ରାମଚନ୍ଦ୍ରପୁର: ବୁଥ୍‌ ଜବରଦଖଲ ନେଇ ଅଭିଯୋଗ କରିବାରୁ ମାଡ଼

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍‌ ଆରମ୍ଭରୁ ରକ୍ତାକ୍ତ ସଂଘର୍ଷ, ୧୮ ବୁଥ୍‌ରେ ନିର୍ବାଚନ ସ୍ଥଗିତ

ରାମଚନ୍ଦ୍ରପୁର : ରାମଚନ୍ଦ୍ରପୁର ଥାନା ଅଳତି ପଞ୍ଚାୟତ ବେଲସୁନ୍ଦରୀ ଗ୍ରାମର ୭ ନମ୍ବର ବୁଥ୍‌ ଜବରଦଖଲ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ରାମଚନ୍ଦ୍ରପୁର ଥାନା ଅଳତି ପଞ୍ଚାୟତ ବେଲସୁନ୍ଦରୀ ଗ୍ରାମର ୭ ନମ୍ବର ମତଦାନ କେନ୍ଦ୍ରରେ ଜଣେ ବ୍ୟକ୍ତି ଏକାଧିକ ଲୋକଙ୍କ ପାଇଁ ଭୋଟ୍‌ ଦେବାରୁ ସେଠାରେ ଥିବା ପୁଲିଂ ଏଜେଣ୍ଟ  ଲମ୍ବୋଦର ମଲ୍ଲିକ, ରାକେଶ ଭୂୟାଁ ବିରୋଧ କରିଥିଲେ। ଖବର ପାଇ ତହସିଲଦାର ବାବୁଲ ପେରେଇ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। କିଛି ସମୟ ପରେ ପୁଣି ସମାନ ଘଟଣାର ପୁନରାବୃତ୍ତି  ହେବାରୁ ଏଜେଣ୍ଟମାନେ ପ୍ରିଜାଇଡିଂ ଅଫିସରଙ୍କ ନିକଟରେ ପ୍ରତିବାଦ କରିଥିଲେ। ଜଣେ ପ୍ରାର୍ଥୀଙ୍କ କିଛି ସମର୍ଥକ ଧମକଚମକ ଦେଇ ସେମାନଙ୍କୁ ବୁଥ୍‌ରୁ ବାହାର କରିଦେଇଥିଲେ।

ଏନେଇ ଏଜେଣ୍ଟମାନେ ପୁଲିଂ ଅଫିସରଙ୍କଠାରେ ଅଭିଯୋଗ କରିବାକୁ ଯାଉଥିବା ବେଳେ ପୂର୍ବରୁ ସଜାଗ ହୋଇ ରହିଥିବା ବିରୋଧୀ ଗୋଷ୍ଠୀର ଅମର ମଲ୍ଲିକ, ରାକେଶ ମଲ୍ଲିକ, ରାଜେଶ ମଲ୍ଲିକ, ନିରଂଜନ ମଲ୍ଲିକ, ବିଶ୍ବନାଥ ମଲ୍ଲିକ, ଭୋଳାନାଥ ମଲ୍ଲିକଙ୍କ ୨୦ଜଣ ଯୁବକ ଲୁହାରଡ ଏବଂ ଠେଙ୍ଗାରେ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ରାକେଶ ଭୂୟାଁ, ତପନ ମଲ୍ଲିକ, ନିରଂଜନ ବରାଳ, ପ୍ରଶାନ୍ତ ବରାଳ ଆହତ ହୋଇଛନ୍ତି। ଏଥିସହ ଦୁଇ୍‌ଟି ବାଇକ୍‌କୁ ମଧ୍ୟ ଭାଙ୍ଗି ଦିଆଯାଇଛି। ଏନେଇ ରାମଚନ୍ଦ୍ରପୁର ଥାନାରେ ରାକେଶ ଭୂୟାଁ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେହିପରି ବ୍ଲକ ନିର୍ବାଚନ ଅଧିକାରୀ ତଥା ଘସିପୁରା ବିଡିଓ ଅସିତ କୁମାର ମହାନ୍ତିଙ୍କ ନିକଟରେ ମଧ୍ୟ ଏନେଇ ଅଭିଯୋଗ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe