India.com
ଘର ମୟୂରଭଞ୍ଜ, ଭୁବନେଶ୍ବରରେ ରହୁଥିଲେ, ମୃତଦେହ ଯାଜପୁରରୁ ଉଦ୍ଧାର
ଦୁଇଜଣ ସ୍କୁଟରରେ ଆଣିଥିଲେ ଶବ, ସିସିଟିଭିରେ କଏଦ ହେଲା ଦୃଶ୍ୟ
ରସୁଲପୁର : ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ହତ୍ୟାକରାଯାଇଛି! ୨ ଜଣ ଯୁବକ ଏକ ଲାଲ୍ରଙ୍ଗ ସ୍କୁଟର୍ରେ ଛାତ୍ରୀଙ୍କ ମରଶରୀରକୁ ରଖି ଯାଜପୁର ଜିଲ୍ଲାର ଏକ ରାସ୍ତାରେ ଫିଙ୍ଗିଦେଇ ଚାଲିଯାଇଛନ୍ତି। ସିସିଟିଭିରେ ଏହି ଘଟଣା କଏଦ ହେବାପରେ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତ ଛାତ୍ରୀଙ୍କର ପରିଚୟ ମଧ୍ୟ ମିଳିଛି। ସେ ହେଉଛନ୍ତି, ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ତରୁଣ୍ଡେଇପଶି ଗ୍ରାମର ରମାକାନ୍ତ ନାୟକଙ୍କ ଝିଅ ଝରାଫୁଲ (୨୧)। ରମାଦେବୀ ବିଶ୍ବବିଦ୍ୟାଳୟରେ ଯୁକ୍ତ୩ ଦ୍ବିତୀୟ ବର୍ଷ ଛାତ୍ରୀ। ତେବେ, ଏହା ହତ୍ୟାକାଣ୍ଡ କି ନୁହେଁ କିମ୍ବା ଏହାପଛରେ ଆଉ କି କାରଣ ରହିଛି, ତାହା ସ୍ପଷ୍ଟ ହୋଇନାହିଁ। ଯାଜପୁର ଜିଲ୍ଲା ଅନ୍ତର୍ଗତ କୁଆଖିଆ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ୨ଜଣ ସନ୍ଦିଗ୍ଧ ଯୁବକ ଏକ ସ୍କୁଟରରେ ଆସି କୁଆଖିଆ ଥାନା ଅନ୍ତର୍ଗତ ମୂଳାପାଳ-ବ୍ରହ୍ମବରଦା ରାସ୍ତାର ଦିଆଲଖଣ୍ଡ ନିକଟରେ କିଛି ଗୋଟାଏ ଫିଙ୍ଗି ଚାଲିଯାଇଥିଲେ। ନିକଟରେ ଥିବା ଏକ ଇଟାଫାକ୍ଟ୍ରିରେ ଲାଗିଥିବା ଏକ ସିସଟିଭିରେ ଏହି ଦୃଶ୍ୟ କଏଦ ହୋଇରହିଛି। ସେହି ଦିଆଲଖଣ୍ତ ପାଟରେ କାମ କରୁଥିବା କିଛି ଲୋକ ବି ଏହା ଦେଖିଥିଲେ ଏବଂ ସଙ୍ଗେସଙ୍ଗେ ସେଠାରେ ପହଞ୍ଚିଥିଲେ। ସେଠାରେ ଜଣେ ଯୁବତୀଙ୍କ ମୃତଦେହ ଥିବାବେଳେ ପାଖରେ ଏକ ଏୟାର ବ୍ୟାଗ୍, ରାସ୍ତାକଡ଼ରେ ପଟେ ଚପଲ ପଡ଼ିଥିଲା। ଖବରପାଇ କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁ ସଦଳବଳେ ପହଞ୍ଚିଥିଲେ। ଏସ୍ଡିପିଓ ଚିନ୍ମୟ ନାୟକ ମଧ୍ୟ କିଛି ସମୟ ପରେ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୂଜବଳ ଶବ ତନଖି କରିବା ପରେ ଆମ୍ବୁଲାନ୍ସ ଯୋଗେ କୁଆଖିଆ ଥାନା ନିକଟକୁ ନିଆଯାଇଥିଲା। କୁଆଖିଆ ପୁରୁଣା ଥାନା ନିକଟସ୍ଥ ଜାତୀୟ ରାଜପଥ ଉପରେ ମୃତ ଯୁବତୀଙ୍କ ଆଉ ପଟେ ଚପଲ ମିଳିଥିଲା। ଅତିରିକ୍ତ ଏସ୍ପି ବି. ବି. ବେହେରା ଥାନାରେ ପହଞ୍ଚି ଅନୁସନ୍ଧାନରେ ସାମିଲ ହୋଇଥିଲେ। ଘଟଣାସ୍ଥଳରରୁ ମିଳିଥିବା ଏୟାର ବ୍ୟାଗ୍ ତହସିଲଦାରଙ୍କ ଉପସ୍ଥିତିରେ ଖୋଲା ଯାଇଥିଲା। ତା’ ଭିତରୁ କିଛି ପୋଷାକ, ବହି,ଖାତା ଓ ପ୍ରସାଧନ ସାମଗ୍ରୀ ମିଳିଥିଲା। ଗୋଟିଏ ପଲିଥିନ୍ ଭିତରେ ଓଦା ହୋଇଥିବା ପୋଷାକ ମିଳିଥିଲା। ନୋଟ୍ ମଧ୍ୟରେ ଲେଖାଯାଇଥିବା ଫୋନ୍ ନମ୍ବରକୁ ଯୋଗାଯୋଗ କରିବାରୁ ମୃତ ଯୁବତୀ ରହୁଥିବା ଭୁବନେଶ୍ବର ରମାଦେବୀ ବିଶ୍ବବିଦ୍ୟାଳୟ ହଷ୍ଟେଲର ଜଣେ ଛାତ୍ରୀ ଧରିଥିଲେ। ତାଙ୍କ ପାଖରୁ ମୃତ ଛାତ୍ରୀଙ୍କ ପରିଚୟ ମିଳିଥିଲା।
ଝରାଫୁଲ ରମାଦେବୀ ବିଶ୍ବବିଦ୍ୟାଳୟରେ +୩ ୨ୟ ବର୍ଷ ଦର୍ଶନ ବିଭାଗର ଛାତ୍ରୀ ଥିଲେ। ଗତ ୨୫ ତାରିଖରେ ସେ କ୍ଲାସ୍ କରିଥିବା ତାଙ୍କର ରୁମ୍ମେଟ୍ କହିଥିଲେ। ଏ ସମ୍ପର୍କରେ ପୁଲିସ୍ ଯୋଗାଯୋଗ କରିବାରୁ ମୃତ ଛାତ୍ରୀଙ୍କ ବାପା ରମାକାନ୍ତ ନାୟକ କହିଥିଲେ, ‘ଉଭଣୀର ଜନ୍ମଦିନ ପାଳନ ପାଇଁ ଝରାଫୁଲ ୨୪ ତାରିଖ ଦିନ ଭୁବନେଶ୍ବର ଯାଇଥିଲା। ସେଠାରୁ ସେ ଗତକାଲି ଘରକୁ ଫେରିବାର ଥିଲା। ପରେ ବହୁବାର ଫୋନ୍ କରିବା ପରେ ଦେହ ଖରାପ ଅଛି ବୋଲି କ୍ଷୀଣକଣ୍ଠରେ ଉତ୍ତର ଦେଇଥିଲା। ଏହାପରେ ଆଉ ରାତିରେ ଯୋଗାଯୋଗ ହୋଇପାରି ନଥିଲା।’ ଜଣେ ବସ୍ କଣ୍ଟକ୍ଟରଙ୍କ ସୂଚନା ଅନୁସାରେ, ଝରାଫୁଲ ୨୬ ତାରିଖ ସକାଳୁ ବରମୁଣ୍ତାରୁ ଝାଡ଼େଶ୍ବର ନାମକ ଏକ ଘରୋଇ ବସ୍ରେ ବସିଥିଲେ। କିନ୍ତୁ ବାଣୀବିହାର ପାଖରେ ପେଟ ଖରାପ ଅଛି କହି ଓହ୍ଲାଇ ପଡ଼ିଥିଲେ।’ ଝରାଫୁଲଙ୍କ ବାପା ମଧ୍ୟ ସମାନ କଥା ଗଣମାଧ୍ୟମ ଆଗରେ କହିଛନ୍ତି। ଆଜି ସକାଳୁ କୁଆଖିଆ ପୁଲିସ ଝରାଫୁଲର ମୃତ୍ୟୁ ଖବର ଦେଇଥିଲେ ବୋଲି ରମାକାନ୍ତ କହିଛନ୍ତି। ‘ ମୋ ଝିଅ ଆତ୍ମହତ୍ୟା କରିବ ନାହିଁ। ତାଙ୍କୁ କେହି ହତ୍ୟା କରି ଏଠାରେ ଫିଙ୍ଗିଦେଇଛି,’ ବୋଲି ସେ ଅଭିଯୋଗ କରିଛନ୍ତି।
ଭୁବନେଶ୍ବରରୁ ଝରାଫୁଲର ଶବ ଏଠାକୁ କେମିତି ଆସିଲା? ଝରାଫୁଲଙ୍କ ସହ ସେମାନଙ୍କ କ'ଣ ସଂପର୍କ ଥିଲା? ଯଦି ଗୋଟିଏ ସ୍କୁଟରେ ମୃତଦେହକୁ ରଖି ଦୁର୍ବୃତ୍ତ ଏତେ ବାଟରୁ ଧରି ଆଣିଥିଲେ, କେହି ଜାଣିପାରିନଥିଲେ କେମିତି? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ସୃଷ୍ଟି ହୋଇଛି। ଏ ସବୁ ପ୍ରଶ୍ନର ଉତ୍ତର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ଏବଂ ଅନୁସନ୍ଧାନ ଆଗକୁ ବଢିଲେ ଜଣାପଡିବ ବୋଲି ଅତିରିକ୍ତ ଏସପି ଶ୍ରୀ ବେହେରା କହିଛନ୍ତି। ଏ ସଂପର୍କରେ କୁଆଖିଆ ଥାନାରେ ଏକ ମାମଲା (କେସ୍ ନଂ–୩୨/୨୧) ହୋଇଛି।
Follow Us