ଚାଷ ପ୍ରେମରେ ଅବସରପ୍ରାପ୍ତ ପୋଷ୍ଟମାଷ୍ଟର ରାମଚନ୍ଦ୍ର, ୮୨ ବର୍ଷ ବୟସରେ ବି ଥକିନି ପାଦ 

Advertisment
ଚାଷ ପ୍ରେମରେ ଅବସରପ୍ରାପ୍ତ ପୋଷ୍ଟମାଷ୍ଟର ରାମଚନ୍ଦ୍ର, ୮୨ ବର୍ଷ ବୟସରେ ବି ଥକିନି ପାଦ 

ପ୍ରତାପୁର : ଗ୍ରାମାଞ୍ଚଳରେ ଦିନକୁ ଦିନ ଲୋକେ ଚାଷ ପ୍ରତି ଲୋକେ ବିମୁଖ ହେଲାଣି। ଜଳବାୟୁରେ ବ୍ୟାପକ ପରିବର୍ତ୍ତନ, ବର୍ଷାଭାବ, କୀଟନାଶକର ଅଭାବ ଓ ଶେଷରେ ଫସଲର ଉପଯୁକ୍ତ ମୂଲ୍ୟ ମିଳୁନଥିବାରୁ ଲୋକେ ଚାଷ ଛାଡ଼ି ଶିଳ୍ପ ପ୍ରତିଷ୍ଠାନରେ କାମ କରିବା ପାଇଁ ରାଜ୍ୟ ତଥା ଦେଶ ବାହାରକୁ ଛୁଟିବାରେ ଲାଗିଛନ୍ତି। କିନ୍ତୁ ଏହାରିମଧ୍ୟରେ ସମାଜ ପାଇଁ ଏକ ଭିନ୍ନ ଉଦାହରଣ ସୃଷ୍ଟି କରିଛନ୍ତି ଜଗନ୍ନାଥପ୍ରସାଦ ବ୍ଲକ୍ ପ୍ରତାପୁର ପଞ୍ଚାୟତର ରାମଚନ୍ଦ୍ର ପ୍ରଧାନ। ବୟସ ଆସି ୮୨ ଛୁଇଁଥିଲେ ମଧ୍ୟ ତାଙ୍କ ପାଦ ଥକିନି। ଆଜି ବି ସେ ଏକର ଏକର ବିଲ ଚାଷ କରିବା ସହ ନିଜେ ସବୁ କିଛି ତଦାରଖ କରୁଛନ୍ତି।
ରାମଚନ୍ଦ୍ର ବର୍ତ୍ତମାନ ୫୦ ଭରଣ ଜମିର ମାଲିକ। ପରିବାରରେ ଆର୍ଥିକ ସମସ୍ୟା ନାହିଁ। ତଥାପି ସେ ଘରେ ବସି ରହିବାକୁ ପସନ୍ଦ କରନ୍ତି ନାହିଁ। ଜମିରେ ଚାଷ କାର୍ଯ୍ୟରେ ସମୟ ନ ବିତାଇଲେ ତାଙ୍କୁ ଭଲ ଲାଗେ ନାହିଁ। ପିଲାଟି ଦିନରୁ ଚାଷ ପ୍ରତି ତାଙ୍କର ଦୁର୍ବଳତା ରହିଆସିଛି। ଏବେ ସେ ତାଙ୍କ କ୍ଷେତରେ ମୂଲିଆ ମାନଙ୍କୁ କାର୍ଯ୍ୟରେ ଲଗାଇବା ସହ ନିଜେ ସବୁ କାମ ତଦାରଖ କରୁଛନ୍ତି। ଶରୀର ସାଥ୍ ଦେଉନଥିଲେ ମଧ୍ୟ ମନୋବଳ ଭାଙ୍ଗି ନାହିଁ। ପୁଅମାନେ ବାରଣ କରୁଥିଲେ ହେଁ, ଚାଷ ପ୍ରତି ତାଙ୍କ ପ୍ରେମ ତାଙ୍କୁ କ୍ଷେତ ପର୍ଯ୍ୟନ୍ତ ଟାଣି ଆଣୁଛି। କ୍ଷେତରେ ଚାଷକୁ ନେଇ ବହୁମୂଲ୍ୟ ପରାମର୍ଶ ଦେଉଛନ୍ତି। ରାମଚନ୍ଦ୍ର ପୋଷ୍ଟମାଷ୍ଟର ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୦୭ରେ ଅବସର ନେଇଛନ୍ତି। ତଥାପି ସେ ଥକିନାହାନ୍ତି। କର୍ମଠ ମଣିଷ ଭଳି ଜୀବନ ଅତିବାହିତ କରୁଛନ୍ତି।
ଶିକ୍ଷିତ ହୋଇଥିବାରୁ ଯୁବ ସମୟରୁ ହିଁ, ବାପା ନଟବର ପ୍ରଧାନ ତାଙ୍କୁ ଜମିବାଡ଼ି ହିସାବ ରଖିବା ପାଇଁ ଦାୟିତ୍ବ ପ୍ରଦାନ କରିଥିଲେ। ସେହିଦିନ ଠାରୁ ତାଙ୍କର ଚାଷ ପ୍ରତି ଦୁର୍ବଳତା ରହିଆସିଛି। ରାମଚନ୍ଦ୍ରଙ୍କ ଏଭଳି ପ୍ରୟାସ ପାଇଁ ତାଙ୍କ ପୁଅ ମାନେ ମଧ୍ୟ ବେସ୍ ଖୁସି।  ଆହାର ଯୋଗାଇବା ପାଇଁ ସମସ୍ତଙ୍କୁ ଚାଷ କରିବାକୁ ହେବ ବୋଲି ରାମଚନ୍ଦ୍ର କୁହନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe