ରାଜ୍ୟସଭା ପାଣ୍ଠି ଭେଟି: ଦରଦ ନା ଚାପ!

୧୧ ସାଂସଦ ଦେଇଛନ୍ତି ୧୩ କୋଟି ଟଙ୍କା, ମମତାଙ୍କ ଅଭିଯୋଗ ପରେ ହଟୁଛି ପରଦା

Kalinga Tv

ଯାଜପୁର/ସଦର: ରାଜ୍ୟ ରାଜନୀତିରେ ଏକଦା ଅଖଣ୍ଡ ପ୍ରଭାବ ରଖିଥିବା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ଯାଜପୁର ବିକାଶ ରହସ୍ୟର ଅସଲ ଚିତ୍ର ଏବେ ସାମ୍ନାକୁ ଆସିଛି। ରାଜ୍ୟସଭା ସାଂସଦମାନେ ବବିଙ୍କ ଦରବାରରେ କିଭଳି ସାଂସଦ ପାଣ୍ଠି ଭେଟି ଦେଉଥିଲେ ତା’ର ରହସ୍ୟ ଖୋଲିଛନ୍ତି ନିକଟରେ ବିଜେଡିରୁ ଇସ୍ତଫା ଦେଇଥିବା ରାଜ୍ୟସଭା ସାଂସଦ ମମତା ମହାନ୍ତ। ସାଂସଦ ପାଣ୍ଠି ପରିଚାଳନା ପାଇଁ ରହିଥିବା ବାଧ୍ୟବାଧକତା ଯେ ନିରାଧାର ନଥିଲା, ତାହା ମମତାଙ୍କ ଅଭିଯୋଗରୁ ସ୍ପଷ୍ଟ। ତଥ୍ୟ ମୁତାବକ ଗତ ୪ ବର୍ଷରେ ରାଜ୍ୟର ୧୧ ଜଣ ରାଜ୍ୟସଭା ସାଂସଦ କେବଳ ବବିଙ୍କ ନିର୍ବାଚନମଣ୍ଡଳୀ ଯାଜପୁରର ବିକାଶ ପାଇଁ ୧୩ କୋଟିରୁ ଅଧିକ ଟଙ୍କା ଦେଇଛନ୍ତି। ରାଜ୍ୟସଭା ସାଂସଦମାନେ ମୌଳିକ ସମସ୍ୟା ତଥା ସମସ୍ତ ୧୪୭ ନିର୍ବାଚନମଣ୍ଡଳୀକୁ ଗୌଣ କରି ପାଣ୍ଠିର ଏକ ସିଂହଭାଗ ଯାଜପୁରକୁ କାହିଁକି ଅଜାଡ଼ି ଦେଉଥିଲେ, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।

ସରକାରୀ ତଥ୍ୟ ଅନୁସାରେ, ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ତାଙ୍କ ସାଂସଦ ପାଣ୍ଠିରୁ ୧ କୋଟି ୭୫ ଲକ୍ଷ ଟଙ୍କା ଯାଜପୁର ବ୍ଲକ୍‌କୁ ଏବଂ ଯାଜପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦଶରଥପୁର ବ୍ଲକ୍‌କୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ସାଂସଦ ନରେନ୍ଦ୍ର ସ୍ବାଇଁ ଦଶରଥପୁର ବ୍ଲକ୍‌କୁ ୮ ଲକ୍ଷ, ବିଂଝାରପୁର ବ୍ଲକ୍‌କୁ ୨୦ ଲକ୍ଷ ଦେଇଥିବା ବେଳେ ସାଂସଦ ଭାସ୍କର ରାଓ ଯାଜପୁରକୁ ୨୫ ଲକ୍ଷ, ବିଂଝାରପୁର ବ୍ଲକ୍‌କୁ ୮ ଲକ୍ଷ ଦେଇଛନ୍ତି। ପଶ୍ଚିମ ଓଡ଼ିଶାର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ସେ ଯାଜପୁର ବ୍ଲକ୍‌କୁ ୫୦ ଲକ୍ଷ ଦେଇଛନ୍ତି। ସାଂସଦ ଅମର ପଟ୍ଟନାୟକ ମଧ୍ୟ ଯାଜପୁର ବ୍ଲକ୍‌କୁ ୨୫ ଲକ୍ଷ ଦେଇଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରେ ସାଂସଦ ସୁଜିତ କୁମାର ଯାଜପୁର ବ୍ଲକ୍‌କୁ ୨୫ ଲକ୍ଷ, ସାଂସଦ ମୁଜିବୁଲା ଖାଁ (ମୁନା) ଯାଜପୁରର ବିଭିନ୍ନ ପ୍ରକଳ୍ପ ପାଇଁ ୩୦ ଲକ୍ଷ, ପୂର୍ବତନ ସାଂସଦ ତଥା ବର୍ତ୍ତମାନର କଟକ ମେୟର ସୁବାସ ସିଂହ ସାଂସଦ ପାଣ୍ଠିରୁ ୩୫ ଲକ୍ଷ ଦେଇଥିଲେ। ସେଥିରୁ ସେ ଯାଜପୁର ବ୍ଲକ୍ ପାଇଁ ୩୦ ଲକ୍ଷ ଓ ବଡ଼ଚଣା ବ୍ଲକ୍‌ ପାଇଁ ୫ ଲକ୍ଷ ଦେଇଛନ୍ତି।

୨୦୨୨-୨୩ ଆର୍ଥିକ ବର୍ଷରେ ସାଂସଦ ସୁଜିତ କୁମାର ଦେଇଥିବା ୧୬ ଲକ୍ଷ ଟଙ୍କାରୁ କୋରେଇ ପାଇଁ ୬ ଲକ୍ଷ ଓ ରସୁଲପୁର ବ୍ଲକ୍‌କୁ ୧୦ ଲକ୍ଷ ମିଳିଥିଲା। ସାଂସଦ ସୁଲତା ଦେଓ ମୋଟ ୩ କୋଟି ୮୪ ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି। ସେଥିରୁ ସେ ରସୁଲପୁର ବ୍ଲକ୍ ପାଇଁ ୨୦ ଲକ୍ଷ ଟଙ୍କା ଅନୁଦାନ ଦେଇଥିବା ବେଳେ ଯାଜପୁର ବ୍ଲକ୍‌କୁ ୩ କୋଟି ୬୪ ଲକ୍ଷ ଦେଇଛନ୍ତି। ଏହି ଆର୍ଥିକ ବର୍ଷରେ ସାଂସଦ ସସ୍ମିତ ପାତ୍ର ଯାଜପୁରକୁ ୨ କୋଟି, ସାଂସଦ ମାନସ ମଙ୍ଗରାଜ ଯାଜପୁର ବ୍ଲକ୍‌କୁ ୩୦ ଲକ୍ଷ, ମୟୂରଭଞ୍ଜର ରାଜ୍ୟସଭା ସାଂସଦ ମମତା ମହାନ୍ତ ଯାଜପୁର ବ୍ଲକ୍‌କୁ ୧ କୋଟି ଦେଇଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ସାଂସଦ ସୁଲତା ଦେଓ ଯାଜପୁର ବ୍ଲକ୍‌ ପାଇଁ ୧ କୋଟି ୮୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ସେ ନିଜ ଅଞ୍ଚଳ ବରୀ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୧୫ ଲକ୍ଷ ଓ ରସୁଲପୁର ବ୍ଲକ୍ ପାଇଁ ୧୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏହି ଆର୍ଥିକ ବର୍ଷରେ ସାଂସଦ ଅମର ପଟ୍ଟନାୟକ-ଯାଜପୁର ବ୍ଲକ୍ ପାଇଁ ୨୦ ଲକ୍ଷ, ସାଂସଦ ସସ୍ମିତ ପାତ୍ର ୧ କୋଟି ୨୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏମିତି ଭାବେ ଯାଜପୁର ବ୍ଲକ୍‌କୁ ୧୧ ଜଣ ସାଂସଦ ମୋଟ ୧୩ କୋଟି ୧୪ ଲକ୍ଷ ଟଙ୍କା ପ୍ରଦାନ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ଆର୍ଥିକ ବର୍ଷରେ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍‌କୁ ମୋଟ ୩୩ ଲକ୍ଷ ଟଙ୍କା, ବିଂଝାରପୁର ବ୍ଲକ୍‌କୁ ୨୮ ଲକ୍ଷ, ବଡ଼ଚଣାକୁ ୫ ଲକ୍ଷ, କୋରେଇକୁ ୬ ଲକ୍ଷ, ରସୁଲପୁରକୁ ୪୫ ଲକ୍ଷ ଓ ବରୀ ବ୍ଲକ୍‌କୁ ୧୫ ଲକ୍ଷ ଟଙ୍କା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe